ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ନିଆଁ କୋରାପୁଟ ଜିଲ୍ଲା ଡେଇଁ ଆଜି ସମଗ୍ର ରାଜ୍ୟକୁ ବ୍ୟାପିଯାଇଛି। ଏମିତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଉଗ୍ର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ରାଜଧାନୀ ରାଜରାସ୍ତାରେ ବିଜେପି-ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଉଭୟ ପକ୍ଷ ରକ୍ତାକ୍ତ ହୋଇଛନ୍ତି। କଂଗ୍ରେସ ବି ରାଜଧାନୀର ଏକାଧିକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି।କୁନ୍ଦୁଲି ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଆସନ୍ତାକାଲି ଉଭୟ କଂଗ୍ରେସ ଓ ବିଜେପି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ତେବେ ଏହି ସମୟରେ ଛାତ୍ରଛାତ୍ରୀମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ ଓ କଲେକ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହିତ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସମଗ୍ର କୁନ୍ଦୁଲି ଘଟଣାରେ ପୁଲିସ ବିଭାଗର ନିଷ୍କ୍ରିୟତା ଓ ବେପରୁଆ ମନୋଭାବକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ନିର୍ଦୟ ପ୍ରଶାସନ, ବେଫିକର ସରକାର ଓ ସୁବିଧାବାଦ ରାଜନୀତିକୁ ନେଇ ବୁଦ୍ଧିଜୀବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ଏହି ମାମଲାରେ ଠୋସ୍ କି କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ସରକାର ଏଯାଏ ସ୍ଥିର କରିପାରୁନାହାନ୍ତି। ବିଚାର ବିଭାଗୀୟ କମିସନର ତଦନ୍ତ ପରିସୀମା ବୃଦ୍ଧି କରିବା ଲାଗି ବିଚାର ଚାଲିଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସ୍ଥିତି ଅନୁଧ୍ୟାନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି। ହେଲେ କାହାର ଦାୟିତ୍ୱହୀନତା ଲାଗି ଗୋଟିଏ ନିରୀହ ଆଦିବାସୀ ଝିଅର ଜୀବନ ଗଲା, କାହାର ବେଫିକର ପଣିଆ ଖାକି ପୋଷାକରେ କଳଙ୍କର ଚିହ୍ନ ଲଗାଇଲା, କିଏ ପୀଡ଼ିତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ବା ସେଯାଏ ଟାଣିନେଲା, ଏସବୁକୁ ଖୋଜିବା ଲାଗି ସରକାର କୌଣସି ଆଗ୍ରହ ଏଯାଏ ଦେଖାଇଥିବାର ମନେହେଉନାହିଁ।
ଏହି ପ୍ରସଙ୍ଗରେ ଖୋଦ୍ ବିଜେଡି ଭିତରରୁ ବି ସରକାରକୁ ବିଶେଷ ସମର୍ଥନ ମିଳିପାରିନାହିଁ। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗଣମାଧ୍ୟମକୁ କହିଛନ୍ତି, ଏହା ସମାଜ ଓ ଶାସନ ପାଇଁ କଳଙ୍କ। ଆଦିବାସୀ ଛାତ୍ରୀ କାହିଁକି ମିଛ କହିବେ? ଯଦି ତାଙ୍କୁ ଦୁଷ୍କର୍ମ ହୋଇନଥିଲା ତେବେ କାହିଁକି ମେଡିସିନ୍ ଦିଆଯାଉଥିଲା? ଡାକ୍ତର ରାଉତ ଆହୁରି କହିଛନ୍ତି, ତଦନ୍ତ ନେଇ ତାଙ୍କର ସନ୍ଦେହ ରହିଛି। ଖୋର୍ଦ୍ଧା ଶିକ୍ଷୟିତ୍ରୀ ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୁଲିସ ଧରି ପାରିଲା। କିନ୍ତୁ ୧୦୦ଦିନ ହେଲାଣି କୁନ୍ଦୁଲି ଅଭିଯୁକ୍ତକୁ ଧରି ନପାରି ପୁଲିସ୍ କଣ କରୁଛି ବୋଲି ସେ ପ୍ରଶ୍ନ କରିବା ସହିତ ଅଭିଯୁକ୍ତଙ୍କୁ ଧରି ଉପଯୁକ୍ତ ଦଣ୍ଡଦେଲେ ପୀଡ଼ିତାର ଆତ୍ମା ଶାନ୍ତି ପାଇବ ବୋଲି ଡାକ୍ତର ରାଉତ କହିଛନ୍ତି।
ସମାନ୍ତରାଳଭାବେ କୁନ୍ଦୁଲି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଓ ବ୍ୟବସ୍ଥା ବିରୋଧରେ ହୁଂକାର ପାଇଁ ବିରୋଧୀ ଦଳର ସଜବାଜ ଆରମ୍ଭ ହୋଇଛି। କୁନ୍ଦୁଲି ଆତ୍ମହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରି ଆସନ୍ତାକାଲି ଉଭୟ କଂଗ୍ରେସ ଓ ବିଜେପି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଆଜି ପୂର୍ବାହ୍ନରେ ବିଜେପି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚକଅଖ ବନ୍ଦ ରଖିବ ବୋଲି ଘୋଷଣା କରିଥିଲା। ଅପରାହ୍ନରେ କଂଗ୍ରେସର ବନ୍ଦ ରଣନୀତି ଦେଖି, ବିଜେପି ଘଣ୍ଟାଏ ପରେ ନିଷ୍ପତ୍ତି ବଦଳାଇଛି ଯେ ସେ ବି ସମଗ୍ର ଓଡ଼ିଶାରେ ୧୨ ଘଣ୍ଟିଆ ହରତାଳ କରିବ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ସବୁକିଛି ଠପ୍ କରିଦେବେ ବିରୋଧୀ।
ବିରୋଧୀଙ୍କ ଉଗ୍ର ପ୍ରତିବାଦ, ବିକ୍ଷୋଭ ଜାରି
କଂଗ୍ରେସ, ବିଜେପିର ୧୨ଘଣ୍ଟିଆ ବନ୍ଦ ଆଜି
ଆଜି ସମସ୍ତ ସ୍କୁଲ, କଲେଜ ବନ୍ଦ
ଏହି ୧୨ ଘଣ୍ଟିଆ ବନ୍ଦକୁ ସଫଳ କରିବା ପାଇଁ ଆଜି ଏକ ପ୍ରେସ ବିଜ୍ଞପ୍ତିରେ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ନିବେଦନ କରିଛନ୍ତି। କଂଗ୍ରେସ କହିଛି, ବିଜେଡି ସରକାର ଗାଁକୁ କାମ, ମା’କୁ ସମ୍ମାନର ନାରା ଦେଉଥିବା ବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯାତନା, ହତ୍ୟା, ଦୁଷ୍କର୍ମ ବଢିଚାଲିଛି। ରାଜ୍ୟର ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ରଖିଥିଲେ ହେଁ ନାରୀ ନିର୍ଯାତନାର ସଠିକ୍ ଅନୁସନ୍ଧାନ ଓ ନିର୍ଯାତିତାକୁ ନ୍ୟାୟ ପ୍ରଦାନରେ ସେ ବିଫଳ ହୋଇଛନ୍ତି। କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ବେସାହାରା ହୋଇ ଆତ୍ମହତ୍ୟା କରିଛନ୍ତି। ପୂର୍ବରୁ ପିପିଲି ବେବିନା ବେହେରା, ଟିକିରିର ଇତିଶ୍ରୀ ପ୍ରଧାନ ଓ ଆହୁରି ଅନେକ ମହିଳା ଦୁଷ୍କର୍ମ ଶିକାର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେଇନାହାନ୍ତି। ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ବିଜେଡ଼ି ନେତାଙ୍କ ଦ୍ୱାରା ମହିଳା ଦୁଷ୍କର୍ମର ଶିକାର ହୋଇଛି। ଏସବୁ ଘଟଣାରେ ରାଜ୍ୟ ସରକାରଙ୍କ ବେଖାତିର ମନୋଭାବକୁ ନିନ୍ଦା କରିବା ସହିତ ବନ୍ଦ ସଫଳ ଲାଗି କଂଗ୍ରେସ ନିବେଦନ କରିଛି। ଦଳ ଏକଥା ବି ଜଣାଇଛି ଯେ ଜରୁରୀକାଳିନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅଫିସ୍, ବ୍ୟାଙ୍କ ବନ୍ଦ ରଖିବାକୁ ନିବେଦନ କରାଯାଇଛି। ସେହିଭଳି ଘରୋଇ ବସ ଏବଂ ଟ୍ରକ ମାଲିକ ସଂଘ ସମସ୍ତ ଯାନବାହାନ ଯାତାୟତକୁ ବନ୍ଦ ରଖି ଓଡ଼ିଶା ବନ୍ଦକୁ ସହଯୋଗ କରିବାପାଇଁ ନିବେଦନ କରାଯାଇଛି। ସେପଟେ ବିଜେପି ବି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତାମାନେ ଗର୍ଜନ କରିଛନ୍ତି। ବିଜେପି ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, କୁନ୍ଦୁଲି ନାବାଳିକା ଗଣଦୁର୍ଷ୍କମର ଶିକାର ହେବାର ୧୦୦ ଦିନ ପରେ ନ୍ୟାୟ ନପାଇ ନିଜ ଜୀବନକୁ ବଳିଦାନ ଦେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତକାଲିର ଏହି ଘଟଣା ଓଡିଶା ଇତିହାସରେ ଏକ କଳଙ୍କିତ ଦିନ ଭାବେ ଆଗାମୀ ପିଢିଙ୍କ ଆଗରେ ଚିତ୍ରିତ ହେବ । ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାଯ୍ୟର୍କର୍ତାମାନେ ଏକାଠି ହୋଇ ପୀଡିତାକୁ ନ୍ୟାୟ ଦେବା ପାଇଁ ଲଢେଇ ଜାରି ରଖିଛନ୍ତି । ଆଜି ଶାନ୍ତିପୂର୍ଣ୍ଣଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଉଥିବା ସମୟରେ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।
ବିଜେପି ଅଭିଯୋଗ କରିଛି, ପୀଡିତାକୁ ଆତ୍ମହତ୍ୟା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସରକାର ବାଧ୍ୟ କରିଛି। ଏହା ଏକ ସରକାରୀ ପ୍ରାୟୋଜିତ ହତ୍ୟା। ଆଇପିସିର କଲପେବୁଲ ହୋମିସାଇଡ ଆଇନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦୋଷୀ ହେବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନବାଚୀ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଏହି ଅବସରରେ ବିଜେପି କହିଛି, କୁନ୍ଦୁଲି ପୀଡ଼ିତାକୁ ନ୍ୟାୟ ଦାବିରେ ଦଳ ସାରା ରାଜ୍ୟରେ ୧୨ ଘଣ୍ଟିଆ ହରତାଳ କରିବ। ହରତାଳରେ ଅତ୍ୟାବଶ୍ୟକ ଜିନିଷକୁ ଛାଡି ଦୋକାନ ବଜାର, ଅଖଚକ ସବୁ ବନ୍ଦ ରହିବ । ଆସନ୍ତାକାଲି ଯେଉଁମାନଙ୍କର ପରୀକ୍ଷା ରହିଛି ସେହି ପରୀକ୍ଷାର୍ଥୀମାନେ ନିଜର ପରିଚୟ ପତ୍ର ଓ ଆଡମିଟ୍କାର୍ଡ ଦେଖାଇଲେ ସେମାନଙ୍କୁ ଛାଡ କରାଯିବ ବୋଲି କାଯ୍ୟର୍କର୍ତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/m16-2.jpg)