ନବ ଜୀବନର ବସନ୍ତ ମହୋତ୍ସବ: ଦର୍ଶକଙ୍କୁ ମୋହିଲା ନାଟକ ‘ମାମୁ’ ଓ ‘ଦିନ’

ସୁନ୍ଦରଗଡ଼: ମା’ ଅନ୍ତେ ଯିଏ ପୁଅଝିଅକୁ ଅଧିକ ସ୍ନେହ ଦିଏ, ସିଏ ହେଉଛନ୍ତି ମାମୁ।  ପୁରାଣ ଯୁଗରେ ଜଣେ ଥିଲେ କଂସ ମାମୁ, ଅନ୍ଯ ଜଣେ ଥିଲେ ଶକୁନି ମାମୁ। ଏ ଦୁଇ ନକାରାତ୍ମକ ଚରିତ୍ରକୁ ନେଇ ଥରି ଉଠୁଥିବା ମଣିଷ ପାଖରେ ଆଉ ଜଣେ ସ୍ନେହ, ପ୍ରେମରେ ଭିଜାଉଥିବା ମାମୁ ବି  ଅଛନ୍ତି। ସିଏ ହେଲେ ସମସ୍ତଙ୍କ ପ୍ରିୟ ଜହ୍ନମାମୁ। ସମସ୍ତଙ୍କୁ ସମାନ ରୂପରେ ଭଲ ପାଉଥିବା ଏକ ନିଆରା ଚେହେରା। ତେଣୁ ତାକୁ ମଧ୍ଯ ସମସ୍ତେ ଖୋଜନ୍ତି, ଭଲ ପାଆନ୍ତି। ଯିଏ ସମସ୍ତଙ୍କୁ ଆପଣେଇ ନିଏ, ସିଏ ସମସ୍ତଙ୍କର ଆପଣାର ହୋଇଯାଏ।ଏହି ବାର୍ତ୍ତା ନେଇ  ସ୍ଥାନୀୟ ମାଦ୍ରିକାଲୋ ଭବନ ବା ନାରୀକଲ୍ୟାଣ କେନ୍ଦ୍ରରେ ଓଡ଼ିଶାର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ନବଜୀବନ’ ପକ୍ଷରୁ ଆୟୋଜିତ ‘ବସନ୍ତ ମହୋତ୍ସବ’ର ନାଟକ ସନ୍ଧ୍ୟାରେ ପ୍ରଥମେ ମଞ୍ଚସ୍ଥ ହୋଇଯାଇଛି ନାଟକ ‘ମାମୁ’ ।

ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଦୀପ ଭୋଳଙ୍କ ରଚିତ  ହୃଦୟସ୍ପର୍ଶୀ ନାଟକ ମାମୁଁରେ ପ୍ରାଣସ୍ପର୍ଶୀ ଅଭିନୟ କରିଥିଲେ ‘ନବଜୀବନ’ର ସୁପରିଚିତ କଳାକାର ବିଜୟ ମହାରଣା, ଲକ୍ଷ୍ମୀପ୍ରିୟା ପତି, ଲତିକା ପଟ୍ଟନାୟକ, ଅନିଲ ପଟେଲ, ମନୋଜ ମହାରଣା, ଅଙ୍କିତା ବାରିକ ଓ ଲିନା ସାହୁ। ନାଟକର ଗୀତ ରଚନା କରିଥିଲେ ଦୁର୍ଗାମାଧବ ପଣ୍ଡା ଓ ସଂଗୀତ ଦେଇଥିଲେ ରୀତା ସାହୁ। ସଂଗୀତରେ ସହଯୋଗ କରିଥିଲେ ଲିଙ୍ଗରାଜ ପଟ୍ଟା, ସୁରେଶ ଜୟପୁରିଆ, ଆନନ୍ଦ ଜାଲ, ଯୋଗମାୟା ମିଶ୍ର।  ମଞ୍ଚ ସଜାଇଥିଲେ ଦେବେନ ଅମାତ, ଅଶ୍ବିନୀ ପଟେଲ ଓ  ଆଲୋକରେ ଥିଲେ ସାନୁ ସ୍ବାଇଁ ।

ନାଟକ ପରିଚାଳନା କରିଥିଲେ କୁମୁଦ ପଣ୍ତା, ମନୋ‌ରଞ୍ଜନ ଦାସ, ବିପିନ, କୁଳମଣି ମିଶ୍ର ଓ ଉଦୟ ଠାକୁର। ସେହିପରି ପ୍ରଦୀପ ଭୋଳଙ୍କ ଦ୍ବିତୀୟ ନାଟକ ‘ଦିନ’ରେ ସମୟର କଥା କୁହାଯାଇଛି। ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ସମୟ ଆସିଥାଏ। ଯାହା ଜୀବନର ମୋଡ଼ ବଦଳାଇ ଦେଇଥାଏ। ଏହି ବାର୍ତ୍ତାର ନାଟକ ‘ଦିନ’ର ନିର୍ଦ୍ଦେଶନା ଦେଇଥିଲେ ସୁନାମଧନ୍ୟ ନିର୍ଦ୍ଦେଶକ ପ୍ରଦୀପ ପଣ୍ଡ। ନାଟକରେ ନିଖୁଣ ଅଭିନୟ କରିଥିଲେ ସମ୍ବଲପୁରର ନାଟ୍ଯ ସଂସ୍ଥା ମଞ୍ଚ ନାୟକର  କଳାକାର ପ୍ରଦୀପ ପଣ୍ଡା ଓ ସୁରେଶ ତ୍ରିପାଠୀ, କୁନା, ମମତା ଓ ଅଶ୍ବିନୀ ବଡ଼ପଣ୍ଡା। ଦେବେନ ଅମାତଙ୍କ ଗୀତକୁ ସଂଗୀତରେ ସଜାଇଥିଲେ ରୀତା ସାହୁ।

ନାଟକ ପରିଚାଳନା କରିଥିଲେ କୁମୁଦ ପଣ୍ଡା। ମହୋତ୍ସବର   ଅତିଥି ଭାବେ  ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ଯକ୍ଷା ତନୟା ମିଶ୍ର,  ଉପାଧ୍ଯକ୍ଷ ଲଲାଟେନ୍ଦୁ ପରିଡା,  ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଓଡିଶା ସଂଗୀତ ନାଟକ ଏକାଡେମି ସମ୍ପାଦକ ପ୍ରବୋଧ ରଥ, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ନାଏକ ପ୍ରମୁଖ ଯୋଗ ଦେଇ  ଶୁଭାରମ୍ଭ କରିଥିଲେ। ପ୍ରଦୀପ ଭୋଳଙ୍କ ସଭାପତିତ୍ବରେ ଉଦଘାଟିତ ଉତ୍ସବରେ ନବଜୀବନର ସମ୍ପାଦକ ଅଜୟ କୁମାର ବହିଦାର, ନରେନ୍ଦ୍ର ପ୍ରଧାନ, ବିଶ୍ବରଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଧିରେ ଧିରେ ଲୋପ ପାଇବାକୁ ବସିଥିବା ନାଟକର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ନାଟକ ସନ୍ଧ୍ୟାରେ ସୁନ୍ଦରଗଡ଼ ସାଂସ୍କୃତିକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ଅମାତ, ନିର୍ଦ୍ଦେଶକ ପ୍ରଦୀପ ପଣ୍ଡା ଓ ପୂର୍ବତନ ଆଲୋକସଜ୍ଜା ବିଶେଷଜ୍ଞ ଟୁଲୁ ଲୁଗୁନଙ୍କୁ ନବଜୀବନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।  ଏହି ନାଟକ ସନ୍ଧ୍ୟା ଦେଖିବାକୁ ନାରୀ କଲ୍ଯାଣ କେନ୍ଦ୍ରରେ  ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର