ଅସଜଡ଼ା କ୍ରିକେଟ୍ ଭିତ୍ତିଭୂମି; ଅଭ୍ୟାସ ପାଇଁ ନାହିଁ ସ୍ବତନ୍ତ୍ର ପଡ଼ିଆ, ଟର୍ଫ ପିଚ୍‌ ଏବେ ସ୍ବପ୍ନ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନାନା ପଦକ୍ଷେପ ନିଆଯାଉଛି। ପ୍ରତି ବ୍ଲକ୍‌ରେ ମିନି ଷ୍ଟାଡିୟମ ଠାରୁ ଆରମ୍ଭ କରି ଜିଲ୍ଲାର ପ୍ରମୁଖ ସହରମାନଙ୍କରେ ଅତ୍ୟାଧୁନିକ ଇନ୍‌ଡୋର୍‌ ହଲ୍, ସୁଇମିଂପୁଲ୍ ଆଦି ସ୍ଥାପନ ହେଉଛି। କିନ୍ତୁ ଅଧିକ ଲୋକପ୍ରିୟ କ୍ରୀଡ଼ା କ୍ରିକେଟ୍‌ ଖେଳିବା ପାଇଁ ଏହି ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ବର୍ଷବର୍ଷ ଧରି ଲାଗି ରହିଛି। ଅଭ୍ୟାସ ପାାଇଁ ଟର୍ଫ ପିଚ୍‌ଟିଏ ଖେଳାଳିଙ୍କ ପାଇଁ ସ୍ବପ୍ନ ପାଲଟିଛି। ଯାହାର ନକାରାତ୍ମକ ପ୍ରଭାବ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ପଷ୍ଟ ବାରି ହୋଇପଡ଼ୁଛି। କେଉଁଠି ଖେଳାଳିମାନେ ମ୍ୟାଟ୍‌ ବିଛାଇ ଅଭ୍ୟାସ କରୁଛନ୍ତି, ତ ଆଉ କେଉଁଠି କଂକ୍ରିଟ୍‌ପିଚ୍‌। ଗଂଜାମ ଜିଲ୍ଲା କ୍ରିକେଟ୍‌ ସଂଘ (ଜିଡିସିଏ)ର ମଧ୍ୟ ନିଜସ୍ବ ପଡ଼ିଆ ନାହିଁ। ଫଳରେ କୌଣସି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଜିଲ୍ଲା ଦଳ ବଛାଗଲା ‌ପରେ ମନୋନୀତ ଖେଳାଳିମାନଙ୍କୁ ଟର୍ଫ ପିଚ୍‌ରେ ଖେଳିବାର ଅଭିଜ୍ଞତା ମିଳିପାରୁନି। ଯାହାକି ‌ସେମାନଙ୍କ ପ୍ରଦର୍ଶନକୁ ପ୍ରଭାବିତ କରୁଛି। ନିକଟରେ ଓଡ଼ିଶା କ୍ରିକେଟ୍‌ ସଂଘ ପକ୍ଷରୁ ଆୟୋଜିତ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଏହା ଦେଖିବାକୁ ମିଳିଥିଲା। ଭିନ୍ନଭିନ୍ନ ପିଚ୍‌ କିପରି ବ୍ୟବହାର କରୁଛି, ତା’ସହ ଖାପଖୁଆଇ କିପରି ବ୍ୟାଟିଂ, ବୋଲିଂ କରିବାକୁ ପଡ଼ିବ ସେନେଇ ଅଧିକାଂଶ ଖେଳାଳି ଅନଭିଜ୍ଞ ଥିଲେ। ଯାହାକି ସେମାନଙ୍କ ପ୍ରଦର୍ଶନରେ ପ୍ରତିଫଳିତ ହୋଇଥିଲା। ତେବେ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ପୂର୍ବ ଅଭିଜ୍ଞତା ଥିବା କିଛି ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ଯୋଗୁଁ ଗଂଜାମ ଦଳ ଲିଗ୍‌ ପର୍ଯ୍ୟାୟର ୫ଟି ମ୍ୟାଚ୍‌ରୁ ତିନିଟି ଜିତିବାରେ ସକ୍ଷମ ହୋଇଥିଲା। କିନ୍ତୁ ନିଜ ଗ୍ରୁପ୍‌ର ଦୁଇ ଶକ୍ତିଶାଳୀ ଦଳଠାରୁ ପରାସ୍ତ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିନଥିଲା।

