ରାଉରକେଲା: ସୁନ୍ଦରଗଡ଼ ପରେ ଏବେ ପାନପୋଷ ଉପଖଣ୍ଡରେ ସ୍ଥାପନ ହେବାକୁ ଯାଉଛି ସ୍ପିରୁଲିନା ଚିକି ପ୍ରସ୍ତୁତି ୟୁନିଟ୍। ଏଥିପାଇଁ ଶୁକ୍ରବାର ଦିନ ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ (ଡିଏସଡବ୍ଲ୍ୟୁଓ) ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମିଶନ ଶକ୍ତିର ମା’ମାନେ ତାଲିମ ନେଇ ଏଠାରେ ଚିକି ପ୍ରସ୍ତୁତ କରିବା ସହ ପାନପୋଷ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁଙ୍କ ପୋଷଣ ପାଇଁ ଚିକି ଯୋଗାଇ ଦେବେ।
ପୋଷଣର ପାୱାର ହାଉସ୍ ଭାବେ ପରିଚିତ ସ୍ପିରୁଲିନାକୁ ସାନ ସାନ ପିଲାଙ୍କ ସୁସ୍ୱାସ୍ଥ୍ୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟବହାର କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଏକ ଅଭିନବ ପୋଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ଖାଇବାକୁ ଦିଆଯାଉଛି।
ବିଶେଷକରି ଜିଲ୍ଲାରେ ସ୍ପିରୁଲିନା ଚିକି ପ୍ରସ୍ତୁତି ଲାଗି ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସୁନ୍ଦରଗଡ଼ ପରେ ଏବେ ରାଉରକେଲାଠାରେ ଦ୍ୱିତୀୟ ଚିକି ପ୍ରସ୍ତୁତି ୟୁନିଟ୍ ହେବାକୁ ଯାଉଛି। ଏହି ନୂତନ ଚିକି ପ୍ରସ୍ତୁତି ୟୁନିଟ୍ ଫଳରେ ପାନପୋଷ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି ମାଧ୍ୟମରେ ୮୭ ହଜାରରୁ ଅଧିକ ଶିଶୁ ଉପକୃତ ହେବେ।
/sambad/media/post_attachments/wp-content/uploads/2021/10/Spirulina-Chikki-MoU-for-RKL-at-DSWO-Sundargarh-08-Oct-2021-1024x681.jpeg)
ଅଗଷ୍ଟ ମାସରେ ସୁନ୍ଦରଗଡ଼ ଉପକଣ୍ଠର ରଙ୍ଗାଢ଼ିପାଠାରେ ଜିଲ୍ଲାର ପ୍ରଥମ ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ଆରମ୍ଭ କରାଯାଇଥିଲା। ସ୍ପିରୁଲିନାଯୁକ୍ତ ବାଦାମ ଚିକି ପ୍ରସ୍ତୁତି ପାଇଁ ସ୍ଥାନୀୟ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ମା’ ଲକ୍ଷ୍ମୀ ଆଞ୍ଚଳିକ ମଞ୍ଚର ସଦସ୍ୟାମାନଙ୍କୁ ଏଥିପାଇଁ ତାଲିମ ଦିଆଯାଇଥିଲା। ଏହି କେନ୍ଦ୍ରରେ ପ୍ରାୟ ୫୦ ଜଣ ମହିଳା ଚିକି ପ୍ରସ୍ତୁତ କରି ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି। ସୁନ୍ଦରଗଡ଼ ଉପଖଣ୍ଡରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଶିଶୁଙ୍କୁ ଘରେ ଘରେ ଏହି ଚିକି ଖାଇବାକୁ ଦିଆଯାଉଛି।
ରାଉରକେଲାର ମା’ ତାରିଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଚିକି ପ୍ରସ୍ତୁତି ବାବଦରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ଦିଆଯିବ। ବର୍ତ୍ତମାନ ରାଜ୍ୟ ବାହାରୁ ସ୍ପିରୁଲିନା ପାଉଡର ଅଣାଯାଉଛି। ଏହାକୁ କିଭଳି ବାଦାମ ଓ ଅନ୍ୟାନ୍ୟ ଉପାଦାନ ସହ ମିଶାଇ ଶିଶୁଙ୍କ ପାଇଁ ଆବଶ୍ୟକ ଚିକି ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ ସେମାନେ ପ୍ରଶିକ୍ଷଣ ନେବେ।
/sambad/media/post_attachments/wp-content/uploads/2021/10/SHG-Woman-Rolling-Spirulina-Chikki-2-1024x576.jpeg)
ଏହି ଏମଓୟୁ ସ୍ୱାକ୍ଷର ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ ପଣ୍ଡା, ସଂପୃକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟାଙ୍କ ସହିତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲାଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି ମାଧ୍ୟମରେ ୨୦୨୦ରୁ ସ୍ପିରୁଲିନା ଚିକି ଓ ଚିନି ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ସମଗ୍ର ଜିଲ୍ଲାକୁ ସଂପ୍ରସାରଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୧ ଲକ୍ଷ ୪୨ ହଜାରରୁ ଅଧିକ ପିଲା ଉପକୃତ ହେଉଛନ୍ତି। ୭ ମାସରୁ ୨ ବର୍ଷ ବୟସର ପିଲାଙ୍କୁ ସ୍ପିରୁଲିନାଯୁକ୍ତ ଚିନି ଏବଂ ୨ରୁ ୬ ବର୍ଷ ବୟସର ପିଲାଙ୍କୁ ସ୍ପିରୁଲିନାଯୁକ୍ତ ଚିକି ଖାଇବାକୁ ଦିଆଯାଉଛି।
ସ୍ପିରୁଲିନାରେ ଭରପୂର ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ରହିଛି। ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଖାଇବା ଫଳରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ଘଟୁଛି। ଆଗାମୀ ଦିନରେ ଜିଲ୍ଲାରେ ସ୍ପିରୁଲିନା ଚାଷ ଲାଗି ପଦକ୍ଷେପ ନିଆଯାଉଛି। ଏଥିପାଇଁ ଚାଷୀମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଦେବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି।
ଅଙ୍ଗନବାଡ଼ି ମାଧ୍ୟମରେ ପିଲାଙ୍କ ପୋଷଣ ପାଇଁ ସ୍ପିରୁଲିନାକୁ ବ୍ୟବହାର କରିବାରେ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ପ୍ରଥମ। ଏଠାରେ ସ୍ପିରୁଲିନା ଚାଷ ସହ ସ୍ପିରୁଲିନାରୁ ଚିକି ଓ ଅନ୍ୟ ପୋଷଣଜାତ ପଦାର୍ଥ ପ୍ରସ୍ତୁତି କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ସୁନ୍ଦରଗଡ଼ରେ ସ୍ପିରୁଲିନାକୁ ନେଇ ପୂର୍ବ ଭାରତର ପ୍ରଥମ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/9cd4dfb3-8574-4931-b2ac-c8cf39f66c14.jpg)