ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍‌ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ପଟ୍ଟାଭିଷେକ ପଞ୍ଚବଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ଉଦ୍‌ଘାଟିତ ହୋଇଛି। ୨୦୧୯ ମାଘ ଶୁକ୍ଳ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ବର୍ଷବ୍ୟାପି ଚାଲିବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପଟ୍ଟାଭିଷେକ ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସମିତିର ଅଧ୍ୟକ୍ଷ ଗଜପତି ମାହାରାଜା ଦିବ୍ୟସିଂହ ଦେବ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ସକାଳୁ ଗୋବର୍ଦ୍ଧନ ମଠରେ ମହାରୁଦ୍ରାଭିଷେକ ଓ ପୀଠ ଦେବାଦେବୀଙ୍କ ପୂଜା ପରେ ବିଶ୍ୱଶାନ୍ତି ହୋମ ଓ ଚାରିବେଦ ପାଠ ହୋଇଥିଲା। ପୂର୍ବାହ୍ନରେ ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା ହେବା ସହ ଅଧ୍ୟାତ୍ମିକ ଜାଗରଣ ଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ପ୍ରସ୍ଥାନ କରିଥିଲା। ପୂର୍ବାହ୍ନରେ ମୁକ୍ତିମଣ୍ଡପ ପଣ୍ଡିତ ଓ ସେବକଙ୍କ ଦ୍ୱାରା ଯାତ୍ରାକୁ ମହାପ୍ରଭୁଙ୍କ ଓଲାଗି ମାଳ ପ୍ରଦାନ କରାଯିବା ପରେ ଭୁବନେଶ୍ୱର ଅଭିମୁଖେ ଆସିଥିଲା। ଅପରାହ୍ନରେ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଜାଗରଣ ଯାତ୍ରା ଇନ୍‌ଷ୍ଟିଚୁଟ୍‌ ଅଫ୍‌ ଇଞ୍ଜିନିୟର୍ସଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ସଭାରେ ସାଧୁ, ସନ୍ଥ, ମଠାଧୀଶ, ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, କିଷନ୍‌ଲାଲ ଭରତିଆ, ସ୍ୱାମୀ ସଚ୍ଚିଦାନନ୍ଦ ମହାରାଜ, ପ୍ରଫୁଲ୍ଲ ରଥ, ହେମନ୍ତ ଦାସ, ଶରତ କୁମାର କର, ସୁରେନ୍ଦ୍ରନାଥ ଦାସ, ସ୍ୱାମୀ ପୁରୁଷୋତ୍ତମ ମହାରାଜ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୋବର୍ଦ୍ଧନ ପୀଠ ଓ ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମହୋତ୍ସବ ସମିତିର ଉପାଧ୍ୟକ୍ଷ ତଥା କିସ୍‌ର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇ କହିଲେ, ଦେଶରେ ଥିବା ୪ଟି ପୀଠ ମଧ୍ୟରୁ ଗୋବର୍ଦ୍ଧନ ପୀଠର ମାହାତ୍ମ୍ୟ ରହିଛି।

ସମିତିର ସଦସ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦର ଉପାଧ୍ୟକ୍ଷ ବଦ୍ରି ନାରାୟଣ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିତେନ୍ଦ୍ର ମହାପାତ୍ର ମହୋତ୍ସବର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଫେବ୍ରୁଆରି ୯ ଓ ୧୦ରେ ପୁରୀ ଗୋବର୍ଦ୍ଧନ ମଠରେ ରାଷ୍ଟ୍ରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସ୍କୁଲ, କଲେଜରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବା ସହ ୫ଟି ଲେଖାଏ ଜିଲ୍ଲାକୁ ନେଇ ଆଲୋଚନାଚକ୍ର କରିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଅଧ୍ୟାତ୍ମିକ ଜାଗରଣ ଯାତ୍ରା ମୁକ୍ତିମଣ୍ଡପ ଅଧୀନସ୍ଥ ୩୧ଟି ଶାସନ ଗ୍ରାମ ପରିକ୍ରମା କରିବ।

ସମ୍ବନ୍ଧିତ ଖବର