ଗଞ୍ଜାମ ଫେରିଥିବା ସୂତାକଳ ଶ୍ରମିକ ଏବେ ସୁରତ ମୁହାଁ

ଆସିକାରୁ ଏକ ବସରେ ଗଲେ ୩୭ଜଣ ଶ୍ରମିକ
ଗଞ୍ଜାମରେ ଆଡ୍ଡା ଜମାଇଛନ୍ତି ଦଲାଲ
ଅଗ୍ରୀମ ଅର୍ଥ ଦେଇ ନେଉଛନ୍ତି ଶ୍ରମିକଙ୍କୁ

ଆସିକା/ବ୍ରହ୍ମପୁର :ଲକ୍ଉ‌ଡାଉନ୍ ଯୋଗୁଁ ଜୀବିକା ହରାଇ ସୁରତରୁ ଗଞ୍ଜାମକୁ ଫେରିଥିବା ଓଡ଼ିଆ ଶ୍ରମିକ ଏବେ ସୁରତ ମୁହାଁ । ଘର ବାହୁଡ଼ିବାର ୩ମାସ ପରେ ରୋଜଗାରର ପନ୍ଥା ନ ପାଇ ଜୀବନକୁ ବିପନ୍ନ କରି ଏବେ ପୁଣି ଶ୍ରମିକମାନେ ବସ ଯୋଗେ ସୁରତ ଫେରୁଛନ୍ତି । ଗତ ଦୁଇଦିନ ତଳେ ଶେରଗଡ଼ ଅଂଚଳ ୨୨ଜଣ ଶ୍ରମିକ ଏକ ବସ ଯୋଗେ ଝାରସୁଗୁଡା ଯାଇ ସେଠାରୁ ଟ୍ରେନ ଯୋଗେ ଗୁଜୁରାଟ ଯାଇଥଲେ । ଗତକାଲି ବିଳମ୍ବିତ ରାତିରେ ଆସିକା ଓ ପୋଲସରା ଅଂଚଳର ୩୭ଜଣ ଶ୍ରମିକ ଆସିକାରୁ ଏକ ବସ ଯୋଗେ ସୁରତ ଯାଇଥିବା ଜଣାପଡ଼ିଛି । ଶ୍ରମିକଙ୍କୁ ସୁରତକୁ ନେବା ଲାଗି ଦଲାଲମାନେ ଗଞ୍ଜାମ ଆସି ବିଭିନ୍ନ ସ୍ଥାନରେ ରହିଛନ୍ତି । ଏବେ ଠାରୁ ସାବଧାନ ନ ହେଲେ ଏହାପୁଣି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲାଗି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ସୁରତର ସୂତାକଳ ଗୁଡ଼ିକରେ ଗଞ୍ଜାମର ପ୍ରାୟ ୩ ଲକ୍ଷ ଶ୍ରମିକ କାମ କରି ଜୀବିକା ନିର୍ବାହ କରୁଥିଲେ । କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ରେ ଦେଶ ଲକ୍‌ଡାଉନ୍ ହେବା ପରେ ସୂତାକଳ ଗୁଡ଼ିକରେ ତାଲା ଝୁଲିଥିଲା । ସୂତାକଳ ଶ୍ରମିକମାନେ ଜୀବିକା ହରାଇଥିଲେ । ଲକ୍‌ଡାଉନ୍ କଟକଣା କୋହଳ ପରେ ଏପ୍ରିଲ ୨୬ରୁ ବସ୍ ଯୋଗେ ଓ ପରବର୍ତ୍ତୀ ସମୟରେ ଟ୍ରେନ ଯୋଗେ ଜୀବନକୁ ବିପନ୍ନ କରି ଶ୍ରମିକମାନେ ଫେରିଥିଲେ । ବିଭିନ୍ନ ରାଜ୍ୟରୁ ଗଞ୍ଜାମକୁ ପ୍ରାୟ ୨ଲକ୍ଷ ୩୦ହଜାର ଶ୍ରମିକ ଫେରିଥିବା ବେଳେ ସେଥିରୁ ୭୦ପ୍ରତିଶତ ସୁରତରୁ ଫେରିଛନ୍ତି । ଶ୍ରମିକମାନେ ଫେରିବା ପରେ ଗଞ୍ଜାମ କରୋନା ହଟସ୍ପଟରେ ପରିଣତ ହୋଇଛି । ଏଥିଲାଗି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । ଏବେ କରୋନା ପ୍ରକୋପ ଥମି ନ ଥିବା ବେଳେ ପୁଣି ଶ୍ରମିକମାନେ ଜିଲ୍ଲା ଓ ସ୍ଥାନୀୟ ବ୍ଲକ ପ୍ରଶାସନର ଅଗୋଚରରେ ଲୁଚିଛପି ସୁରତ ଯିବା ଆରମ୍ଭ କରିଛନ୍ତି । ସୁରତ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଆଣି ଆସିକା ଅଂଚଳର ଏକ ବସ୍ ୩୭ଜଣ ଯାତ୍ରୀଙ୍କୁ ନେଇ ଗତକାଲି ବିଳମ୍ବିତ ରାତିରେ ସୁରତ ଯାତ୍ରା କରିଛି ।

