ଭୁବନେଶ୍ବର : ଏକାଧିକ ଥର ନାମଲେଖା ପ୍ରକ୍ରିୟା ପରେ ବି ପିଜି(ସ୍ନାତ‌କତ୍ତୋର) ସିଟ୍‌ ପୂରଣ ହେଉନି। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ ଲାଗି ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏଥିପାଇଁ ଛାତ୍ରଛାତ୍ରୀ ୧୫ ତାରିଖରୁ ଆବେଦନ କରିପାରିବେ। ବିଭାଗ ଅଧୀନ ୧୪ଟି ବିଶ୍ବବିଦ୍ୟାଳୟ ସମେତ ୫୯ଟି ମହାବିଦ୍ୟାଳୟରେ ସ୍ପଟ୍‌ ନାମଲେଖା ପାଇଁ ନିୟମାବଳୀ ଜାରି ହୋଇଛି। ୧୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସାମ୍‌ସ ୱେବ୍‌ସାଇଟ୍‌କୁ ଯାଇ ନୂତନ ଭାବେ କମନ ଆପ୍ଲିକେସନ୍‌ ଫର୍ମ(ସିଏଏଫ) ଦାଖଲ କରିପାରିବେ। ୨୨ ତାରିଖରେ ଖାଲିଥିବା ଆସନ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୨ରୁ୨୪ ତାରିଖ ମଧ୍ୟରେ ଇଣ୍ଟିମେସନ୍‌ ଲେଟର ସଂଗ୍ରହ କରିବା ସହ ଫି’ ଦାଖଲ କରିପାରିବେ। ୨୩ ଓ ୨୪ ତାରିଖରେ ଆବଶ୍ୟକ କାଗଜପତ୍ର ସଂପୃକ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଯାଞ୍ଚ କରାଯିବା ସହ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଇ-ସ୍ପେସ୍‌ରେ ଦାଖଲ କରିବେ।

Advertisment

ଆସନ୍ତା ୨୭ ତାରିଖରେ ଖାଲି ସିଟ୍‌ ଲାଗି ନୂଆ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ୱେଟିଙ୍ଗ ଲିଷ୍ଟରୁ ମନୋନୟନ କରିପାରିବେ। ୨୮ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ୩୦ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀଙ୍କ ନାମଲେଖା ତଥ୍ୟ ଦାଖଲ କରିବେ। ଏହି ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ଲାଗି ବିଭାଗ ପକ୍ଷରୁ ନିୟମାବଳୀ ଜାରି ହୋଇଛି। ପୂର୍ବରୁ ନାମ ଲେଖାଇଥିବା ଓ ଯୋଗ୍ୟ ବିବେଚିତ ହୋଇ ନାମ ଲେଖାଇ ପାରି ନଥିବା ଛାତ୍ରଛାତ୍ରୀ ତତ୍କାଳ ନାମଲେଖା ପାଇଁ ଆବେଦନର ସୁଯୋଗ ମିଳିବ। ପ୍ରବେଶିକା ପରୀକ୍ଷା ଦେଇଥିଲେ ମଧ୍ୟ ସୁଯୋଗ ପାଇ ନ ଥିବା ଛାତ୍ରଛାତ୍ରୀଙ୍କୁ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ସୁଯୋଗ ଦିଆଯିବ।