ଶେଷ ନିଶ୍ୱାସ ଗଣୁଛି ସ୍ପଞ୍ଜ୍‌ ଆଇରନ କାରଖାନା

ଲୁହାପଥର ଦର ଆକାଶଛୁଆଁ

ରାଉରକେଲା : ଦିନଥିଲା ରାଉରକେଲା ଆଖପାଖ ଅଞ୍ଚଳରେ ଏକାଧିକ ଶିଳ୍ପ କାରଖାନା ଗଢ଼ିଉଠିଥିଲା। ଏହା କେବଳ ରାଜ୍ୟ ରାଜକୋଷ ସମୃଦ୍ଧ କରୁନଥିଲା, ବରଂ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିଥିଲା। ତେବେ ଗତ କିଛିବର୍ଷ ହେଲା ବିଭିନ୍ନ କାରଣରୁ ଶତାଧିକ ଶିଳ୍ପ ସଂସ୍ଥା ବନ୍ଦ ହୋଇସାରିଛି। ଏବେ ସମାନ ଦୁସ୍ଥିତି ଦେଇ ଗତି କରୁଛନ୍ତି ଜିଲ୍ଲାର ସ୍ପଞ୍ଜ୍‌ ଆଇରନ କାରଖାନା। କରୋନା ମହାମାରୀ ଯୋଗୁଁ ଶିଳ୍ପ ସଂସ୍ଥାଗୁଡ଼ିକର ଅଣ୍ଟା ସଳଖି ପାରିନଥିବାରୁ ଲୁହାପଥର ଆଦି କଞ୍ଚାମାଲ୍‌ର ମାତ୍ରାଧିକ ଦର ବୃଦ୍ଧି ଘଟିଛି। ଫଳରେ ସ୍ପଞ୍ଜ ଆଇରନ କାରଖାନାଗୁଡ଼ିକ ଶେଷ ନିଶ୍ବାସ ଗଣୁଛନ୍ତି। ସଂପୂର୍ଣ୍ଣ ଅନୈତିକଭାବେ କଞ୍ଚାମାଲ୍‌କୁ ଚଢ଼ା ଦରରେ ବିକ୍ରି କରାଯାଉଛି, ଯଦ୍ବାରା ଶିଳ୍ପ ସଂସ୍ଥାମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହି ଅତ୍ୟଧିକ ବ୍ୟୟ ଚାପ ଯୋଗୁଁ କିଛି କାରଖାନା ସାମୟିକ ପାଇଁ ବନ୍ଦ ହୋଇ ପଡ଼ିଥିବାବେଳେ ଆଉ କେତେକ ବନ୍ଦ ହେବାର ଦ୍ବାରଦେଶରେ ପହଞ୍ଚିଛନ୍ତି।

IndiaMART

୫ ବର୍ଷ ପୂର୍ବେ ଜିଲ୍ଲାରେ ପ୍ରାୟ ୫୮ଟି ସ୍ପଞ୍ଜ ଆଇରନ କାରଖାନା ରହିଥିଲା। ବିଭିନ୍ନ କାରଣରୁ ଏଥିମଧ୍ୟରୁ ପାଖାପାଖି ୧୫/୧୬ଟି ବନ୍ଦ ହୋଇଯାଇଥିବାବେଳେ ଏବେ ପ୍ରାୟ ୪୦ଟି ଏବେ କାର୍ଯ୍ୟକ୍ଷମ। ସେଗୁଡ଼ିକର ସ୍ଥିତି ମଧ୍ୟ ଦୋହଲି ଗଲାଣି। କାରଖାନା ବନ୍ଦ ହେବାର ପ୍ରମୁଖ କାରଣ ହେଉଛି ଲୁହାପଥର ମହଙ୍ଗା ହେବା। ସ୍ପଞ୍ଜ୍‌ ଆଇରନ୍‌ କାରଖାନା ଭଳି ଇଣ୍ଡକ୍ସନ ଫର୍ଣ୍ଣେସ୍‌ର ମଧ୍ୟ ଭାଗ୍ୟ ଅନ୍ଧକାରରେ। ପ୍ରାୟ ୭/୮ ବର୍ଷ‌ ତଳେ ଜିଲ୍ଲାରେ ୪୨ଟି ଇଣ୍ଡକ୍ସନ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ ଥିବାବେଳେ ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ବନ୍ଦ ହେବାରେ ଲାଗିଥିଲା। ଗତ ୨/୩ ବର୍ଷ ତଳେ ମାତ୍ର ୧୨ଟି ଇଣ୍ଡକ୍ସନ ଫର୍ଣ୍ଣେସ୍‌ ଚାଲୁଥିଲା। ଏବେ କିନ୍ତୁ ସ୍ଥିତି ଆହୁରି ବିଗିଡ଼ିବାରୁ ଜୁଲାଇ ୧ ତାରିଖରୁ ଆହୁରି ୮ଟି ଇଣ୍ଡକ୍ସନ ଫର୍ଣ୍ଣେସ୍‌ ବନ୍ଦ ହୋଇଯାଇଛି। ଅର୍ଥାତ୍‌ ଏବେ ମାତ୍ର ୪ଟି ଚାଲୁଛି। ଫଳରେ ଗତ ୨୦୧୨-୧୩ ମସିହା‌ ସ୍ଥିତିର ପୁନରାବୃତ୍ତି ଘଟିବା ଆଶଙ୍କା ସୃଷ୍ଟି ହେଲାଣି। ଉକ୍ତ ବର୍ଷ ଅର୍ଦ୍ଧାଧିକ ସ୍ପଞ୍ଜ୍‌ ଆଇରନ୍‌ କାରଖାନା ଓ ଇଣ୍ଡକ୍ସନ ଫର୍ଣ୍ଣେସ୍‌ ବନ୍ଦ ହୋଇଯାଇଥିଲା। ଏବେ ଇଣ୍ଡକ୍ସନ ଫର୍ଣ୍ଣେସ୍‌ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାବେଳେ ଏହାର ପ୍ରଭାବ ସ୍ପଞ୍ଜ୍‌ ଆଇରନ କାରଖାନାରେ ମଧ୍ୟ ପଡ଼ିବ। ଯଦି ସ୍ଥିତିରେ ସୁଧାର ନଆସେ, ସ୍ଥିତି ଆହୁରି ସଙ୍ଗୀନ ହେବା ଜଳଜଳ ହୋଇ ଦିଶୁଛି। ବିଗତ ଦିନରେ ପ୍ରାୟ ୨୦ଟି ଇଣ୍ଡକ୍ସନ ଫର୍ଣ୍ଣେସ୍‌ ଓ ସ୍ପଞ୍ଜ୍‌ ଆଇରନ କାରଖାନା ଛତିଶଗଡ଼ର ରାୟଗଡ଼ ଓ ଝାଡ଼ଖଣ୍ଡର ବୋକାରୋକୁ ସ୍ଥାନାନ୍ତର ହୋଇସାରିଥିବା ବେସରକାରୀ ସୂତ୍ରରୁ ପ୍ରକାଶ। ପଡ଼ୋଶୀ ରାଜ୍ୟରେ ସ୍ବଳ୍ପ ମୂଲ୍ୟରେ ଲୁହାପଥର, ଶସ୍ତା ବିଜୁଳି ଦର ଯୋଗୁଁ ବାକି କାରଖାନା ମାଲିକ ମଧ୍ୟ ଜିଲ୍ଲା ଛାଡ଼ିବାକୁ ମନ ବଳାଇଲେଣି।

The Statesman

ଏଭଳି ଅବସ୍ଥା ପାଇଁ ଲୁହାପଥର ଅଭାବ ହିଁ ମୂଳ କାରଣ ପାଲଟିଛି। ବିଶେଷକରି ଗତ ବର୍ଷେ ହେଲା ନୂଆ ଖଣି ନିଲାମ ହେବାପରଠାରୁ ଏହି ସମସ୍ୟା ଲାଗି ରହିଛି। ଖଣିରୁ ଆବଶ୍ୟକ ପରିମାଣର ଲୁହାପଥର ଉତ୍ତୋଳନ କରାଯାଉନାହିଁ। ଫଳରେ ସ୍ପଞ୍ଜ୍‌ ଆଇରନ କାରଖାନାଗୁଡ଼ିକ ଆବଶ୍ୟକ ମୁତାବକ କଞ୍ଚାମଲ ପାଉ ନାହାନ୍ତି। ଲୁହାପଥରର ମାତ୍ରାଧିକ ଦର ଯୋଗୁଁ ମଧ୍ୟ ଆହୁରି ଚାପ ପଡୁଛି। ୩ ମାସ ପୂର୍ବେ ଲୁହାପଥର ଟନ୍‌ ପିଛା ମୂଲ୍ୟ ୮ ହଜାର ଟଙ୍କା ଥିବାବେଳେ ଏବେ ପ୍ରାୟ ୧୧/୧୨ ହଜାରରେ ପହଞ୍ଚିଛି, ଯାହାକି ଅତ୍ୟଧିକ କ୍ଷତି ସହିବାକୁ ବାଧ୍ୟ କରୁଛି। ଉଦାହରଣ ସ୍ବରୂପ, ୧ଟନ୍‌ ସ୍ପଞ୍ଜ୍‌ ଆଇରନ ଉତ୍ପାଦନ କରିବାକୁ ୨ଟନ୍‌ ଲୁହାପଥର ଦରକାର ହୋଇଥାଏ। ଅର୍ଥାତ୍‌, କେବଳ ଲୁହାପଥରର ମୂଲ୍ୟ ଟନ୍‌ ପିଛା ୧୨ ହଜାର ହିସାବରେ ୨୪ ହଜାର ହେବ। ଏହାବାଦ୍‌ ସ୍ପଞ୍ଜ ଆଇରନ ଉତ୍ପାଦନ ପାଇଁ ୧ ଟନ୍‌ କୋଇଲା (ପ୍ରାୟ ୭୦୦୦ ଟଙ୍କା), ବିଜୁଳି ଦର ଓ କର୍ମଚାରୀଙ୍କ ଦରମା ଆଦି ପାଇଁ ଆହୁରି ପ୍ରାୟ ୨ ହଜାର ଟଙ୍କା ଦରକାର। ଅର୍ଥାତ୍‌ ଏବେ ଏକ ଟନ୍‌ ସ୍ପଞ୍ଜ୍‌ ଆଇରନ୍‌ ଉତ୍ପାଦନ ପିଛା ପ୍ରାୟ ୩୨ ହଜାର ଟଙ୍କା ବ୍ୟୟ ହେଉଛି। ତେବେ ଗୋଟିଏ ଟନ୍‌ ସ୍ପଞ୍ଜ୍‌ ଆଇରନର ମୂଲ୍ୟ ହେଉଛି ପାଖାପାଖି ୨୮ ହଜାର ଟଙ୍କା। ଅତଏବ ଗୋଟିଏ ଟନ୍‌ରେ ସିଧାସଳଖ ୪ ହଜାର ଟଙ୍କାର କ୍ଷତି ହେଉଛି। ଲୁହାପଥର ନିଲାମବେଳେ ଏଲ୍‌ଟିଏଲ୍‌ ଚୁକ୍ତିଧାରୀଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ହୁଏ। କାରଖାନାର ଯେତିକି ଲୁହାପଥର ଆବଶ୍ୟକ, ତାର ମାତ୍ର ୩୦/୪୦ ପ୍ରତିଶତ ସେଥିରୁ ଦିଆଯାଉଛି। ଏହାର ସିଧାସଳଖ ପ୍ରଭାବ ପଡ଼ୁଛି କାରଖାନାଗୁଡ଼ିକ ଉପରେ।

ସମ୍ବନ୍ଧିତ ଖବର