‘ଚତୁର୍ଦଶ ଧର୍ମଗୁରୁ: ଦଲାଇଲାମା’ ଲୋକାର୍ପିତ

ଜନ୍ମଦିନରେ ବିମଳେନ୍ଦୁ ମହାନ୍ତିଙ୍କ ପୁସ୍ତକ ଭେଟି

ଭୁବନେଶ୍ୱର : କମ୍ୟୁନିଷ୍ଟର ବିରୋଧୀ ହେବା ପରେ ଚତୁର୍ଦଶ ଦଲାଇଲାମା ବିଶ୍ୱଖ୍ୟାତି ଅର୍ଜନ କରିଥିଲେ। ଭାରତରେ ରହିବା ପରେ କମ୍ୟୁନିିଷ୍ଟ ବିରୋଧୀ ପାଶ୍ଚାତ୍ୟ ରାଷ୍ଟ୍ର ତାଙ୍କୁ ନିମନ୍ତ୍ରଣ କରି ତାଙ୍କ ବାର୍ତା ଶୁଣିଥିଲେ। ଯାହା ଦଲାଇଲାମାଙ୍କୁ ରାଷ୍ଟ୍ରଗୁରୁରୁ ଧର୍ମଗୁରୁରେ ପରିଣତ କରିଥିଲା ବୋଲି କହିଛନ୍ତି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ।

ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଗବେଷକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ବିମଳେନ୍ଦୁ ମହାନ୍ତିଙ୍କ ୮୦ତମ ଜନ୍ମ ଦିବସ ଅବସରରେ ତାଙ୍କ ସ୍ୱରଚିତ ପୁସ୍ତକ ‘ଚତୁର୍ଦଶ ଧର୍ମଗୁରୁ: ଦଲାଇଲାମା’ର ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ତିବ୍ଦତ ସଂପ୍ରତି ବୈଷୟିକ ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ଉନ୍ନତ ଅଞ୍ଚଳ। ସେଠାରେ ସାମରିକ ଓ ଶିଳ୍ପ ବ୍ୟବସ୍ଥାରେ ବିକାଶ ଘଟିଛି। ଦାରିଦ୍ର୍ୟ ଦୂର ହୋଇଛି। ସେ ଏକଥା ବି କହିଲେ, ଯେଉଁଠି ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଚାର ଘଟିଛି ସେଠି ବୌଦ୍ଧଧର୍ମର ପତନ ଘଟିଛି। ସଂପ୍ରତି ତିବ୍ଦତରେ ତାନ୍ତ୍ରିକ ବୌଦ୍ଧଧର୍ମର ମଧ୍ୟ ପ୍ରଚଳିତ ଅଛି ବୋଲି ସେ କହିଥିଲେ।

ଗବେଷକ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର କହିଲେ, ଓଡ଼ିଶା ବୌଦ୍ଧ ସିଦ୍ଧାନ୍ତର ଉଚ୍ଚ ସ୍ଥାନ। ଏଠାରେ ଅନେକ ବୌଦ୍ଧ ତତ୍ତ୍ୱ ପାଲି ଓ ପ୍ରାକୃତ ଭାଷାରେ ରହିଛି। ମାତ୍ର ଆମେ ଅଜ୍ଞ। ତିବ୍ଦତ ଏକ ରହସ୍ୟପୂର୍ଣ୍ଣ ସାଧନା କେନ୍ଦ୍ର ହୋଇଥିବା ବେଳେ ପୁସ୍ତକରେ ଏହିଭଳି ଏକ ଦୁଃଖଦ ମାନବବାଦୀ ବିଷୟ ଜଣେ ପଢ଼ିବା ଆରମ୍ଭ କଲେ ନସାରିବା ଯାଏଁ ରହିପାରିବନି ବୋଲି ସେ କହିଥିଲେ। ସରକାରୀ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଲାଇଲାମାଙ୍କୁ ସାଧାରଣରେ ଜଣାଇବା ପାଇଁ ଏହି ପୁସ୍ତକ ବେଶ୍‌ ସହାୟକ ହେବ ବୋଲି କହିଥିଲେ। ପୁସ୍ତକ ଉନ୍ମୋଚନ ଉତ୍ସବରେ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଦଲାଇଲାମାଙ୍କ ସହ ନିଜର ସାକ୍ଷାତ ଓ ପୁସ୍ତକ ସମ୍ବନ୍ଧରେ ଆଲୋକପାତ କରିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଜନ୍ମ ଦିନରେ ନିଜର ପୁସ୍ତକ ଲୋକାର୍ପଣ ଡ.ମହାନ୍ତିଙ୍କ ପାଇଁ ଶ୍ରେଷ୍ଠ ଉପହାର। ନିଜର ଅବସରକୁ ସର୍ବଶ୍ରେଷ୍ଠ ଉପାୟରେ ସେ ବିନିଯୋଗ କରୁଥିବା ବେଳେ ତାଙ୍କ ପୁସ୍ତକ ନୂଆପିଢ଼ିଙ୍କୁ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି କହିଥିଲେ। ‘କିସ୍‌’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପୁସ୍ତକ ପାଇଁ ଅଭିନନ୍ଦନ ଜଣାଇବା ସହ ଦଲାଇଲାମାଙ୍କ ବ୍ୟକ୍ତିତ୍ୱ ବାବଦରେ କହିଥିଲେ।

ପୁସ୍ତକର ଲେଖକ ଡ.ମହାନ୍ତି ନିଜ ପୁସ୍ତକର ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ। ଏକ କ୍ଷୁଦ୍ର ଚାଷୀ ପରିବାରର ୩ ବର୍ଷ ବୟସର ତେଞ୍ଜିନ୍‌ ଜିଆଷ୍ଟୋଙ୍କୁ କଠୋର ସନ୍ୟାସରେ ଦୀକ୍ଷିତ କରାଇ ଚତୁର୍ଦଶ ଦଲାଇଲାମାରେ ରୂପାନ୍ତର କରିବା, ପରିବାରଠୁ ବିଚ୍ଛିନ୍ନ କରି ୭ ବର୍ଷ ବୟସରୁ ୬ନିୟୁତ ତିବ୍ଦତବାସୀଙ୍କ ଆଧ୍ୟାତ୍ମିକ ନେତା ଭାବେ ଅଭିଷିକ୍ତ କରାଇବା, ୧୫ ବର୍ଷ ବୟସରେ ଚତୁର୍ଦଶ ଦଲାଇଲାମା ରାଷ୍ଟ୍ରମୁଖ୍ୟ ପଦବିରେ ମଣ୍ଡିତ ହେବା, କମ୍ୟୁନିଷ୍ଟମାନଙ୍କ ବିରୋଧ ଓ ଆକ୍ରମଣ ଯୋଗୁଁ ସେ ତିବ୍ଦତରୁ ଦେଢ଼ଲକ୍ଷ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଧରି ଭାରତରେ ଶରଣାର୍ଥୀ ହୋଇ ରହିବା ଏବଂ ରାଷ୍ଟ୍ରଗୁରୁରୁ ଧର୍ମଗୁରୁ ପାଲଟିବାର ସମସ୍ତ ବିଷୟ ପୁସ୍ତକରେ ନିହିତ ରହିଛି ବୋଲି ସେ କହିବା ସହ ଏହି ପୁସ୍ତକ ଲେଖିବା ପାଇଁ ଅଚ୍ୟୁତ ସାମନ୍ତ ତାଙ୍କୁ ଉତ୍ସାହିତ କରିଥିବା କହିଥିଲେ। ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ଶେଷରେ ଡ.ସୌରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର