କ୍ରୀଡାର ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ପାଇଲା ‘ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ’

ଭୁବନେଶ୍ୱର : କ୍ରୀଡାର ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ‘ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ’ରେ ସମ୍ମାନିତ ହେଲା ଓଡ଼ିଶା। ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ବିଶ୍ୱ ଚେସ୍ ଚମ୍ପିୟାନ୍ ବିଶ୍ୱନାଥନ ଆନନ୍ଦ । ତେବେ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ ପରେ ନିଜ ଅଭିଭାଷଣରେ କହିଛନ୍ତି ଯେ, ମୁଁ ଭାବୁଛି, ଆଲମ୍ପିକ ପଦକ ମଞ୍ଚରେ ଭାରତୀୟ ଜାତୀୟ ସଂଗୀତ ବାଦନ ପାଇଁ ଆମକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ହେବ ନାହିଁ । ଏହି ସ୍ବୀକୃତି ପାଇଁ ସମ୍ମାନନୀୟ ଜୁରୀମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ସାଧାରଣତଃ ମନ୍ତ୍ରୀମାନେ କ୍ରୀଡା ପୁରସ୍କାର ପ୍ରଦାନ କରୁଥିବା ଦେଖାଯାଇଥାଏ। କିନ୍ତୁ ଆଜି ହେଉଛି ଏକ ବ୍ୟତିକ୍ରମ। ଆଜି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଯେ ମୁଁ ଏଠାରେ କ୍ରୀଡା ପାଇଁ ପୁରସ୍କାର ଗ୍ରହଣ କରୁଛି। ଦେଖନ୍ତୁ, ରାଜନୀତି କ୍ରୀଡା ଠାରୁ ବିଶେଷ ଅଲଗା ନୁହେଁ। ଆମକୁ ଦୌଡିବା, ଡେଇଁବା, ଧରିବା, ଫୋପାଡିବା ଆଦି ସବୁକିଛି କରିବାକୁ ପଡିଥାଏ। ବେଳେ ବେଳେ ଆପଣ ଜାଣିପାରିବେ ନାହିଁ, ଆପଣ କେଉଁ ଦିଗରେ ଦୌଡୁଛନ୍ତି। ବେଳେ ବେଳେ ଆପଣ ଫୋପାଡିବେ ଏବଂ ବେଳେ ବେଳେ ଅନ୍ୟମାନେ ଆପଣଙ୍କୁ ଫୋପାଡି ଦେବେ।

ଖେଳ ଜିତିବା ପାଇଁ ଆପଣଙ୍କ ନିଷ୍ଠାପରତା ଆପଣଙ୍କୁ ବିଜୟ ମୁକୁଟ ଦେବ। କିନ୍ତୁ ଖେଳ ପାଇଁ ଆପଣଙ୍କ ନିଷ୍ଠାପରତା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ କରି ପ୍ରତିଷ୍ଠିତ କରାଇବ। ରାଜନୀତିରେ ମଧ୍ୟ ଏକା କଥା । ପ୍ରତିଯୋଗିତା ମନୋଭାବ ହିଁ ଉଭୟ କ୍ଷେତ୍ରରେ ସଫଳତାର ମାନକ। ଏଭଳି ମନୋଭାବ ବ୍ୟତିରେକ ଆମେ ବଡ ବଡ ସଫଳତା ହାସଲ କରିପାରିବା ନାହିଁ । ଏହି ବିଷୟରେ ଏକ ସୁନ୍ଦର ଉଦାହରଣ ମୁଁ ଦେବାକୁ ଚାହେଁ।

ଆମେ ନିଷ୍ପତ୍ତି କଲୁ, ଯେ ଓଡିଶାରେ ସବୁ କଚା ଘରକୁ ଆମେ ପକ୍କା ଘରରେ ପରିଣତ କରିବୁ। ସାଧାରଣତଃ ଆମେ ୫ ବର୍ଷରେ ୫ ଲକ୍ଷ ଘର ନିର୍ମାଣ କରୁଥିଲୁ। ତେଣୁ ୫ ବର୍ଷରେ ୨୦ ଲକ୍ଷ ଘର ତିଆରି କରିବା ଆମ ପାଇଁ ଏକ ଆହ୍ବାନ ଥିଲା। ଏଥିପାଇଁ ଆମର ଫଳପ୍ରଦ କୌଶଳ ହେଲା, ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା। ସଫଳ ଜିଲ୍ଲାମାନଙ୍କୁ ସ୍ବୀକୃତି, ପ୍ରତିଯୋଗିତାକୁ ଆହୁରି ଜୋରଦାର କଲା। ଫଳସ୍ବରୂପ, ଆମେ ନିର୍ଦ୍ଦିଷ୍ଟ ସମୟରେ ରେକର୍ଡ ସଂଖ୍ୟକ ୨୦ ଲକ୍ଷ ଲୋକଙ୍କୁ ଆଶ୍ରୟ ନିରାପତ୍ତା ଦେଇପାରିଲୁ। କ୍ରୀଡାର ବିକାଶ ପାଇଁ ଏଭଳି ପୁରସ୍କାର ଆରମ୍ଭ କରିଥିବାରୁ, ଆଜି ମୁଁ ହିନ୍ଦୁ ଖବର କାଗଜକୁ ଅଭିନନ୍ଦନ ଜଣାଉଛି। ଏହା କ୍ରୀଡାର ବିକାଶ ପାଇଁ ରାଜ୍ୟମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିବାରେ ସଫଳ ହେବ। ମିଃ ରାମ, ମୁଁ ଆଶା କରୁଛି, ଆଗାମୀ ଦିନରେ ପ୍ରତିଯୋଗିତା ଅଧିକ ତୀବ୍ର ହେବ।

ସମ୍ବନ୍ଧିତ ଖବର