PNGitem

ଉକ୍ତ ବସ୍‌ରେ ୪୮ଜଣ ଯିବା ଲାଗି ଅନୁମତି ରହିଥିଲା । ୩୭ଜଣଙ୍କ ମଧ୍ୟରେ ଘଟଖୁରୀର ୯ଜଣ, ବାବନପୁର ଅଂଚଳର ୪ଜଣ, ପୁଡୁଗେଶ୍ୱର ପଲ୍ଲୀ ଅଂଚଳର ୮ଜଣ, ଗୋଲାପଲ୍ଲୀର ୩ଜଣ, ବର ଗାଁର ୨ଜଣ ଓ ଘୋଡାପଲାଣ ୫ଜଣ ଓ ବାକି ବିଭିନ୍ନ ଅଂଚଳର ରହିଥିବା ଜଣାପଡ଼ିଛି । ଉକ୍ତ ଶ୍ରମିକମାନ ସୁରତ ଯିବା ସଂକ୍ରାନ୍ତରେ ସ୍ଥାନୀୟ ଥାନା, ବ୍ଲକ ପ୍ରଶାସନକୁ ଅବଗତ କରିନାହାନ୍ତି । ଅନ୍ୟପକ୍ଷରେ ସୁରତ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଅନୁମତି ପତ୍ର ମିଳିଛି ସେଥିରେ ପ୍ରତି ଶ୍ରମିକ ନାଁ ଓ ଆଧାର କାର୍ଡ ନମ୍ବର ସଲଗ୍ନ ରହିଛି । କିନ୍ତୁ ସେହି ଅନୁଯାୟୀ ଶ୍ରମିକ ଯାଇନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗଞ୍ଜାମ ଏବେ କରୋନା ହଟସ୍ପଟ । ଜିଲ୍ଲା ବାହାରକୁ ଯିବା ପ୍ରଶାସନ ବାରଣ କରିଛି । ସୁରତ ଜିଲ୍ଲା ପ୍ରଶାସନର ଅନୁମତି ରହିଥିଲେ ହେଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଛାଡ଼ୁଛି କିପରି ତାହାକୁ ନେଇ ପ୍ରଶ୍ନ ଉଠିଛି । ବସ ଯୋଗେ ସୁରତ ଯାଉଥିବା ଶ୍ରମିକ ମାନଙ୍କ କୋଭିଡ଼୍ ପରୀକ୍ଷା ହୋଇଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରମିକମାନେ ସୁରତରୁ ଗଞ୍ଜାମକୁ ବସ ଯୋଗେ ଫେରିବା ବେଳେ ବାରମ୍ବାର ବସ୍ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ କିଛି ଶ୍ରମିକଙ୍କ ଜୀବନ ବି ଯାଇଥିଲା । ଏହି ଧାରା ଯଦି ଅବ୍ୟାହତ ରୁହେଁ ପୁଣି ବସ ଦୁର୍ଘଟଣା ଆଶାଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

ରାଜ୍ୟ ସରକାର ଏବେ କରେନା ମୁ୍କାବିଲାରେ ବ୍ୟସ୍ତ ରହିଛି । ଏଥିଲାଗି ସବୁ କିଛି ପଛରେ ପଡିଛି । ଶ୍ରମିକମାନେ ଜୀବିକା ହରାଇ ଭିଟାମାଟି ଫେରିବାର ୩ମାସ ବିତିଥିଲେ ହେଁ ଏଠାରେ କର୍ମସଂସ୍ଥାନର ସୁଯୋଗ ପାଇ ନ ଥିଲେ । ରାଜ୍ୟ ସରକାର ମନରେଗାରେ କାମ ଦେବା ଲାଗି କହିଁଥିଲେ ହେଁ ଏଯାବତ୍ରେ ଶ୍ରମିକଙ୍କୁ ପର୍ଯ୍ୟାପ କାମ ଯୋଗାଇ ପାରିନାହାନ୍ତି । ଗୋଟିଏ ପଟେ ଶ୍ରମିକମାନେ କାମ ପାଇଲେ ନାହଁ ଅନ୍ୟପକ୍ଷରେ ସୁରତରୁ ଶ୍ରମିକମାନେ ଫେରିବା ଫଳ ସୂତାକଳ ଆଉ ଚାଲିପାରୁନାହିଁ । ଅଗ୍ରୀମ ଅର୍ଥ ଦେଇ ସୂତାକଳ ଶ୍ରମିକମାନେ ଏବେ ଗଞ୍ଜାମରୁ ଶ୍ରମିକମାନଙ୍କ ନେବାକୁ ଚାହୁଁଛନ୍ତି । ଶ୍ରମିକଙ୍କୁ ଅଗ୍ରୀମ ଅର୍ଥ ଦେଇ ନେବା ଲାଗି ସୁରତରୁ ଦଲାଲ ଆସି ବିଭିନ୍ନ ସ୍ଥାନରେ ରହିଛନ୍ତି । ଅଧିକ ଅର୍ଥ ପାଇବା ଅଶାରେ ଶ୍ରମିକମାନେ ପୁଣି ସୁରତ ମୁହାଁ ହେଉଥିବା କୁହାଯାଉଛି । ଏହା ପୁଣି ଜିଲ୍ଲା ପ୍ରଶାସନ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର