ସପ୍ତାହେ ହେଲା ବିଦ୍ୟୁତ ସେବା ବନ୍ଦ, ମାଲକାନଗିରି ଜିଲ୍ଲା କ୍ରୀଡା ଛାତ୍ରାବାସ ଛାଡି ଚାଲିଗଲେ ଛାତ୍ର

ବାରମ୍ବାର ବିଦ୍ୟୁତ ସେବା ବ୍ୟାହତ ହେଉଥିଲେ ମଧ୍ୟ ପ୍ରଶାସନ ସ୍ଥାଣୁ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା। ଏଠାରେ କ୍ରୀଡାକୁ ଆଗକୁ ବଢାଇବା ପାଇଁ ଜିଲ୍ଲାରେ କ୍ରୀଡା ହୋଷ୍ଟେଲ ନିର୍ମାଣ କରାଯାଇଛି। ପ୍ରତିବର୍ଷ ଏହି କ୍ରୀଡା ହୋଷ୍ଟେଲରୁ ବହୁ ଛାତ୍ରଛାତ୍ରୀ ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରଦର୍ଶନ କରି ପୁରସ୍କୃତ ହୋଇସାରିଛନ୍ତି। ତେବେ ଗତ କିଛି ମାସ ହେଲା ଜିଲ୍ଲା କ୍ରୀଡା ଛାତ୍ରାବାସରେ ବିଦ୍ୟୁତ ସେବା ବ୍ୟାହତ ହୋଇ ଚାଲିଛି। ଏବେ ଗତ ଏକ ସପ୍ତାହ ହେଲା ବିଦ୍ୟୁତ ସେବା ନଥିବାରୁ ପିଲାମାନେ ବହୁ କଷ୍ଟରେ ରାତ୍ରିଯାପନ କରୁଥିଲେ। ଏନେଇ ଗତକାଲି ଛାତ୍ରମାନେ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ଫଳପ୍ରଦ ନହେବାରୁ ଆଜି ଛାତ୍ରମାନେ ହୋଷ୍ଟେଲ ଛାଡି ଘରକୁ ଚାଲିଯାଇଛନ୍ତି।

ବର୍ତ୍ତମାନ ଏହି କ୍ରୀଡା ହୋଷ୍ଟେଲରେ ୨୩ ଜଣ ଛାତ୍ର ରହି ବିଭିନ୍ନ କ୍ରୀଡାର ତାଲିମ ନେଉଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ମାଲକନଗିରି ଏକ ଉତ୍ତପ୍ତ ସହର।ବର୍ତ୍ତମାନ ଗ୍ରୀଷ୍ଣ ପ୍ରବାହ ଧିରେ ଧିରେ ବଢୁଥିବାରୁ ବିଦ୍ୟୁତ ସେବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି। ଦିନବେଳେ ଯେକୌଣସି ପ୍ରକାରେ ପିଲାମାନେ ଚଳିଯାଉଥିଲେ ମଧ୍ୟ ରାତିରେ ଶୋଇବା କାଠିକର ପାଠ ହୋଇଯାଉଛି। ଗୋଟିଏ ପଟେ ମଶାଙ୍କ ଉପଦ୍ରବ ତ ଅନ୍ୟପଟେ ବିଜୁଳି ନଥିବାରୁ ଫ୍ୟାନ ଚାଲୁନଥିବାରୁ ରାତିରେ ଶୋଇବାରୁ ନଥିବା ପିଲାମାନେ କହିଥିଲେ।ବାରମ୍ବାର ତିନି ତିନି ଥର ଏଭଳି ଦୀର୍ଘ ଦିନ ଧରି ବିଦ୍ୟୁତ ସେବା ବ୍ୟାହତ ହେଉଥିବାରୁ ପିଲାମାନେ ନାହିଁ ନଥିବା ହୋଇରାଣ ହେଉଥିବା ଦେଖିବାକୁ ମିଳିଛି।

ତେବେ ଏନେଇ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ତାଂକ ପ୍ରତିକ୍ରିୟା ଏଠାରେ ଦିଆଯାଇପାରି ନାହି।ଜିଲ୍ଲା କ୍ରୀଡା ହୋଷ୍ଟେଲର ବିଦ୍ୟୁତ ବିଲ ବାବଦକୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକା ବକୟା ରହିଥିବାରୁ ବିଭାଗ ବିଦ୍ୟୁତ କାଟ କରିଥିବା ଜଣାପଡିଛି। ଏତେ ଦିନ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ କେଉଁ କାରଣରୁ ନକରିବା ସେନେଇ ସଂଦେହ ଉପୁଜୁଛି।ଜିଲ୍ଲାପାଳ ତୁରନ୍ତ ଏଦିଗରେ ହସ୍ତକ୍ଷେପ କରି ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଛାରଖାର ହେବାରୁ ବଂଚିତ ନକରନ୍ତୁ ବୋଲି କ୍ରୀଡା ବିଶେଷଜ୍ଞମାନେ ମତ ଦେଇଛନ୍ତି।ଏବେ ଜିଲ୍ଲାର ସମସ୍ତ ବ୍ଲକର ଛାତ୍ରମାନେ ହୋଷ୍ଟେଲ ଛାଡି ନିଜ ନିଜ ଗ୍ରାମକୁ ଚାଲିଯାଇଛନ୍ତି। ତୁରନ୍ତ ବିଦ୍ୟୁତ ସେବା ଆରମ୍ଭ କରାଯାଇ ତାଂକୁ ପୁଣି ସେମାନଙ୍କର ନିଜ ନିଜ କ୍ରୀଡାର ତାଲିମ ଦେବାକୁ ଦାବି ହେଉଛି।

 

ସମ୍ବନ୍ଧିତ ଖବର