ରାଜଧାନୀରେ ସ୍ପୁଟନିକ୍‌-ଭି

କେୟାର ହସ୍ପିଟାଲକୁ ଆସିଛି ୬ଶହ ଡୋଜ୍‌, ଆପୋଲୋରେ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର : ରାଜଧାନୀ‌ରେ ପହଞ୍ଚିଛି ସ୍ପୁଟନିକ-ଭି ଟିକା। କେୟାର ହସ୍ପିଟାଲରେ ଏହାର ୬ଶହ ଭାଏଲ ଆସିଥିବା ସୂଚନା ମିଳିଛି। ଆସନ୍ତାକାଲିଠାରୁ ଟିକାଦାନ ଆରମ୍ଭ ହୋଇପାରେ। ସେହିପରି ଆପୋଲୋ ହସ୍ପିଟାଲରେ ସ୍ପୁଟନିକ୍‌ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ରୁଷ ନିର୍ମିତ ଟିକା ହେଉଛି ସ୍ପୁଟନିକ-ଭି। ହାଇଦ୍ରାବାଦସ୍ଥିତ ଡ. ରେଡ୍ଡୀ ଲ୍ୟାବ୍‌ରେ ଏହାକୁ ପ୍ରସ୍ତୁତ କରାଯାଉଛି। ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ କେୟାର ହସ୍ପିଟାଲରେ ଏହି ଟିକା ପହଞ୍ଚିଛି। ଏହାର ଗୋଟିଏ ଡୋଜ୍‌ର ଦାମ ରହିଛି ୧୧୪୫ ଟଙ୍କା। ରାଜ୍ୟରେ ଥିବା ଡ. ରେଡ୍ଡୀ ସଂସ୍ଥାର କର୍ମଚାରୀ ଓ ସାଧାରଣ ଜନତାଙ୍କ ପାଇଁ ଆସନ୍ତାକାଲିଠାରୁ ଟିକାକରଣ ଆରମ୍ଭ ହେବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ସ୍ପୁଟନିକ୍‌-ଭି ଟିକା ନେବାରେ ଲୋକଙ୍କ ଆଗ୍ରହ ଦେଖି ଆଗକୁ ସେହି ଅନୁଯାୟୀ ଟିକା ଅଣାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସେହିପରି ରାଜ୍ୟର ଅନ୍ୟତମ ହସ୍ପିଟାଲ ଆପୋଲୋରେ ମଧ୍ୟ ସ୍ପୁଟନିକ୍‌-ଭି ଉପଲବ୍ଧ ହେବ। ଏଥିପାଇଁ ଲୋକମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି। ମାତ୍ର ଆପୋଲୋ ଭୁବନେଶ୍ବରକୁ କେତେ ଡୋଜ୍‌ର ଏହି ଟିକା ଅଣାଯାଉଛି ତାହା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଖୁବଶୀଘ୍ର ଆପୋଲୋରେ ଏହି ଟିକା ଉପଲବ୍ଧ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର