୫ମାସ ହେଲା ସ୍ପିନିଂ ମିଲ୍‌ ବନ୍ଦ, ଶ୍ରମିକଙ୍କ ୨୨ ମାସର ଇପିଏଫ୍‌ ମଧ୍ୟ ପୈଠ କରି ନାହାନ୍ତି କର୍ତ୍ତୃପକ୍ଷ

ସୋନପୁର : କ୍ଷତି ଦର୍ଶାଇ ଶ୍ରମିକଙ୍କ କଥା ଚିନ୍ତା ନକରି ସୋନପୁର ସ୍ପିନିଂ ମିଲ୍‌କୁ ସରକାର ବେସରକାରୀ ହାତରେ ଟେକି ଦେଲେ। କିନ୍ତୁ ଏବେ ଦୁଃଖ ପାଉଛନ୍ତି ଶ୍ରମିକ। ସ୍ପିନିଂ ମିଲ୍‌ କର୍ତୃପକ୍ଷଙ୍କର ମନମାନୀ ଯୋଗୁଁ ଗତ ଜାନୁଆରି ମାସରୁ ୫ମାସ ହେଲା ସ୍ପିନିଂ ମିଲ୍‌ ବନ୍ଦ ରହିଛି। ଉତ୍ପାଦନ ହେଉ ନାହିଁ ଫଳରେ ଏଠାରେ କାର୍ଯ୍ୟ କରୁଥିବା ୫୦ ଜଣ ଶ୍ରମିକଙ୍କ ଦୁର୍ଦ୍ଦଶା ବଢିଛି। ଏପରିକି ଶ୍ରମିକମାନଙ୍କ ୨୨ ମାସର ଇପିଏଫ୍‌ ଟଙ୍କା ସ୍ପିନିଂ ମିଲ କର୍ତ୍ତୃପକ୍ଷ ଜମା କରି ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଶିଳ୍ପ ପ୍ରତିଷ୍ଠାନ ଏହି ସ୍ପିନିଂ ମିଲଟି ୧୯୮୨ରେ ପ୍ରତିଷ୍ଠା ହୋଇଥିଲା। ଅଳ୍ପ ମୂଳଧନରେ ମାତ୍ର ୫ କୋଟି ଟଙ୍କାରେ ୧୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ କର୍ମ ସଂସ୍ଥାନ ସୃଷ୍ଟି କରାଯାଇ ପାରିଥିଲା। ତେବେ ୫ ମାସ ହେଲା ସ୍ପନିଂ ମିଲ କର୍ତ୍ତୃପକ୍ଷ ଏହି ମିଲ୍‌କୁ ବନ୍ଦ କରି ଦେଇଛନ୍ତି। ସ୍ପିନିଂ ମିଲ ପୁନଃକାର୍ଯ୍ୟକ୍ଷମ ନେଇ କିଛି ମାସ ତଳେ ଶ୍ରମିକ ସଂଗଠନ ଏବଂ ସଚେତନ ନାଗରିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏପରିକି ୩ ମାସ ପୂର୍ବରୁ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଉପସ୍ଥିତିରେ ଶ୍ରମିକ, ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେହି ସମୟରେ ଶ୍ରମିକମାନଙ୍କ ୨୨ ମାସର ଇପିଏଫ୍‌ ପୈଠ ଏବଂ ସ୍ପିନିଂ ମିଲକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୩ ମାସ ବିତି ଯାଇଛି ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ ସ୍ପିନିଂ ମିଲ୍‌ କାର୍ଯ୍ୟକ୍ଷମ କଲେ ନାହିଁକି ଶ୍ରମିକମାନଙ୍କ ଇପିଏଫ୍‌ ପୈଠ କଲେ ନାହିଁ ଯାହାକୁ ନେଇ ଶ୍ରମିକ ଅଶାନ୍ତି ବଢ଼ିଛି।

ଗତ ୨୧ ତାରିଖ ଦିନ ଏବଂ ଆଜି ଶ୍ରମିକ ସଂଘ ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା ଜଣାଯାଇଛି। ତେବେ ସ୍ପିନିଂ ମିଲ୍‌ କର୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସ୍ପିନିଂ ମିଲ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ କି ଶ୍ରମିକମାନଙ୍କ ୨୨ ମାସର ଇପିଏଫ ପୈଠ ହୋଇପାରି ନାହିଁ। ଏ ସମ୍ପର୍କରେ ବରିଷ୍ଠ ବିଜେପି ନେତା ବଳଦେବ ପ୍ରସାଦ ବେଦବାକ କହନ୍ତି ଶ୍ରମିକମାନଙ୍କ ଇପିଏଫ ପୈଠ ଏବଂ ସ୍ପିନିଂ ମିଲକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଜିଲ୍ଳାପାଳଙ୍କ ଉପସ୍ଥିତିରେ ଆମେ ଗତ ୩ ମାସ ପୂର୍ବରୁ ଆଲୋଚନା କରିଥିଲୁ କିନ୍ତୁ ସ୍ପିନିଂ ମିଲ କର୍ତୃପକ୍ଷ ଏହା ସମାଧାନ କରୁନାହାନ୍ତି। ଯଦି ଏହାର ସମସ୍ୟା ସମାଧାନ ନହୁଏ ତାହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ।

ସମ୍ବନ୍ଧିତ ଖବର