ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ା ପୋଲ ନିକଟରେ ନିଶା ସ୍ପ୍ରେ କରି ଜଣେ ଯୁବକଙ୍କ ନିକଟରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି। ରାସ୍ତା କଡ଼ରେ ଏକ ସ୍କୁଟି ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ଏହି ଯୁବକ ବଲେଶ୍ବର ଅଞ୍ଚଳର ପ୍ରଭାକର ବେହେରା। ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଏସ୍ଆଇ ଅଶୋକ କୁମାର ବଳ ପହଞ୍ଚି ଅଚେତ ଯୁବକଙ୍କୁ ପାଣିକୋଇଲି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସ୍ବାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ନହେବାରୁ ପାଟ୍ରୋଲିଂ ଗାଡ଼ିରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। କିଛି ସମୟ ପରେ ତାଙ୍କର ଚେତା ଫେରିଥିଲା। ସମ୍ପୃକ୍ତ ଯୁବକ କଟକ ବଡ଼ ଡାକ୍ତରଖାନା କ୍ୟାଣ୍ଟିନରେ କାମ କରନ୍ତି। ଆଜି ଦରମା ନେଇ ନିଜ ସ୍କୁଟିରେ ଘରକୁ ଫେରୁଥିବା ବେଳେ କୌଣସି ଦୁର୍ବୃ୍ତ୍ତ ତାଙ୍କୁ ନିଶା ପକାଇ ଲୁଟି ନେଇଥିବା ସନ୍ଦେହ କରାଯାଉଛି। ତାଙ୍କ ନିକଟରେ ଥିବା ମାସକର ଦରମା ୨୨ ହଜାର ଟଙ୍କା ଓ ମୋବାଇଲ ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ପାଟ୍ରୋଲିଂ ଏସ୍ଆଇ ଶ୍ରୀ ବଳ ତାଙ୍କ ପରିବାର ସହ ମଧ୍ୟ ଯୋଗାଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/5-13.jpg)