କ୍ରାଡ଼ା ଓ ଯୁବସେବା ବିଭାଗର ସମୀକ୍ଷା : ଜୁଲାଇ ସୁଦ୍ଧା ହାଇ ପର୍ଫମାନ୍ସ ଏକାଡେମି ନିର୍ଦେଶକ ନିଯୁକ୍ତି

୬୦ଜଣ କୃତୀ କ୍ରୀଡ଼ାବିତ୍‌ଙ୍କୁ ପୁଲିସ ବିଭାଗରେ ନିଯୁକ୍ତି, ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି

ଭୁବନେଶ୍ୱର : ବିଗତ ଦିନରେ ଓଡ଼ିଶାରେ ଅନେକ ଜାତୀୟ, ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ନଭେମ୍ବର ୨୮ରୁ ପୁରୁଷ ବିଶ୍ୱ କପ୍‌ ହକି, ସେପ୍ଟେମ୍ବରରେ ଜାତୀୟ ସିନିୟର ଆଥ୍‌ଲେଟିକ୍ସ, ଅକ୍ଟୋବରରେ ଏସୀୟ ମହିଳା ରଗ୍‌ବି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ସଫଳତା ଅର୍ଜନ ପାଇଁ ଆଇଏଏଏଫ୍‌ ସହାୟତାରେ ହାଇ ପର୍ଫମାନ୍ସ ଏକାଡେମି ଗଠନ କରାଯାଇଛି। ଆଗାମୀ ଜୁଲାଇ ସୁଦ୍ଧା ଏହାର ନିର୍ଦେଶକ ପଦବି ପୂରଣ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ୍‌ ଦେବ କହିଛନ୍ତି।

ଆଜି ବିଭାଗୀୟ ସଫଳତା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଲେ, ଗତବର୍ଷ ଅନୁଷ୍ଠିତ ଯୁବ ଉତ୍ସବରେ ପ୍ରାୟ ୧.୫ ଲକ୍ଷ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ୨୦୧୭ରେ ଆୟୋଜିତ ୨୨ତମ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌, ଜନଜାତି କ୍ରୀଡ଼ା ପ୍ରଭୃତି ରାଜ୍ୟର ଉଲ୍ଲେଖନୀୟ ସଫଳତା। ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ଏକାଡେମିମାନ ପ୍ରତିଷ୍ଠା କରାଯାଇଛି। ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ଉଚ୍ଚତର ତାଲିମ ଏବଂ ପ୍ରଶିକ୍ଷଣ ନାମରେ ଏକ ଯୋଜନା ହୋଇଛି। ଏଥିରେ ୧୮ଜଣ କ୍ରୀଡ଼ାବିତ୍‌ଙ୍କୁ ୮୧.୭୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୬୦ଜଣ କୃତି କ୍ରୀଡ଼ାବିତ୍‌ଙ୍କୁ ପୁଲିସ ବିଭାଗରେ ନିଯୁକ୍ତି ଦିଆଯାଇଛି। କେ.ରବିକୁମାରଙ୍କୁ ଡିଏସ୍‌ପି ପାହ୍ୟାରେ ଅବସ୍ଥାପିତ କରାଯାଇଥିବା ବେଳେ ଶ୍ରୀବଣୀ ନନ୍ଦ ଓ ଦୂତୀ ଚାନ୍ଦଙ୍କୁ ଯଥାକ୍ରମେ ଓଏଚ୍‌ପିସି ଏବଂ ଓଏମ୍‌ସିରେ ନିଯୁକ୍ତି ଦିଆଯାଇଛି। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ରାଜ୍ୟରେ ଅନ୍ୟୂନ ୮ ହଜାର ବିଜୁ ଯୁବବାହିନୀ ଗଠନ କରାଯିବ। ଏଥିରେ ୪ ଲକ୍ଷ ଯୁବକ ଯୁବତୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ୪୫୦ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏହାଛଡ଼ା ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର