କାରଖାନା ମାଲିକଙ୍କ କଳା କାରନାମା,  ସ୍ପଞ୍ଜ ଚୋରା ଚାଲାଣ

ଫାଙ୍କୁଛନ୍ତି କୋଟି କୋଟି ଟଙ୍କାର ଜିଏସ୍‌ଟି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଅଧିକାଂଶ ସ୍ପଞ୍ଜ ଆଇରନ କାରଖାନା ମାଲିକଙ୍କ କଳାକାରନାମା ଗୋଟିଏ ପରେ ଗୋଟିଏ ପଦାକୁ ଆସିବାରେ ଲାଗିଛି। ପ୍ରଦୂଷଣ ବିଭାଗର ନୀତିନିୟମକୁ ଜଳାଞ୍ଜଳି ଦେଇ ସ୍ଥାନୀୟ ଅଞ୍ଚଳର ବିଷୟ ବଳୟ ସୃଷ୍ଟି କରୁଛନ୍ତି। କେବଳ ପ୍ରଦୂଷଣ ନୁହେଁ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ସ୍ପଞ୍ଜ ଆଇରନ ଚୋରା ଚାଲାଣ କରୁଛନ୍ତି। ତା’ ପୁଣି ଅଧ ରାତିରେ। ଗତକାଲି ବଣାଇ ଅନ୍ତର୍ଗତ ‘ମହାକାଳୀ ସ୍ପଞ୍ଜ ଆଇରନ’ କାରଖାନାର ସ୍ପଞ୍ଜ ଆଇରନ ବୋଝେଇ ଟ୍ରକ  ନରେନ୍ଦ୍ର ନିକଟରେ ଜବତ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ପୁଲିସ ଡ୍ରାଇଭର ସମେତ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେବଳ ଏତିକି ନୁହେଁ ପୁଲିସ କାରଖାନାର ସଞ୍ଚାଳକ ରିତେଶ ବାଗଡ଼ିଆ, ହର୍ଷ ଗୁପ୍ତା, ଟ୍ରାନ୍ସପୋର୍ଟର ବିକାଶ ବଂଶଲ ଓ ମ୍ୟାନେଜର ବ୍ରଜମୋହନଙ୍କୁ ଗିରଫ ପାଇଁ ବିଭିନ୍ନ  ସ୍ଥାନରେ ଚଢ଼ଉ ଜାରି ରଖିଛି। ଏମାନେ କେତେଦିନ ଧରି ଏଭଳି ଚୋରା କାରବାର କରିଆସୁଥିଲେ?

ଟନ୍‌ ଟନ୍‌ ସ୍ପଞ୍ଜ ଆଇରନ ଜିଲ୍ଲାର କେଉଁ କେଉଁ ଇଣ୍ଡକ୍ସନ ଫର୍ଣ୍ଣେସ, ଷ୍ଟିଲ ମେଲ୍‌ଟିଂ ସପ୍‌ ଯାଉଥିଲା ? ମା’ କାଳୀ ସ୍ପଞ୍ଜ ଆଇରନ କାରଖାନା ସମେତ ଅନ୍ୟ କେଉଁ ସ୍ପଞ୍ଜ ଆଇରନ କାରଖାନା ଏଭଳି ବେଆଇନ କାମ କରୁଛନ୍ତି ?  କେତେ ଟଙ୍କାର ଜିଏସ୍‌ଟି ଫାଙ୍କିଛନ୍ତି ? ସ୍ପଞ୍ଜ କାରଖାନା ମାଲିକମାନଙ୍କୁ କେଉଁ କେଉଁ ଟ୍ରାନ୍ସପୋର୍ଟର ମାନଙ୍କ ସହ ମିଶି ଏଭଳି ଚୋରା କାରବାର କରୁଥିଲେ ? ଏମିତି ଅନେକ ଦିଗକୁ ନଇେ ପୁଲିସ ତା’ର ଖୋଳତାଡ ଆରମ୍ଭ କରିଛନ୍ତି। ଏହି ଘଟଣା ଭାସମାନ ବରଫଖଣ୍ଡର ଦୃଶ୍ୟମାନ ଅଂଶ ମାତ୍ର। ଅର୍ଥାତ୍‌ କେବଳ ମହାକାଳୀ ସ୍ପଞ୍ଜ ଆଇରନ କାରଖାନା ନୁହେଁ ଏମିତି ଅନେକ ସ୍ପଞ୍ଜ କାରଖାନା ଏଭଳି ବେଆଇନ ଚୋରା କାରବାର ସମ୍ପୃ୍କ୍ତ ଅଛନ୍ତି। ମହାକାଳୀ ଓ ଏହାର ଚତୁଃପାର୍ଶ୍ବରେ ରହିଥିବା ଅନେକ ସ୍ପଞ୍ଜ କାରଖାନା ଚୋରା କାରବାର କରି ସରକାରଙ୍କ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଚାଲିଛନ୍ତି।

ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରି ମାଲେ ମାଲ୍‌ ହେଉଥିବା ଏଭଳି ସ୍ପଞ୍ଜ କାରଖାନା ମାଲିକଙ୍କ ବିରୋଧରେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବରଂ ଉଭୟ ବିଭାଗର କିଛି କରିତକର୍ମା ଅଧିକାରୀ ଏମାନଙ୍କୁ ପରୋକ୍ଷରେ ସହାୟତା କରୁଥିବା ଅଭିଯୋଗ ହେଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଦୂଷଣ ସୃଷ୍ଟି କରିବା ଓ ଜିଏସ୍‌ଟି ଫାଙ୍କି ଚାଲିଥିବା ଏଭଳି ସ୍ପଞ୍ଜ କାରଖାନାଗୁଡ଼ିକ ଉପରେ ପ୍ରଦୂଷଣ  ନା ଜିଏସ୍‌ଟି ବିଭାଗ କାହାରି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ମିଳିଥିବା ସୂଚନା ମୁତାବକ ବଣାଇ, ଲହୁଣିପଡା, ଲାଠିକଟା, କୁଆରମୁଣ୍ଡା, କଲୁଙ୍ଗା ଆଦି ଅଞ୍ଚଳରେ ୩୦ରୁ ଅଧିକ ଛୋଟ ବଡ ସ୍ପଞ୍ଜ ଆଇରନ କାରଖାନା ରହିଛି। ସର୍ବାଧିକ ସ୍ପଞ୍ଜ ଆଇରନ କାରଖାନା ରହିଛି ବଣାଇ ଓ ଏହାର ଆଖପାଖ ଅଞ୍ଚଳରେ।

ଏସବୁ ସ୍ପଞ୍ଜ କାରଖାନା ମଧ୍ୟରୁ ଅଧିକାଂଶ ସ୍ପଞ୍ଜ କାରଖାନା ମାଲିମାନେ ଏଭଳି କଳା କାରନାମାରେ ସମ୍ପୃକ୍ତ ରହିଥିବା ଅଭିଯୋଗ ହେଉଛି। ରାତି ହେଲେ ଚାଲୁଛି ଏସବୁ ଚୋରା କାରବାର। ପ୍ରତି ଟ୍ରକ୍‌ରେ ୩୦ ଟନ୍‌ ସ୍ପଞ୍ଜ ଆଇରନ ଲୋଡିଂ ହେଉଛି। ଟନ୍‌ ପିଛା ୩୫ ହଜାର ଟଙ୍କା କରି ମୋଟ ୧୦ ଲକ୍ଷ ୫୦ ହଜାର ଟଙ୍କାର ସ୍ପଞ୍ଜ ଆଇରନ ଯାଉଛି। ପ୍ରତି ଟ୍ରକ୍‌ରେ ଜିଏସ୍‌ଟି ବାବଦରେ ୧୮% ହିସାବରେ ୧ ଲକ୍ଷ ୮୯ ହଜାର ଟଙ୍କା ଫାଙ୍କୁଛନ୍ତି। ଦୈନିକ ରାତିରେ ପାଖାପାଖି ୪୦ରୁ ୫୦ ଟ୍ରକ୍‌ ଏମିତି ଚୋରା ଚାଲାଣ ହେଉଥିବା ଜଣାପଡିଛି। ଏସବୁ ସ୍ପଞ୍ଜ ବେଦବ୍ୟାସ, ରାଜଗାଙ୍ଗପୁର, କଲୁଙ୍ଗା, ଲାଠିକଟା ସମେତ ଅନ୍ୟ କିଛି ସ୍ଥାନରେ ରହିଥିବା ଷ୍ଟିଲ ମେଲ୍‌ଟିଂ ସପ୍‌ ଓ ଇଣ୍ଡକ୍ସନ ଫର୍ଣ୍ଣେସକୁ ଯାଉଛି। ଯେଉଁଠି ରାତାରାତି ମେଲ୍ଟିଂ କରି ଦିଆଯାଉଛି। ଯେଉଁଥିରେ ଲୁହା ଛଡ, ଆଙ୍ଗଲ, ଲୁହା ଚାତର ଆଦି ତିଆରି ହେଉଛି। ଏଭଳି ସ୍ପଞ୍ଜ କାରଖାନାକୁ ଚିହ୍ନଟ କରିବା ସହ ମାଲିକମାନଙ୍କ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର