ଦଶରଥପୁର: ସମଗ୍ର ବିଶ୍ବ ଗୋଟିଏ ପରିବାର। ଖେଳରେ କେବେ ଦ୍ବନ୍ଦ୍ବ ନଥାଏ। ହାରଜିତ୍ ନଥାଏ। ଜଗନ୍ନାଥଙ୍କ ସୃଷ୍ଟିରେ ଆମେ ସମସ୍ତେ ଖେଳାଳି। ବସୁଧୈବ କୁଟୁମ୍ବକମ୍ ଭଳି କ୍ରୀଡ଼ା ସମଗ୍ର ବିଶ୍ୱକୁ ଯୋଡ଼ିଥାଏ ବୋଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ପଡ଼ିଆରେ ଆୟୋଜିତ ମନ୍ମଥ ମେମୋରିଆଲ ଅନ୍ତଃରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ରାଜ୍ୟପାଳ କହିଥିଲେ ଯେ ଆମ ରାଜ୍ୟବାସୀ ଜଗନ୍ନାଥ ସଂସ୍କୃତିର ପୂଜକ। ଯେଉଁଠିକି ଆସିଛି ସେ ସ୍ଥାନର ବାସିନ୍ଦା ମଧ୍ୟ ଜଗନ୍ନାଥପ୍ରେମୀ। ଏଠାରେ ପହଞ୍ଚି ମୁଁ ବେଶ୍ ଆନନ୍ଦିତ। ସୁଯୋଗ ମିଳିଲେ ନିଶ୍ଚିତ ଭାବେ ପୁଣିଥରେ ଏ ସ୍ଥାନକୁ ଆସିବାକୁ ଚାହିଁବି। ଗ୍ରାମାଞ୍ଚଳରେ ଏଭଳି ଖେଳ ପ୍ରତିଯୋଗିତା ଆୟୋଜନକୁ ସେ ଉଚ୍ଚପ୍ରଶଂସା କରିବା ସହ ଏହା ମାଧ୍ୟମରେ ବହୁ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରିବେ ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ରାଜ୍ୟପାଳ ନିଜକୁ ରାଜ୍ୟର ବାଳକ ବୋଲି କହିଥିଲେ।
ସମ୍ମାନିତ ଅତିଥିଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାରୁ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ୟତମ ଅତିଥି କନ୍ଧମାଳ ସାଂସଦ ତଥା ସର୍ବଭାରତୀୟ ଭଲିବଲ ଫେଡେରେସନର ସଭାପତି ଡ. ଅଚ୍ୟୁତ ସାମନ୍ତ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କୁ ଜଣେ ଜଗନ୍ନାଥପ୍ରେମୀ ଏବଂ ଓଡ଼ିଶାକୁ ଭଲପାଉଥିବା ବ୍ୟକ୍ତିଭାବେ ବର୍ଣ୍ଣନା କରିବା ସହିତ ମାତ୍ର ୨ ଦିନ ମଧ୍ୟରେ ବିରିପଟା ଆସିବାକୁ ସମ୍ମତି ଜଣାଇଥିବାରୁ କୃତଜ୍ଞତା ଜଣାଇଥିଲେ। ସେହିପରି ଧାବିକା ଦୂତି ଚାନ୍ଦ ପାଠପଢ଼ା ସହିତ କ୍ରୀଡ଼ା ସମସ୍ତଙ୍କ ଜୀବନର ପ୍ରମୁଖ ଅଂଶ ହେବା ଉଚିତ ବୋଲି କହିଥିଲେ। ରାଜ୍ୟପାଳ ପୁଲିସ ସୁରକ୍ଷାବଳୟରେ ଖେଳପଡ଼ିଆ ନିକଟରେ ପହଞ୍ଚିବା କ୍ଷଣି ତାଙ୍କୁ ଜିଲ୍ଲା ଆରକ୍ଷୀ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ଅଚ୍ୟୁତ ସାମନ୍ତ, ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପୁରୋଧା ବିଜୟ ଧଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରାୱାଲ ପ୍ରମୁଖ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ମଞ୍ଚକୁ ପାଛୋଟି ନେଇଥିଲେ।
ବିଜୟ ଧଳଙ୍କ ସଂଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟପାଳ ଶ୍ରୀଯୁକ୍ତ ଲାଲଙ୍କୁ ମା’ ବିରଜାଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଭଲିବଲ ପ୍ରତିଯୋଗିତାକୁ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଉଦ୍ଘାଟନ କରିଥିଲେ। ଜିଏସଟି କମିସନର ପ୍ରକାଶ କୁମାର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ ଓ ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/13-19.jpg)