କାଚବାକ୍ସରେ ‘ସ୍ପୋର୍ଟ୍ସ ଏରେନା’

ବ୍ରହ୍ମପୁର : ସହରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨୦୧୭ରେ ଏକ ସ୍ପୋର୍ଟ୍ସ ଏରେନାର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ସ୍ଥାନ ଚିହ୍ନଟ, ନକ୍ସା ପ୍ରସ୍ତୁତ କରାଯାଇ ବ୍ୟୟ ଅଟ୍ଟକଳ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ମଧ୍ୟ କରାଯାଇଥିଲା। କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନୂଆ ଉତ୍ସାହ ସଅଷ୍ଟି ହୋଇଥିଲା। ଏହି ପ୍ରଳକ୍ପର ଏକ ସୁନ୍ଦର ନକ୍ସା ବିଏମସି କାର୍ଯ୍ୟାଳୟ ପରିସରରେ ଏକ କାଚ ବାକ୍ସ ମଧ୍ୟରେ ଏବେବି ଶୋଭା ପାଉଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ବାସ୍ତବ ରୂପ ନେଇପାରିନି। ଖାଲି ସେତିକି ନୁହେଁ, ଶିଳାନ୍ୟାସର ପ୍ରାୟ ସାଢ଼େ ତିନି ବର୍ଷ ବିତିଯାଇଥଲେ ମଧ୍ୟ ଏକ ଚତୁର୍ଥାଂଶ ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିବାକୁ ମିଳୁନି। କେବଳ କ୍ରୀଡ଼ା ବିଭାଗ ଦାୟିତ୍ବ ନେଇଥିବା ଇନ୍‌ଡୋର୍‌ ହଲ୍‌ର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏବେ ପୁଣି କେତେକ ଝରକାକୁ ବାହାର କରି କାନ୍ଥ ସହ ମିଶାଇ ଦିଆଯାଇଛି। ପୁଣି ନୂଆ ପ୍ରସ୍ତାବ ମୁତାବକ ଏହି ଇନ୍‌ଡୋର୍‌ ହଲ୍‌କୁ ଶୀତତାପ ନିୟନ୍ତ୍ରୀତ କରିବା ସହ ଉଡେନ୍‌ ଚଟାଣ କରିବା କାମ ବାକି ଅଛି। ଗତକାଲି ରାଜ୍ୟ କ୍ରୀଡ଼ା ବିଭାଗର ଏକ ତଦନ୍ତକାରୀ ଟିମ୍‌ ଏଠାକୁ ଆସି ନିର୍ମାଣ କାର୍ଯ୍ୟଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ବୈକୁଣ୍ଠନଗର ସ୍ଥିତ ଗେଟ୍‌ବଜାର ଭେଣ୍ଡିଂଜୋନ୍‌ ନିକଟରେ ଏହି ପ୍ରସ୍ତାବିତ ସ୍ପୋର୍ଟ୍ସ ଏରେନା ସ୍ଥାପନ ପାଇଁ ପ୍ରାୟ ୬ଏକର ପରିମିତ ଜାଗା ଚିହ୍ନଟ ହୋଇଥିଲା। ସମସ୍ତ ପ୍ରକାର ଇନ୍‌ଡୋର୍‌ ଗେମ୍‌ ଆୟୋଜନ ହେଲାଭଳି ଏକ ଇନ୍‌ଡୋର୍‌ହଲ୍ ସହ ଶିଶୁ ଉଦ୍ୟାନ, ସାଧାରଣଲୋକଙ୍କ ପାଇଁ ଉଦ୍ୟାନ, ଯୋଗ ଅଭ୍ୟାସ ଏବଂ ସ୍କେଟିଂ ଅଭ୍ୟାସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପାଦଚଲା ରାସ୍ତା, ପାର୍କିଂ ସ୍ଥଳୀ ଆଦି ନିର୍ମାଣ ପାଇଁ ଏହି ପ୍ରକଳ୍ପରେ ପ୍ରସ୍ତାବ ରହିଛି। ଏଥିପାଇଁ ୩କୋଟି ୮୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ବିଏମସି କାର୍ଯ୍ୟାଳୟରେ କାଚବାକ୍ସରେ ଥିବା ଏହାର ନକ୍ସା ବେଶ୍ ଆକର୍ଷକ ଦେଖାଯାଉଛି। କିନ୍ତୁ ବର୍ଷ ପରେ ବର୍ଷ ବିତିବାରେ ଲାଗିଥିବା ବେଳେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବିଶେଷ ଅଗ୍ରଗତି ଦେଖିବାକୁ ମିଳୁନି। ପୂର୍ବରୁ କେବଳ ପାଦଚଲା ରାସ୍ତା ନିର୍ମାଣ ହୋଇଥିଲା। ବର୍ତ୍ତମାନ ସେଗୁଡ଼ିକ ପୁଣି ଭଂଗା ଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ଗତବର୍ଷ ମାର୍ଚ୍ଚମାସ ସୁଦ୍ଧା ଏହି ସ୍ପୋର୍ଟସ ଏରେନା ପରିସରରେ ହେବାକୁ ଥିବା ଇନ୍‌‌େଡାର୍‌ ହଲ୍‌ର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହାର ଆକାର ଏବଂ ଚଟାଣକୁ କଂକ୍ରିଟ୍‌ କରିବାକୁ ନେଇ ସ୍ଥାନୀୟ କ୍ରୀଡ଼ାବିତ୍ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ ଏହାର ଚଟାଣକୁ ଉଡେନ୍‌ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନା ପ୍ରଭାବଯୋଗୁଁ ମହାରା‌ଷ୍ଟ୍ରରୁ ଏହି ଉଡେନ୍‌ ଫ୍ଲୋର୍‌ ଆମଦାନୀ ହୋଇ ଆସିବାରେ ବିଳମ୍ବ ହୋଇଥିଲା। ଏବେ ଏହାକୁ ଚଟାଣରେ ବିଛାଇବା ପରିବର୍ତ୍ତେ ଗଚ୍ଛିତ କରି ରଖାଯାଇଛି। ଏହି ପ୍ରକଳ୍ପ କେବେ ଶେଷ ହୋଇ ସହରର କ୍ରୀଡ଼ାବିତ୍‌ଙ୍କ କାମରେ ଲାଗୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର