କଟକ : ଆମ୍ବୁଲାନ୍ସରେ ବୁହାଯାଉଛି ସ୍ପିରିଟ୍, ଡିଜେଲ; ଶିଶୁଭବନରେ କୋଟିଏ ଟଙ୍କାର ଗାଡ଼ି ବରବାଦ

କଟକ : ଶିଶୁଭବନକୁ ଆଇଓସିଏଲ୍ ଏବଂ ସାଂସଦ ପାଣ୍ଠିରୁ ଦିଆଯାଇଥିବା ଦୁଇଟି ଅତ୍ୟାଧୁନିକ ଆମ୍ବୁଲାନ୍ସରେ ବୁହାଯାଉଛି ସ୍ପିରିଟ୍ ଏବଂ ଡିଜେଲ୍। ଢେଙ୍କାନାଳରୁ ହସପିଟାଲ ପାଇଁ ସ୍ପିରିଟ୍ ବୁହାଯାଉଥିବା ବେଳେ ପୁରୀଘାଟସ୍ଥିତ ସିଏମସି ପେଟ୍ରୋଲ ପମ୍ପରୁ ଡିଜିଟାଲ ଜେନେରେଟର(ଡିଜି) ପାଇଁ ଡିଜେଲ୍ ବୋହୁଛି ହାଇଟେକ୍ ଆମ୍ବୁଲାନ୍ସ। ମହାପ୍ରୟାଣ ଗାଡ଼ି ଅବସ୍ଥା ଆହୁରି ସଂଗିନ। ଡ୍ରାଇଭର ନଥିବାରୁ ଖତ ଖାଉଛି। ଶିଶୁରୋଗୀଙ୍କ ପାଇଁ ଶିଶୁଭବନକୁ ଯୋଗାଇ ଦିଆଯାଇଥିବା ଏହି ତିନୋଟି ଗାଡ଼ିର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହେବ।

ସୂଚନା ଅନୁଯାୟୀ, ଜଗତସିଂହପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗଲା ୨୦ ବର୍ଷ ତଳେ ଜଣେ ଡ୍ରାଇଭର ଡେପୁଟେସନରେ ଶିଶୁଭବନକୁ ଆସିଥିଲେ। ସେ ସମୟରେ ମ୍ୟୁନିସିପାଲିଟି ପକ୍ଷରୁ ଦିଆଯାଇଥିବା ଆମ୍ବୁଲାନ୍ସକୁ ସେ ଚଳାଉଥିଲେ। ୧୫ ବର୍ଷ ତଳେ ସେହି ଆମ୍ବୁଲାନ୍ସ ନିଲାମ ହୋଇଯାଇଥିଲା। ପରେ ସାଂସଦଙ୍କ ପାଣ୍ଠିରୁ ଆଉ ଗୋଟିଏ ଅତ୍ୟାଧୁନିକ ଆମ୍ବୁଲାନ୍ସ ଶିଶୁ ଭବନକୁ ଆସିଲା। ସେହି ଗାଡ଼ିକୁ ସମ୍ପୃକ୍ତ ଡ୍ରାଇଭର୍ ଚଲାଉଥିଲେ। ସେଥିରେ କିନ୍ତୁ ହସପିଟାଲ୍ ପାଇଁ ଢେଙ୍କାନାଳରୁ ନିୟମିତ ସ୍ପିରିଟ୍ ବୁହାଯାଉଥିଲା। ରୋଗୀ କେବେ ଯିବାର ନଜିର ନଥିବା ହସପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟସମୟରେ ସେହି ଗାଡ଼ି ଡାକ୍ତର କଲୋନିରେ ଥିବା ଗ୍ୟାରେଜରେ ବନ୍ଦ ହୋଇ ପଡ଼ିରହୁଛି। ପରେ ପରେ ୨୦୧୬ରେ ଶିଶୁଭବନକୁ ଆଇଓସିଏଲ (ଇଣ୍ତିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ଼) ପକ୍ଷରୁ ୩୦ ଲକ୍ଷ ଟଙ୍କାର ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଗଲା। ଆଇଓସିଏଲ୍‌ ରୋଗୀଙ୍କ ପାଇଁ କଟକ ଶିଶୁଭବନ ସମେତ କଟକ ବଡ଼ମେଡ଼ିକାଲ୍‌ ଏବ˚ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ୩ଟି ହାଇଟେକ୍‌ ଆମ୍ବୁଲାନ୍ସ ପ୍ରଦାନ କରିଥିଲା। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ ଭାବେ ଅକ୍ସିଜେନ୍‌, ଭେଣ୍ଟିଲେଟର‌୍‌, ମନିଟର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ଏହିସବୁ ବ୍ୟବସ୍ଥା ସାଧାରଣ ଆମ୍ବୁଲାନ୍ସରେ ନଥାଏ। ଶିଶୁଭବନକୁ ପ୍ରଦାନ କରାଯାଇଥିବା ଏହି ଆମ୍ବୁଲାନ୍ସ ପାଇଁ ଜଣେ ଚାଳକଙ୍କ ସମେତ ଜଣେ ଡ୍ରାଇଭର‌୍‌, ନର୍ସ ଏବ˚ ଗ୍ରୁପ ଡି କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନେବା ଆଣିବା କରିବା ସହିତ ୟୁଜର୍ସ ଫିରୁ ଆଦାୟ ଅର୍ଥରେ ଗାଡ଼ିର ଯିବାଆସିବା ଖର୍ଚ୍ଚ ଭରଣା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶିଶୁଭବନରେ ବର୍ତ୍ତମାନ ସୁଦ୍ଧା ସେହି ଆମ୍ବୁଲାନ୍ସ ପାଇଁ ଡ୍ରାଇଭର ବି ନିଯୁକ୍ତ ହୋଇପାରିଲା ନାହିଁ। ଉକ୍ତ ଗାଡ଼ି ଶିଶୁଭବନକୁ ଆସିବା ପରଠାରୁ ଡିଜେଲ୍ ବୁହା କାର୍ଯ୍ୟରେ ନିୟୋଜିତ ହେବା ସହିତ କଟକ ଗସ୍ତରେ ଆସୁଥିବା ଭିଭିଆଇପିଙ୍କ ପାଇଲଟ ଗାଡ଼ି ପଛେପଛେ ଯାଉଛି। ଅନ୍ୟ ସମୟରେ ଗ୍ୟାରେଜ୍‌ରେ ତାଲା ପଡ଼ି ରଖାଯାଇଛି। ଏହି ଦୁଇଟି ଗାଡ଼ି ବାଦ୍ ୨୦୧୬ରେ ଶିଶୁଭବନକୁ ଆସିଥିଲା ଏକ ମହାପ୍ରୟାଣ ଗାଡ଼ି। ଶିଶୁଙ୍କ ଶବ ବୋହିବା ପାଇଁ ଆସିଥିବା ଏହି ଗାଡ଼ି ପାଇଁ ବି ଡ୍ରାଇଭର ନାହାନ୍ତି। କାଜୁଆଲିଟି ସାମନାରେ ୪ ବର୍ଷ ହେବ ଗାଡ଼ି ପଡ଼ି ରହିଛି। କିନ୍ତୁ ଗରିବ ରୋଗୀ ଅଭିଭାବକ ମୃତ ଶିଶୁଙ୍କୁ ଘରୋଇ ଆମ୍ବୁଲାନ୍ସରେ କିମି ପିଛା ୨୫ରୁ ୩୦ ଟଙ୍କାରେ ନେଉଥିବା ଅଭିଯୋଗ ସାମନାକୁ ଆସିଛି। ଜଗତସିଂହପୁରରୁ ‌ଡେପୁଟେସନରେ ଆସିଥିବା ସମ୍ପୃକ୍ତ ଡ୍ରାଇଭର ଗଲା ଏକବର୍ଷ ହେବ ଜଗତସିଂହପୁର ଫେରିଯାଇଛନ୍ତି। ତାଙ୍କ ସ୍ଥାନରେ ସିଡିଏମଓ(ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ)ଙ୍କ ଅଫିସରୁ ଜଣେ ଡ୍ରାଇଭର ଡେପୁେଟସନରେ ଆସୁଛନ୍ତି। ସିଏ ବି ନିୟମିତ ଭାବେ ଡ୍ୟୁଟି କରୁନଥିବା ଅଭିଯୋଗ ହେଉଛି। ମୋଟାମୋଟି ଭାବେ ଶିଶୁଭବନରେ ରୋଗୀଙ୍କ ପାଇଁ ୩ଟି ଗାଡ଼ି ଥିବା ବେଳେ ମାତ୍ର ଜଣେ ଡ୍ରାଇଭରରେ କାମ ଚାଲିଛି।

ଶିଶୁ ଭବନର ଅଧୀକ୍ଷକ ଡାକ୍ତର ପ୍ରଫେସର ସରୋଜ ଶତପଥୀ କହିଛନ୍ତି ଯେ, ଆଇଓସିଏଲ୍ ପକ୍ଷରୁ ଦିଆଯାଇଥିବା ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କୁ ନିଆଯାଉଛି। ମହାପ୍ରୟାଣ ଗାଡ଼ି ବି ବ୍ୟବହାର ହେଉଛି। ଯେଉଁ ସମୟରେ ଅତି ଆବଶ୍ୟକ ପଡୁଛି ଏହି ଗାଡ଼ିକୁ ମେଡିସିନ, ଡିଜେଲ ଆଣିବା କାର୍ଯ୍ୟରେ ବ୍ୟବହାର କରାଯାଉଛି । ସେହିଭଳି ଡ୍ରାଇଭର ଅଭାବ ଘଟଣାକୁ ଶ୍ରୀ ଶତପଥୀ ସ୍ବୀକାର କରିବା ସହିତ ଜଣଙ୍କୁ ଆଉଟସୋର୍ସିଂରେ ଆଣି ନିୟୋଜନ କରାଯାଉଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର