କୋରାପୁଟ: ମନରେଗା ଯୋଜନାରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍ରେ ନିର୍ମାଣ ହୋଇଛି ୨୧୩ ଖେଳପଡ଼ିଆ। କିନ୍ତୁ ନିମ୍ନମାନର କାମ ଲାଗି ଗୋଟିଏ ବି ପଡ଼ିଆ ଖେଳ ଉପଯୋଗୀ ହୋଇପାରୁନି। ଫଳରେ ସ୍କୁଲ୍ ପଡ଼ିଆ ଓ ସମତଳ ଜମିରେ କ୍ରୀଡ଼ା ଅଭ୍ୟାସ କରୁଛନ୍ତି କ୍ରୀଡ଼ାବିତ୍। ପଡ଼ିଆ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇଥିବା ବେଳେ ପାହାଡ଼ କାଟି ମାଟି ସମତଳ କରି ଅନୁଦାନକୁ ଖୋଳ କରି ଦେଇଛନ୍ତି ଠିକାଦାର।
ଖର୍ଚ୍ଚ ୧୧.୪୨ କୋଟି, ଗୋଟିଏ ବି ନୁହେଁ ଖେଳ ଉପଯୋଗୀ
୧୧୮୭ରୁ ସରିଛି ୨୧୩, ୪୮୭ ନିର୍ମାଣଧୀନ
ଭୂଇଁରୁ ଉଠିପାରୁନି ୧୧୮୭ ପଡ଼ିଆର ଭାଗ୍ୟ
ଜିଲ୍ଲାର ୧୪ ବ୍ଲକ୍ର ୨୪୦ ପଞ୍ଚାୟତରେ ୧୮୮୭ଟି ଖେଳପଡ଼ିଆ ନିର୍ମାଣ ଲକ୍ଷ୍ୟ ରହିଛି। ଏଯାବତ୍ ୨୧୩ଟିର କାମ ସରିଛି। ୪୮୭ଟି ନିର୍ମାଣାଧୀନ ରହିଛି। ବିଭିନ୍ନ କାରଣରୁ ୧୧୮୭ ପଡ଼ିଆର ଭାଗ୍ୟ ଭୂଇଁରୁ ଉଠିପାରୁନି। ପଡ଼ିଆ ନିର୍ମାଣ ବାବଦରେ ଇତିମଧ୍ୟରେ ଖର୍ଚ୍ଚ ହୋଇଛି ୧୧ କୋଟି ୪୨ଲକ୍ଷ ଅନୁଦାନ। ଏତେ ପରିମାଣର ଅନୁଦାନ ଖର୍ଚ୍ଚ ସତ୍ତ୍ବେ ପଡ଼ିଆ ଖେଳ ଉପଯୋଗୀ ହୋଇନପାରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡ଼ାବିତ୍। ସୂଚନା ଅନୁସାରେ, ଜିଲ୍ଲାର ବନ୍ଧୁଗାଁ ବ୍ଲକ୍ରେ ୮୮ଟି ପଡ଼ିଆ ନିର୍ମାଣ ଲକ୍ଷ୍ୟ ରହିଛି। ହେଲେ ସରିଛି ମାତ୍ର ୨ଟି। ସେହିପରି ବୈପାରୀଗୁଡ଼ା ବ୍ଲକ୍ର ୧୦୬ରୁ ୧୨ଟି, ବୋରିଗୁମ୍ମା ବ୍ଲକ୍ର ୩୧୦ରୁ ୮୯ଟି, ଦଶମନ୍ତପୁର ବ୍ଲକ୍ର ୮୧ରୁ ୪ଟି, ଜୟପୁର ବ୍ଲକ୍ର ୨୦୯ରୁ ୨୬ଟି, କୋରାପୁଟ ବ୍ଲକ୍ର ୪୧ରୁ ଗୋଟିଏ, କୋଟପାଡ଼ ବ୍ଲକ୍ର ୨୯୬ରୁ ୩୮ଟି, କୁନ୍ଦୁରା ବ୍ଲକ୍ର ୧୪୪ରୁ ୧୧ଟି, ଲମତାପୁଟ ବ୍ଲକ୍ର ୧୬୨ରୁ ୧୦ଟି, ଲକ୍ଷ୍ମୀପୁର ବ୍ଲକ୍ର ୧୨୮ରୁ ୨ଟି, ନନ୍ଦପୁର ବ୍ଲକ୍ର ୧୦୯ରୁ୯ଟି, ନାରାୟଣପାଟଣା ବ୍ଲକ୍ର ୭୪ରୁ ୨ଟି, ପଟାଙ୍ଗି ବ୍ଲକ୍ର ୧୧୪ରୁ ୫ଟି ଓ ସେମିଳିଗୁଡ଼ା ବ୍ଲକ୍ର ୨୫ଟିରୁ ୨ଟି ପଡ଼ିଆର ନିର୍ମାଣ ଶେଷ ହୋଇଛି। ନିର୍ମାଣାଧୀନ ୪୮୭ ପଡ଼ିଆରେ ମନରେଗା ଯୋଜନାରେ ମାଟି ସଜଡା ଚାଲିଥିବା ଦର୍ଶାଯାଇଛି।
ଖେଳପଡ଼ିଆ ନିର୍ମାଣ ନାଁରେ କେବଳ ମାଟି ସଜାଡ଼ି ଠିକାଦାର ଛାଡ଼ି ଦେଉଥିବାରୁ ଗୋଟିଏ ବର୍ଷା ପରେ ପଡ଼ିଆ ଅବସ୍ଥା ବେହାଲ୍ ହୋଇ ପଡ଼ୁଛି। ମାଟି ଧୋଇଯିବା ପରେ ପଡ଼ିଆ ଖାଲଖମା ସହ ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହୁଛି। କୋରାପୁଟ ବ୍ଲକ୍ର ବଡକେରେଙ୍ଗା, ବଡ଼ସୁକୁ, ଦେଓଘାଟି, ଡୁମୁରିପଦର, କେନ୍ଦାର, ଲଙ୍କାପୁଟ, ଲିଟିଗୁଡ଼ା, ମାନବାର, ମାଥାଲପୁଟ, ମରିଚମାଳ, ମହାଦେଈପୁଟ, ମସ୍ତିପୁଟ, ପଦ୍ମପୁର ଓ ଉମୁରି ପଞ୍ଚାୟତର ବହୁ କ୍ରୀଡ଼ାବିତ୍ ଭଲିବଲ୍, ଫୁଟବଲ୍ ଟୁର୍ନାମେଣ୍ଟ ଖେଳି ନାମ କମାଇଛନ୍ତି। ତେବେ ଖେଳପଡ଼ିଆ ସୁବିଧା ନଥିବାରୁ ସ୍କୁଲ୍ ଓ ଡଙ୍ଗର ପଡ଼ିଆରେ ଏମାନେ କ୍ରୀଡ଼ାଭ୍ୟାସ କରୁଛନ୍ତି। ଖେଳ ପଡ଼ିଆ ନିର୍ମାଣରେ ବଡ଼ଧରଣର ଦୁର୍ନୀତି ଅଭିଯୋଗ ପରେ ବୈଷୟିକ ଟିମ୍ ଦ୍ବାରା ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର।