ଭୁବନେଶ୍ବର : ପ୍ରଥମ ଥର ଲାଗି ଭାରତରେ କ୍ରୀଡ଼ା ଓ ନବୋନ୍ମେଷ ଉତ୍ସବ ‘ସ୍ପୋର୍ଟ ଆଇଟି-୨୦୨୦’ ରବିବାର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ସରକାର କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଜାଭିୟର ଏମଲୟନ ବିଜ୍‌ନେସ ସ୍କୁଲ୍‌ (ଏକ୍ସଇବିଏସ୍‌) ଆନୁକୂଲ୍ୟରେ ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଶିଳ୍ପ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣା, ଏକ୍ସଇବିଏସ୍‌ ଅଧ୍ୟକ୍ଷ ଆସ୍‌ଲେ ଫର୍ଣ୍ଣାଡିଜ୍‌, ଜାଭିୟର ବିଶ୍ବବିଦ୍ୟାଳୟ କୁଳପତି ଟୋନି ଉଭାରି, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ପ୍ରତିଷ୍ଠାତା ବିଜୟ ସାହୁ ଏବଂ ଗୁପ୍ତା ପାୱାର ଏମ୍‌ଡି ମହେନ୍ଦ୍ର କୁମାର ଗୁପ୍ତା ଯୋଗଦେଇଥିଲେ।

Advertisment

ସ୍ପୋର୍ଟସ ଷ୍ଟାର୍ଟଅପ୍ ଭିଲେଜରେ ୧୨ କ୍ରୀଡ଼ା ଷ୍ଟା‌ର୍ଟଅପ୍ କଂପାନି ଫାଷ୍ଟ୍‌ ଆଣ୍ଡ୍‌ ଅପ୍‌, ପ୍ଲେଓ‌, ଷ୍ଟାଟ୍‌ବତ, ସ୍ପୋର୍ଟିଫାଇ ପାରେଣ୍ଟିଂ, ସି ହାଓ, ସେପ୍‌କ୍ରଞ୍ଚ୍‌, ଫନ୍‌ଗେଜ୍‌, କାରଖାନା ମେକରସ୍ପେସ୍‌, ସ୍ପୋର୍ଟ୍ସ ସାଇନ୍ସ ଇଣ୍ଡିଆ, ନେକ୍ସଏସ୍‌ବି ଓ ଆକିଲା ଆଡ୍‌ଭେଞ୍ଚର ଯୋଗ ‌ଦେଇଥିଲେ। ଶ୍ରେଷ୍ଠ ଷ୍ଟାର୍ଟ ଅପ୍‌ କମ୍ପାନି ଭାବେ ଦିଲ୍ଲୀର ଫନ୍‌ଗେଜ୍‌କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥିଲା। ସ୍ପୋ‌ର୍ଟସ ହକାଥଲନରେ ଫ୍ରାନ୍ସରୁ ୩ ଏବଂ ଭାରତରୁ ୭ ଦଳ ଭାଗ ନେଇଥିଲେ। ଓଡ଼ିଶାରୁ ଏଥିରେ ୪ ଦଳ ରହିଥିଲା ବେଳେ ଫ୍ରାନ୍ସର ଜୁଲିଅରଙ୍କ ତତ୍ବାବଧାନରେ ପୂର୍ବତନ ଟେନିସ ଖେଳାଳି ଚିନ୍ମୟ ପ୍ରଧାନ, ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଦିଲେଶ୍ବର ରାଓ, ପୂର୍ବତନ ଫୁଟ୍‌ବଲର ଦେବାଶିଷ ନାୟକ, ପୂର୍ବତନ ବାସ୍କେଟବଲର୍‌ ରାଜେଶ ନାୟକ ଓ ଡାକ୍ତର ଶୋଭନ ପଟ୍ଟନାୟକଙ୍କୁ ନେଇ ଗଠିତ ‘ଇମ୍ପାକ୍ଟର୍ସ’ ଦଳ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏମାନେ ‘ଗ୍ରାମାଞ୍ଚଳ ଟେନିସ ଓପନ୍‌ ଅପ୍‌’ ନାମରେ କିପରି ‌କମ୍‌ ଖର୍ଚ୍ଚ ଓ କମ୍‌ ସ୍ଥାନରେ କିପରି ସାଧାରଣ ଲୋକଟିଏ ବି ‌ଟେନିସ ଖେଳି ପାରିବ ତା ଉପରେ ଉପସ୍ଥାପନ କରିଥିଲେ। ପୁରସ୍କାର ବାବଦରେ ଏମାନଙ୍କୁ ଚଳିତ ବର୍ଷ ସେପ୍ଟେମ୍ଭରରେ ଫ୍ରାନ୍ସରେ ହେବାକୁଥିବା ‘ସ୍ପୋର୍ଟ୍ସ ଅନ୍‌ଲିମିଟେକ୍‌’ରେ ଭାଗ ନେବା ଲାଗି ଯୋଗ୍ୟତା ଅର୍ଜନ ବା ଟିକେଟ୍‌ ହାସଲ କରିଥିଲେ। ଓଡ଼ିଶା ସହ ଜଡ଼ିତ ଥିବା ହାଇପରଫର୍ମାନ୍ସ ସେଣ୍ଟର ଓ ‌କ୍ଲବ୍‌ଗୁଡ଼ିକ ଏଠାରେ ନିଜ ନିଜର ଷ୍ଟଲ ପକାଇଥିଲେ। ଓଡ଼ିଶା ଏଫ୍‌ସି, ଟାଟା ଏକାଡେମି, ଗୁରୁକୁଳ ଟେନିସ, ଓଡ଼ିଶା‌ ଟେବୁଲ ଟେନିସ ସଂଘ, ଉତ୍କଳ କରାଟେ ସ୍କୁଲ୍‌, ବିଗ୍‌ ଅରେଞ୍ଜ୍‌ ବାସ, ଡେକାଥଲନ ଏବଂ ପାରା ‌ଆଥ୍‌ଲେଟ୍‌ ପକ୍ଷରୁ ହୋଇଥିବା ଷ୍ଟଲ୍‌ରେ ବୁଲି ଛାତ୍ରଛାତ୍ରୀ ଓ ସାଧାରଣ ଜନତାମାନ‌େ ଫୁଟ୍‌ବଲ୍, ହକି, ଟେବୁଲ ଟେନିସ୍, ବାସ୍କେଟବଲ୍, କରାଟେ ଖେଳିବା ସହ ଏହା ଉପରେ ଜ୍ଞାନ ଆହରଣ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୨୦୦ ଛାତ୍ରଛାତ୍ରୀଙ୍କ ସହ ଭିନ୍ନକ୍ଷମ ‌ପିଲା ମଧ୍ୟ ଯୋଗ ଦେଇଥିଲେ।