କାକଟପୁର: ଗୁଜୁରାଟର ୱାଡନଗରରୁ ପୁରୀ ଜିଲ୍ଲାର କାକଟପୁରକୁ ଆସିଛି ୱାର୍ଟର ପ୍ୟୁରି ଫାୟର ବା ଜଳ ବିଶୋଧନ ଯନ୍ତ୍ର ଥିବା ଏକ ସତନ୍ତ୍ର ବସ୍ । ଗତ ୩ ତାରିଖରେ ଓଡ଼ିଶାରେ ଫନି ମାଡ଼ ହେବା ପରେ ଗୁଜୁରାଟରୁ ବାହାରିଥିଲା ଏହି ବସ୍ । ଏହି ବସରେ ପାଣିକୁ ବିଶୋଧନ କରିବା ପାଇଁ ସ୍ୱତନ୍ତ୍ର ଯନ୍ତ୍ରପାତି ଲାଗିଛି । ଏଥିରେ ଲାଗିଥିବା ମେସିନ୍ ସହାୟତାରେ ଯେ କୌଣସି ନାଳ-ନର୍ଦ୍ଦମାର ପାଣିକୁ ବି ବିଶୁଦ୍ଧ କରାଯାଇ ପାରୁଛି । ଏମିତି କି ସମୁଦ୍ରର ଲୁଣି ପାଣିକୁ ବି ମଧୁର ଜଳରେ ରୁପାନ୍ତରିତ କରିପାରୁଛି ଏହି ମେସିନ୍ ।
ସବୁଠାରୁ ବଡ କଥା ହେଲା ଏହି ମେସିନ୍ ସହାୟତାରେ ଘଂଟାକୁ ୪ ହଜାର ଲିଟର୍ ଯାଏଁ ଅପରିଷ୍କାର ପାଣିକୁ ପରିଷ୍କାର କରିପାରୁଛି ।ବିଜ୍ଞାନ ଓ କାରିଗରି ମନ୍ତ୍ରାଳୟ ପକ୍ଷରୁ ପରିଚାଳିତ ହେଉଥିବା ସିଏସ୍ଆଇଆର୍ ପକ୍ଷରୁ ଏହି ବସ୍ ଓଡ଼ିଶା ଆସିଛି । ଏହି ଅନୁଷ୍ଠାନ ପକ୍ଷରୁ ଦେଶର ୩୮ଟି ସ୍ଥାନରେ ଏଭଳି ଗବେଷଣା କରି ଆସୁଛି । ଏମିତି କି ବାତ୍ୟା ଏବଂ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଏହି ଅନୁଷ୍ଠାନ ତରଫରୁ ଏହି ଭଳି ସେବା ଯୋଗଇ ଦିଆଯାଇଥାଏ । ତେବେ ବାତ୍ୟା ପରବର୍ତୀ ସ୍ଥିତିରେ ଓଡ଼ିଶାରେ ପାଣିକୁ ନେଇ ଚାରିଆଡେ ହାହାକାର ଥିବା ବେଳେ ଏହି ସ୍ୱତନ୍ତ୍ର ବସଟି ଏବେ ବରଦାନ ଭଳି ସାବ୍ୟସ୍ତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Screen-Shot-2019-05-12-at-7.59.27-AM-750x430.png)