ନୂଆପଡ଼ା : ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଚିକିତ୍ସା ଜଗତରେ ଇତିହାସ ରଚିଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ସ୍ପାଇନାଲ ଏଲ-୧ ଅସ୍ତ୍ରୋପଚାର କରି ଡା.ବିପୁଳ ଗର୍ଗ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛନ୍ତି। ଅସ୍ତ୍ରୋପଚାର ସଫଳ ହେବାପରେ ବିଭିନ୍ନ ମହଲରେ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଯାଇଛି।

Advertisment

ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଧରମବନ୍ଧା ପଞ୍ଚାୟତ କେନ୍ଦୁବହାରା ଗ୍ରାମର ଲୋଚନ ବାରିକ (୨୭ ବର୍ଷ) ତିନି ମାସ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଲୋଚନଙ୍କ ମେରୁଦଣ୍ଡର ସ୍ପାଇନାଲ୍‌ ଏଲ-୧ ହାଡ଼ ଭାଙ୍ଗିଯାଇ ଚାପି ହୋଇଯାଇଥିଲା। ତାଙ୍କର ୨ ଗୋଡ଼ କାମ ନକରିବାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଯୁବକ ଜଣଙ୍କ ଏକ ମାସ ପର୍ଯ୍ୟନ୍ତ ବିଭିନ୍ନ ଘରୋଇ ଡାକ୍ତରଖାନରେ ଚିକିତ୍ସା କରାଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ହୋଇଥିନଥିଲା। ଚିକିତ୍ସା ପାଇଁ ୩ଲକ୍ଷ ଟଙ୍କା ଲାଗିବ ବୋଲି ଘରୋଇ ଡାକ୍ତରଖାନା ପକ୍ଷରୁ କହାଯାଇଥିଲା। ତାଙ୍କ ପାଖରେ ଏତେ ପରିମାଣର ଟଙ୍କା ନଥିବାରୁ ଘରେ ରହିଥିଲେ। ନୂଆପଡ଼ା ଡାକ୍ତରଖାନାର ଅସ୍ଥିଶଲ୍ୟ ଡାକ୍ତର ବିପୁଳ ଗର୍ଗ ଏପରି ଅସ୍ତ୍ରୋପଚାର କରୁଥିବା ଯୁବକ ଜଣକ ଜାଣିବାକୁ ପାଇଥିଲେ। ପରେ ଡାକ୍ତର ଗର୍ଗଙ୍କ ପରାମର୍ଶ କ୍ରମେ ଶୁକ୍ରବାର ଅପରାହ୍ନ ୪ଟାରେ ତାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଡା.ଗର୍ଗଙ୍କ ନେତୃତ୍ବରେ ସହଯୋଗୀ ଏନେସ୍ଥେସିଆ ଡା ସୁଧୀର ନାୟକ, ଭାର୍ଗବୀ ମଲ୍ଲିକ, ଡା ଶୁଭ୍ରାଂଶୁ ନାୟକ, କମ୍ପ୍ୟୁଟର ସହଯୋଗୀ ନନ୍ଦ ଡୋଙ୍ଗରୀ, ନର୍ସ ହେମାଲତା ଉପସ୍ଥିତିରେ ଅସ୍ତ୍ରୋପାଚାର ହୋଇଥିଲା। ପ୍ରାୟ ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ମେରୁଦଣ୍ଡର ହାଡ଼କୁ ବାହାର କରି ସେହି ସ୍ଥାନରେ ନୂଆ ହାଡ଼ ଖଞ୍ଜା ଯାଇଥିଲା। ରାତି ୧୦ ଟାରେ ଅସ୍ତ୍ରୋପଚାର ଶେଷ ହୋଇଥିଲ। ବର୍ତ୍ତମାନ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡା. ଗର୍ଗ ସୂଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ଏପରି ଅସ୍ତ୍ରୋପଚାର ପ୍ରଥମ ବୋଲି ସେ କହିଛନ୍ତି। ମାଗଣାରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତର ଗର୍ଗଙ୍କ ପ୍ରଚେଷ୍ଟାରେ ନୂଆପଡ଼ା ଡାକ୍ତରଖାନାରେ ଏପରି ଅସ୍ତ୍ରୋପଚାର ହୋଇଥିବାରୁ ଯୁବକଙ୍କ ପରିବାର ଲୋକ, ଜିଲ୍ଲାବାସୀ ଡାକ୍ତର ଏବଂ ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।