ଏକଦା ଜିଲ୍ଲା କ୍ରିକେଟ୍‌ର ହବ୍‌ ଥିବା ବ୍ରହ୍ମପୁରରେ ଏବେ ଗୋଟିଏବି ଟର୍ଫ ପିଚ୍‌ ଦେଖିବାକୁ ମିଳୁନି। କ୍ରିକେଟ୍ ଅଭ୍ୟାସ କରିବା ପାଇଁ ସ୍ବତନ୍ତ୍ର ପଡ଼ିଆଟିଏ ମଧ୍ୟ ନାହିଁ। ଖାଲି ସେତିକି ନୁହେଁ ଏଇ ସହରରେ ଏକାଧିକ ଅଗ୍ରଣୀ କ୍ରିକେଟ୍ କ୍ଲବ୍‌ମାନ ଅଛନ୍ତି। କିନ୍ତୁ ସେମାନଙ୍କର ନିଜସ୍ବ ପଡ଼ିଆ ନାହିଁ। ତଥାପି ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରତିଯୋଗିତା (ଟୁର୍ଣ୍ଣାମେଣ୍ଟ) ଆୟୋଜନ କରୁଛନ୍ତି। କିନ୍ତୁ ଅଭ୍ୟାସ ପାଇଁ ଟର୍ଫ‌୍ ପିଚ୍‌ଟିଏ କରିବାକୁ ଆଗଭର ହେଉନାହାନ୍ତି। କିଏ ସିମେଣ୍ଟ ପିଚ୍‌ରେ ଅଭ୍ୟାସ କରୁଛି ତ ଆଉ କିଏ ମ୍ୟାଟ୍‌ ବିଛାଇ କାମ ଚଳାଉଛନ୍ତି। ଅନ୍ତଃଜିଲ୍ଲା, ଅନ୍ତଃରାଜ୍ୟ ପ୍ରତିଯୋଗିତା ଆୟୋଜନ କରୁଥିବା ନେଇ ବାହବା ନେଉଛନ୍ତି। କିନ୍ତୁ ସେଭଳି ପ୍ରତିଯୋଗିତାରେ ମଧ୍ୟ ଟର୍ଫ ପିଚ୍‌ ଦେଖିବାକୁ ମିଳୁନି। ଏଭଳି ପ୍ରତିଯୋଗିତାରେ ଟର୍ଫର ଜାଗା ନେଉଛି ମ୍ୟାଟ୍‌। ଅନ୍ୟପକ୍ଷେ ଅଧିକାଂଶ ସ୍ଥାନରେ ରକ୍ଷଣାବେକ୍ଷଣରେ ଖର୍ଚ୍ଚାନ୍ତ ନହେବାପାଇଁ ସିମେଣ୍ଟ ପିଚ୍‌ ଅଧିକ ସ୍ଥାପନ ହେଉଥିବା ଦେଖିବାକୁ ମିଳୁଛି। କିଛିବର୍ଷ ତଳେ ୟୁସିପି ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ଜିଡିସିଏର ପ୍ରୟାସରେ ଏକ ଟର୍ଫପିଚ୍‌‌ ସ୍ଥାପନ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହୋଇଗଲାଣି। ଏଭଳି ଅସଜଡ଼ା ଭିତ୍ତିଭୂମିରେ କ୍ରିକେଟ୍‌କୁ ନେଇ କ୍ୟାରିୟର୍‌ କରିବାକୁ ‌ଚାହୁଁଥିବା ଖେଳାଳିଙ୍କ ପାଇଁ ପ୍ରତିବନ୍ଧକ ସାଜିଛି।
-ଅଶୋକ କୁମାର ସାହୁ, ଜିଡିସିଏ ସମ୍ପାଦକ

ରାଜ୍ୟର ଏକ ବଡ଼ ଏବଂ ପ୍ରମୁଖ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ କ୍ରିକେଟ୍ ଅଭ୍ୟାସ ପାଇଁ ସ୍ବତନ୍ତ୍ର ପଡ଼ିଆ ନାହିଁ। ଟର୍ଫ ପିଚ୍‌ରେ ଅଭ୍ୟାସରୁ ବଂଚିତ ହେଉଥିବାରୁ ‌ ନିଶ୍ଚିତପକ୍ଷେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଭାବିତ ହେଉଛି। ତେବେ କ୍ରିକେଟ୍ ଅଭ୍ୟାସ ପାଇଁ ଏକ ସ୍ବତନ୍ତ୍ର ପଡ଼ିଆ ଗଂଜାମ ଜିଲ୍ଲା କ୍ରିକେଟ୍ ସଂଘକୁ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ନିବେଦନ କରାଯାଇଛି। ପଡ଼ିଆଟିଏ ମିଳିଲା ପରେ ଆମେ ଟର୍ଫପିଚ୍‌ ସ୍ଥାପନ କରିବାର ବନ୍ଦୋବସ୍ତ କରିବୁ।
-କାଳିଆ ସାହୁ, ବରିଷ୍ଠ ଖେଳାଳି

ବ୍ରହ୍ମପୁର ଭଳି ସହରରେ କ୍ରିକେଟ୍ ଅଭ୍ୟାସ ପାଇଁ ଟର୍ଫପିଚ୍‌ଟିଏ ନାହିଁ। ପୂର୍ବରୁ ବ୍ରହ୍ମପୁର ଷ୍ଟାଡିୟମରେ ଅଭ୍ୟାସ କରିବାର ସୁଯୋଗ ମିଳୁଥିଲା। ଏବେ ସେଠାରେ ନବୀକରଣ କାମ ଚାଲିଥିବାରୁ ଅନ୍ୟ କେଉଁଠି ସୁବିଧା ନାହିଁ। ସେଥିପାଇଁ ମୁଁ ଭୁବନେଶ୍ବର ଆସିବାକୁ ବାଧ୍ୟ ହେଲି। ଏଠାରେ ଏକ କ୍ରିକେଟ୍ କ୍ଲବ୍‌ରେ ଯୋଗଦେଇ ଅଭ୍ୟାସ ଜାରି ରଖିଛି। ବ୍ରହ୍ମପୁରରେ ଟଫ୍‌ପିଚ୍ ସ୍ଥାପନ ହେଲେ ଖେଳାଳିମାନଙ୍କ ପ୍ରଦର୍ଶନରେ ସୁଧାର ଆସିପାରନ୍ତା।

ସମ୍ବନ୍ଧିତ ଖବର