ସତ୍‌କର୍ମରୁ ହିଁ ପୁରୁଷାର୍ଥ ପ୍ରାପ୍ତି ହୋଇଥାଏ: ଦାଦି ଜାନକୀ

ସଶକ୍ତ ଭାରତ ନବନିର୍ମାଣ ଆଧ୍ୟାତ୍ମିକ ମହୋତ୍ସବ ଉଦଯାପିତ

ସମ୍ବଲପୁର : ମଣିଷ ନିମିତ୍ତ ମାତ୍ର। କାମ କରାଇବା ବାଲା ଅନ୍ୟ ଜଣେ। ସତ୍‌ କର୍ମ ହିଁ ଶ୍ରେଷ୍ଠ ଧର୍ମ। ସତ୍‌କର୍ମରୁ ପୁରୁଷାର୍ଥ ପ୍ରାପ୍ତି ହୋଇଥାଏ। ସତ୍ୟତା, ଧୈର୍ଯ୍ୟ, ପ୍ରେମ, ଭକ୍ତି, ମାନବବାଦ ଭଳି ସଦ୍‌ଗୁଣଗୁଡ଼ିକ ପରମାତ୍ମା ଆମକୁ ପ୍ରଦାନ କରିଛନ୍ତି। ଏହାକୁ ଜୀବନରେ ପ୍ରତିଫଳନ କରିବାକୁ ହେବବୋଲି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୮୦ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁର କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ‘ସଶକ୍ତ ଭାରତ ନବନିର୍ମାଣ ଆଧ୍ୟାତ୍ମିକ ମହୋତ୍ସବ’ରେ ଯୋଗ ଦେଇ ଅନୁଷ୍ଠାନର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀଜୀ କହିଛନ୍ତି। ଦାଦିଜୀ ଆହୁରି ମଧ୍ୟ କହିଲେ ଯେ, ମଣିଷ ନିଜକୁ ନିମିତ୍ତ ମନେକରି ପରମାତ୍ମା ଦେଇଥିବା ଜୀବନକୁ ଅନୁଭବ କରିବାର ସମୟ ଆସିଛି। ନିର୍ବିକାର ଓ ସତ୍‌ଗୁଣ ସଂପନ୍ନ ହୋଇ ଜୀବନକୁ ଆଲୋକିତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ।

ମହୋତ୍ସବର ମୁଖ୍ୟ ଅତିଥି ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କହିଲେ, ଅନ୍ୟ ଗ୍ରହ ପାଇଁ ସନ୍ଧାନ ଓ ଆଗ୍ରହ ରଖୁଥିିବା ଆଜିର ମଣିଷ ପାଖରେ ପ୍ରତିଷ୍ଠା, ପଦବି, ଅର୍ଥ ଆଦି ଉପାଦାନ ଥିଲେ ମଧ୍ୟ ଅଧିକ ପାଇବାର ତୃଷ୍ଣା ଭରି ରହୁଛି। ଅସ୍ଥିରତା ଓ ଅନେ୍ଵଷଣର ନିଦାନ ପାଇଁ ନୈତିକତା ସହିତ ମାନବିକତାର ଜ୍ଞାନ ଦରକାର। ହିଂସା ଓ ଅହଂକାରଠାରୁ ଦୂରେଇ ରହିଲେ ଯାଇ ମାନବ ଜୀବନ ସାର୍ଥକ ହେବ। ସମାଜରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଥମେ ନିଜକୁ, ପରେ ପରିବାରକୁ ଓ ସମାଜରେ ସୁଧାର କାର୍ଯ୍ୟ କରିବାକୁ ପଡ଼ିବ। ଚରିତ୍ରରେ ପରିବର୍ତ୍ତନ ଆଣିଲେ ସତ୍ୟ ଯୁଗ ଫେରି ଆସିବ ବୋଲି ରାଜ୍ୟପାଳ ଶ୍ରୀମତୀ ମୁର୍ମୁ କହିଥିଲେ। ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଦାଦି ଜାନକୀଜୀ ଓ ରାଜ୍ୟପାଳ ଦ୍ରୌପର୍ଦୀ ମୁର୍ମୁଙ୍କୁ ସମ୍ବଲପୁରବାସୀଙ୍କ ପକ୍ଷରୁ ସ୍ୱାଗତ କରିଥିିଲେ। ଏହି ସମାରୋହରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଡ. ବନାରସୀ ଭାଇ, ବ୍ରହ୍ମକୁମାରୀ କମଳେଶ ଭଉଣୀ, ଡା. ଶ୍ରୀମନ୍ତ, ବ୍ରହ୍ମକୁମାରୀ ଶ୍ରେୟା, ଡ. ସଚିନ ପ୍ରମୁଖ ମଂଚାସୀନ ଥିଲେ। ସମ୍ବଲପୁର ଜୋନ୍‌ର ମୁଖ୍ୟ ରାଜଯୋଗିନୀ ପାର୍ବତୀ ସ୍ୱାଗତ ଭାଷଣ ଓ ନଥମଲ ଭାଇ ଧନ୍ୟବାଦ ଦେଇଥିଲେ। ବ୍ରହ୍ମକୁମାରୀ ଦୀପା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଦାଦି ଜାନକୀ ଉତ୍ସବ ପାଇଁ ପ୍ରକାଶିତ ସ୍ମରଣିକା ‘ଜ୍ଞାନ ଝରଣା’କୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର