ଯୁକ୍ତ୨ ପରୀକ୍ଷା ସୁରକ୍ଷା ଚିନ୍ତା : ସ୍କ୍ବାଡ୍ ସଦସ୍ୟଙ୍କୁ ମୋବାଇଲ୍ ମନା
କେବଳ କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟ ଧରିବେ ମୋବାଇଲ୍, ୧୨ ସୂତ୍ରୀ ଗାଇଡ୍ଲାଇନ୍ ଜାରି କଲା ସିଏଚ୍ଏସ୍ଇ
ଭୁବନେଶ୍ବର : ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବାତିଲ୍ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ କୌଣସି ବି ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ। ଏପରିକି କପି ଯାଞ୍ଚ ତଥା ପରୀକ୍ଷାର ସୁପରିଚାଳନାର ତଦାରଖ ପାଇଁ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ସ୍କ୍ବାଡ୍ ସଦସ୍ୟ ଓ ଅବଜରଭରମାନେ ମୋବାଇଲ୍ ସମେତ କୌଣସି ବି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିପାରିବେନି।
Sambad is now on WhatsApp
Join and get latest news updates delivered to you via WhatsApp
ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ଦରକାର ପଡ଼ିଲେ, ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟ ଏକ ରୁମ୍ ଚିହ୍ନଟ କରିବେ, ଯେଉଁଠାରେ କେବଳ କେନ୍ଦ୍ରର କର୍ମଚାରୀମାନେ ମୋବାଇଲ୍ ରଖିପାରିବେ। ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍ ପାଖରେ ରଖିବେ ନାହିଁ। ଯଦି ପରୀକ୍ଷା କେନ୍ଦ୍ରର କୌଣସି କର୍ମଚାରୀ/ପରୀକ୍ଷାର୍ଥୀ ମୋବାଇଲ୍ ବ୍ୟବହାର କରୁଥିବାର ନଜରକୁ ଆସେ, ସ୍କ୍ବାଡ୍ ସଦସ୍ୟମାନେ ପରିଷଦର ଦୃଷ୍ଟିକୁ ଆଣିବାକୁ ନିର୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ଭିତରକୁ ଯିବା ପୂର୍ବରୁ ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କୁ ଭଲ ଭାବେ ଯାଞ୍ଚ କରାଯିବ। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ। ‘ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ନିଷେଧ’, ‘ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ବାରଣ’, ‘ସତର୍କତା: ପରୀକ୍ଷାର୍ଥୀ କପି, ବହି, ଖାତା ଆଦି ସାଙ୍ଗରେ ନେଇପାରିବେ ନାହିଁ’ ପରି ବାର୍ତ୍ତା କେନ୍ଦ୍ରର ମୁଖ୍ୟ ପ୍ରବେଶ ପଥରେ ଲଗାଇବାକୁ କୁହାଯାଇଛି। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ସିଟ୍ରେ ବସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି।
ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ପରୀକ୍ଷାର୍ଥୀଙ୍କ ଅଭିଭାବକ ଏକାଠି ନ ହୁଅନ୍ତି, ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଦରକାର ପଡ଼ିଲେ, ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ଯଦି ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ, ସୁପରିନ୍ଟେଣ୍ଡେଣ୍ଟମାନେ ପରିଷଦ କତୃର୍ପକ୍ଷଙ୍କୁ ଅବଗତ କରାଇବେ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା କରିବାକୁ କୁହାଯାଇଛି। ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଶୌଚାଳୟ କରିବାକୁ ବି ନିର୍ଦେଶ ଦିଆଯାଇଛି। ପରୀକ୍ଷା ସମୟରେ ଶୌଚାଳୟଗୁଡ଼ିକୁ ପର୍ଯ୍ୟାୟକ୍ରମେ ଯାଞ୍ଚ ହେବ, ଶୌଚାଳୟ ଯିବା ପୂର୍ବରୁ ପରୀକ୍ଷାର୍ଥୀ ନିଜ ଟେବୁଲ୍ରେ ଯେପରି ପ୍ରଶ୍ନପତ୍ର ରଖି ଯିବେ, ସେଥିପ୍ରତି ଇନ୍ଭିଜିଲେଟରମାନେ ଧ୍ୟାନ ଦେବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ଏଥର ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ୩ଲକ୍ଷ ୬୬ ହଜାର ୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲାଗି ୨୦୨ଟି ହବ୍ ହୋଇଛି।