ଦେବେନ୍ଦ୍ର କୁମାର ବିଶି
ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନରେ ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ବିରୋଧରେ ଦଳ ଭିତରେ ଯୁଦ୍ଧଂ ଦେହି ଡାକରା ଦେବା ଘଟଣା ରାଜନୀତି ମହଲରେ ରୋଚକ ମୋଡ଼ ଆଣିଛି। ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ସୁନୀତି ମୁଣ୍ଡ ଓ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ପ୍ରମୁଖ ଦିଲ୍ଲୀ ଯାଇ ବସନ୍ତ ପଣ୍ଡାଙ୍କ ବିରୋଧରେ ଦଳର ତୁଙ୍ଗ ନେତୃବୃନ୍ଦଙ୍କ ପାଖରେ ଫେରାଦ ହୋଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବସନ୍ତଙ୍କ ପ୍ରାର୍ଥିତ୍ବ ନେଇ ଦଳୀୟ ନେତାମାନେ ବାଟ ଓଗାଳିବା ଘଟଣା ରାଜନୀତି ପାଣିପାଗରେ ଉଷ୍ମତା ଆଣିଦେଇଛି। ୨୦୧୯ରେ ବସନ୍ତ ପଣ୍ଡା ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ୨୦ ହଜାରରୁ ଊର୍ଦ୍ଧ୍ବ ଭୋଟ୍ରେ ପରାଜିତ କରିଥିଲେ। ବିଜେପି ସାଂସଦ ପ୍ରାର୍ଥୀ ପାଇଁ ପ୍ରଦୀପ୍ତ ନାଏକ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଶେଷ ମୁହୂର୍ତ୍ତରେ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ପ୍ରଦୀପ୍ତ ବିଜେଡିରେ ଯୋଗ ଦେବା ପାଇଁ କସରତ ଆରମ୍ଭ କରିଥିଲେ। ତେବେ ବିଜେପିର ନେତୃବୃନ୍ଦ ତାଙ୍କୁ ଦଳ ନଛାଡ଼ିବା ପାଇଁ ଅନୁରୋଧ କରିଥିଲେ।
ବର୍ତ୍ତମାନ ବସନ୍ତ ନିଜର ଏକ ସମାନ୍ତରାଳ ଗୋଷ୍ଠୀ ତିଆରି କରି ପ୍ରଦୀପ୍ତ ନାଏକଙ୍କ ଗୋଷ୍ଠୀକୁ ଚ୍ୟାଲେଞ୍ଜ ଦେଉଛନ୍ତି। ପ୍ରଦୀପ୍ତଙ୍କ ଅସୁସ୍ଥତା ଜନିତ ଅନୁପସ୍ଥିତିର ଫାଇଦା ଉଠାଇ ବସନ୍ତ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ ନିଜର ପତିଆରା ଜାହିର କରିଛନ୍ତି। ତେବେ, ବିଜେପିର ବହୁ ତୁଙ୍ଗନେତାଙ୍କୁ ଅଣଦେଖା କରୁଥିବା ଯୋଗୁଁ ତାଙ୍କୁ ଚେକ୍ମେଟ ଦେବା ପାଇଁ ଦଳରେ ବିଭିନ୍ନ ଗୋଷ୍ଠୀ ବାଟ ଓଗାଳିବାରେ ଲାଗିଛନ୍ତି। କିଛି ଦିନ ତଳେ କଳାହାଣ୍ଡି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଭାରତ ଭୂଷଣ ଦେଓ ଓ ଜନାର୍ଦ୍ଦନ ପଣ୍ଡା ଏକାଠି ମିଶି ଦିଲ୍ଲୀ ଯାଇଥିଲେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ବହୁ ଜାତୀୟସ୍ତରର ନେତାଙ୍କୁ ଭେଟି ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ଫେରାଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସାଂସଦ ପ୍ରାର୍ଥୀ କରିବାକୁ ଅନୁରୋଧ କରିଥିଲେ। କଳାହାଣ୍ଡି ବିକାଶ ପରିଷଦ ନାମରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଭୁବନେଶ୍ବର ମେୟର ପଦବିରେ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ସାଂସଦ ପ୍ରାର୍ଥୀ ଭାବରେ ନିଜକୁ ଉପସ୍ଥାପିତ କରି ରାଜ୍ୟ ଓ ଜାତୀୟସ୍ତରର ନେତାଙ୍କୁ ଭେଟି ତାଙ୍କ ପ୍ରାର୍ଥିତ୍ବ ପାଇଁ ଲବି କରୁଛନ୍ତି। ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦେବଜ୍ୟୋତି ମୁଣ୍ଡ ଯୁବନେତୃତ୍ବ ଭାବରେ ଜାତୀୟସ୍ତରରେ ବସନ୍ତ ପଣ୍ଡାଙ୍କୁ ଚେକ୍ମେଟ୍ ଦେଇ ଟିକେଟ୍ ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ଅନୁମତି ଦେଲେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ସାଂସଦ ଭାବରେ ଟିକଟ୍ ପାଇଁ ଜାତୀୟସ୍ତରର ନେତାଙ୍କୁ ଅନୁରୋଧ କରିବେ ବୋଲି ନିଜ ସମର୍ଥକଙ୍କୁ ସୂଚନା ଦେବା ପରେ ବିଜେପି ରାଜନୀତିରେ ନୂଆମୋଡ଼ ଆଣିଛି। ଆଗକୁ ବସନ୍ତଙ୍କୁ ନେଇ ବିଜେପି କଣ ରଣନୀତି କରୁଛି ତାହା ଦେଖିବା ବାକି ରହିଛି।