୩୦ ବର୍ଷ ହେଲା ଡର୍ମିଟୋରିରେ ଚାଲିଛି କ୍ରୀଡ଼ା ଛାତ୍ରାବାସ : ୪ ଡର୍ମିଟୋରିରେ ମୁଣ୍ଡ ଗୁଞ୍ଜିଛନ୍ତି ୪୮ ଅନ୍ତେବାସୀ

ବ୍ରହ୍ମପୁର : କ୍ରୀଡ଼ା କ୍ଷେତ୍ରରେ ରାଜ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ନାନା ପଦକ୍ଷେପ ନେଉଛନ୍ତି। ରାଜ୍ୟର ଅନ୍ୟତମ ବୃହତ୍‌ ଜିଲ୍ଲା ଗଂଜାମରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୦ ବର୍ଷ ହେଲା ପ୍ରତିନିଧିତ୍ବ କରି ଆସୁଛନ୍ତି। କିନ୍ତୁ ନିଜ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସେଭଳି ତତ୍ପରତା ଦେଖାଉ ନାହାଁନ୍ତି। କେବଳ କେତେକ ମିନି ଷ୍ଟାଡିୟମ ନିର୍ମାଣରେ ଏହା ସୀମିତ ରହିଛି। ଏପରିକି ଅଧାଗଢ଼ା ବ୍ରହ୍ମପୁର ଷ୍ଟାଡିୟମର ଡର୍ମିଟୋରିରେ ପ୍ରାୟ ୩୦ ବର୍ଷ ହେବ କ୍ରୀଡ଼ା ଛାତ୍ରାବାସ ଚାଲିଛି। ସେଠାରେ ଅନ୍ତେବାସୀମାନେ ବାଧ୍ୟବାଧକତାରେ ରହୁଛନ୍ତି। ଉନ୍ନତମାନର ସୁବିଧା ଯୋଗାଇ ଦେବାପାଇଁ ଆଜିଯାଏ ସ୍ବତନ୍ତ୍ର କୋଠାର ବ୍ୟବସ୍ଥା ହୋଇପାରିଲା ନାହିଁ। ବର୍ଷ ବର୍ଷ ଧରି ଏହା କେବଳ ପ୍ରସ୍ତାବରେ ଅଟକିଛି।

ବର୍ତ୍ତମାନ ବ୍ରହ୍ମପୁର ଷ୍ଟାଡିୟମର ସମ୍ପ୍ରସାରଣ ଏବଂ ମରାମତି କାମ ଚାଲିଥିବାରୁ ଛାତ୍ରାବାସର ଅନ୍ତେବାସୀଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରିକି ସେମାନଙ୍କ କ୍ରୀଡ଼ା ଅଭ୍ୟାସ ଓ ତାଲିମ ମଧ୍ୟ ବାଧାପ୍ରାପ୍ତ ହେଉଛି। ଛାତ୍ରାବାସରେ କେବଳ ବାଳକଙ୍କ ପାଇଁ ଭାରୋତ୍ତୋଳନର ୨୪ଟି ସିଟ୍‌, ବା‌‌ସ୍କେଟବଲ୍ ଏବଂ ଭଲିବଲ୍‌ରେ ୨୦ଟି ଲେଖାଏଁ ମୋଟ ୬୪ଟି ସିଟ୍‌ ରହିଛି। କିନ୍ତୁ ଏବେ ଭାରୋତ୍ତୋଳନରେ ୧୪ ଜଣ, ବାସ୍କେଟବଲ୍‌ରେ ୧୮ ଜଣ ଏବଂ ଭଲିବଲ୍‌ରେ ୧୬ ଜଣ ମୋଟ ୪୮ ଜଣ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ରହିବା ପାଇଁ ପୂର୍ବରୁ ୬-୭ଟି ଡର୍ମିଟୋରି ବ୍ୟବହାର ହେଉଥିଲା। କିନ୍ତୁ ଗତ ସେପ୍ଟେମ୍ବର ୪ରୁ ବ୍ରହ୍ମପୁର ଷ୍ଟାଡିୟମର ସମ୍ପ୍ରସାରଣ ଏବଂ ମରାମତି କାମ ଆରମ୍ଭ ହୋଇଥିଲା। ଦୁଇଟି ଗ୍ୟାଲେରିର ମରାମତି କାମ ଚାଲିବାରୁ ଅନ୍ତେବାସୀଙ୍କ ପାଇଁ ସ୍ଥାନ ଅଭାବ ଦେଖାଦେଲା। ଏବେ ଦୁଇଟି ବଡ଼ ଏବଂ ଦୁଇଟି ଛୋଟ ମୋଟ ୪ଟି ଡର୍ମିଟୋରିରେ ସମସ୍ତ ଅନ୍ତେବାସୀ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ତ୍ତମାନ ନିର୍ମାଣ ଚାଲିଥିବା ଗ୍ୟାଲେରି ଦ୍ବୟର ମରାମତି ସରିଲାପରେ ଛାତ୍ରାବାସ ଅନ୍ତେବାସୀଙ୍କୁ ସେହି ଦୁଇ ଗ୍ୟାଲେରି ତଳେ ଥିବା ଡର୍ମିଟୋରିକୁ ସ୍ଥାନାନ୍ତର କରି ଅନ୍ୟ ଦୁଇ ଗ୍ୟାଲେରି ମରାମତି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସୂଚନା ଅନୁଯାୟୀ ୧୯୮୬ ମସିହାରେ ଏହି କ୍ରୀଡ଼ା ଛାତ୍ରାବାସ ବୀର ହନୁମାନ କ୍ଲବ୍‌ ପରିସରରେ ଆରମ୍ଭ ହୋଇଥିଲା। ସେତେବେଳେ କେବଳ ଭାରୋତ୍ତୋଳନ ଏବଂ ବାସ୍କେଟବଲ୍‌ର ୧୦ ଜଣ ଲେଖାଏଁ ବାଳକ ଅନ୍ତେବାସୀ ଥିଲେ। ୧୯୮୮-୮୯ ଆର୍ଥିକ ବର୍ଷରେ ବ୍ରହ୍ମପୁର ଷ୍ଟାଡିୟମ ପ୍ରତିଷ୍ଠା ହେବାପରେ ଏହି କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମ ପରିସରକୁ ସ୍ଥାନାନ୍ତର ହୋଇଥିଲା। କିନ୍ତୁ ଏଥିପାଇଁ କୌଣସି ସ୍ବତନ୍ତ୍ର କୋଠା ନିର୍ମାଣ ହୋଇନଥିଲା। ଡର୍ମିଟୋରିରେ ଅନ୍ତେବାସୀଙ୍କୁ ରଖାଯାଇଥିଲା। ଏହାପରେ ଛାତ୍ରାବାସର ଅନ୍ତେବାସୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। କିନ୍ତୁ ସେମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପ୍ରତି ଗୁରୁତ୍ବ ଦେବା ପରିବର୍ତ୍ତେ ଗୋଟିଏ ପରେ ଗୋଟିଏ ଡର୍ମିଟୋରିକୁ ଉପଯୋଗ କରାଯାଇଥିଲା। ୨୦୦୬ ମସିହାରେ କେବଳ ଏହି ଡର୍ମିଟୋରି ଗୁଡ଼ିକରେ ଅଧିକ ଶଯ୍ୟା ଏବଂ ଶୌଚାଳୟ ଆଦି ବ୍ୟବସ୍ଥା କରି କ୍ରୀଡ଼ା ଛାତ୍ରାବାସର ନବୀକରଣ କରାଯାଇଥିବା ଦର୍ଶାଯାଇଥିଲା।

ଏପର୍ଯ୍ୟନ୍ତ କ୍ରୀଡ଼ା ଛାତ୍ରାବାସ ପାଇଁ କୌଣସି ସ୍ଥାୟୀ ବନ୍ଦୋବସ୍ତ କରାଯାଇ ନାହିଁ। ଷ୍ଟାଡିୟମ ନିକଟରେ ଗାନ୍ଧୀନଗର ଛକଠାରେ ଥିବା ଏକ ଖାଲି ସ୍ଥାନରେ ଛାତ୍ରାବାସ ପାଇଁ ଶହେ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାକୁ କେବେ ଅନୁମୋଦନ ମିଳିବ, କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ହେବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର