କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବଡ଼ବିଲ ରେଳସାଇଡିଂରୁ ବିପୁଳ ଚୋରା ଲୁହାପଥର ଠାବ ହୋଇଛି। ଟ୍ରେନ୍‌ ୱାଗନ୍‌ରେ ଏସବୁ ଲୁହାପଥର ଆନ୍ଧ୍ରପ୍ରଦେଶର ଭାଇଜାଗ୍‌ ଯାଇଥାନ୍ତା। ମାତ୍ର କମ୍ପାନି କର୍ତ୍ତୃପକ୍ଷ ଏ ସଂପର୍କିତ କୌଣସି ‌କାଗଜପତ୍ର ଦେଖାଇ ପାରିନାହାନ୍ତି। ଖଣି ବିଭାଗ ସ୍କ୍ବାଡ୍‌ ଆଜି ସକାଳୁ ଚଢ଼ଉ ଆରମ୍ଭ କରି ଦିନତମାମ ଖୋଳତାଡ଼ କରିବା ପରେ ଆହୁରି ବିପୁଳ ପରିମାଣର ଲୁହାପଥର ଗଚ୍ଛିତ ଥିବା ସନ୍ଧାନ ପାଇଛି। 

Advertisment

ବଡ଼ବିଲ ରେଳସାଇଡିଂରୁ ଟ୍ରେନ୍‌ ଯୋଗେ ଲୁହାପଥର ବୋଝେଇ ହୋଇ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳକୁ ପରିବହନ ହୋଇଥାଏ। ତଦନୁସାରେ, ଏଠାରୁ ରେଳ ଯୋଗେ ଭାଇଜାଗକୁ ଲୁହାପଥର ପରିବହନ ପାଇଁ ଏକ କମ୍ପାନି ପକ୍ଷରୁ ଟ୍ରେନ ୱାଗନ୍‌ ବୁକିଂ ହୋଇଥିଲା। ତେବେ କମ୍ପାନି ଦ୍ବାରା ଚୋରା ଲୁହାପଥର ପରିବହନ ହେଉଥିବା ନେଇ କୌଣସି ସୂତ୍ରରୁ ଖଣି ବିଭାଗର ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ଖବର ପାଇବା ପରେ ଆଜି ସକାଳୁ ଚଢ଼ଉ କରିଥିଲେ। ରେଳ ସାଇଡିଂ ଭିତରେ ୨୫୦୦ ଟନ୍‌ ଲୁହାପଥର ‌ଗଚ୍ଛିତ ଥିବାବେଳେ ସାଇଡିଂ ବାହାରେ ୪ ହଜାର ଟନ୍‌ ଲୁହାପଥର ଗୁଣ୍ଡ ଗଚ୍ଛିତ ଥିଲା। ଏହା ଭିତରୁ ୯୬୦ ଟନ୍‌ର କାଗଜପତ୍ର ଦେଖାଯାଇ ପାରି ନ ଥିଲା।

କମ୍ପାନି ନାମରେ ଏଠାର ପରିବହନ ପାଇଁ ୱାଗନ୍‌ ବୁକିଂ ଥିଲେ ମଧ୍ୟ ଗଚ୍ଛିତ ଲୁହାପଥର ସଂପର୍କରେ କମ୍ପାନି କର୍ମଚାରୀ କୌଣସି କାଗଜପତ୍ର ଦେଖାଇପାରି ନଥିଲେ। ଏହି ଲୁହାପଥର କେଉଁଠୁ ଆସିଲା ତାହାର ଯାଞ୍ଚ ଚାଲିଛି। କୁହାଯାଉଛି, ବିଗତ ବର୍ଷରେ ଖଣି ଦୁର୍ନୀତି ବେଳେ ଶାହା କମିସନଙ୍କ ତଦନ୍ତ ସମୟରେ ବିଭିନ୍ନ ସ୍ଥାନରେ ଜବତ ହୋଇଥିବା ଲୁହାପଥର ଗଚ୍ଛିତ ଥିଲା। ଏହି ଗଚ୍ଛିତ ଲୁହାପଥର ଦୀର୍ଘବର୍ଷ ଧରି ପଡ଼ିରହିବା ପରେ ବିଭିନ୍ନ ଉପାୟରେ ଏହାକୁ ଚୋରି କରି ବିକ୍ରି କରି ଦିଆଯାଉଛି। ‌ଏବେ ‌ବଡ଼ବିଲ ରେଳ ସାଇଡିଂରେ ଗଚ୍ଛିତ ଥିବା ଏହି ଲୁହାପଥର ଗୁଣ୍ଡ ସେହି ସମୟର ଲୁହାପଥର ହୋଇଥାରେ ବୋଲି ସନ୍ଦେହ କରାଯାଉଛି। 

ସେହିପରି ଉକ୍ତ ରେଲୱେ ସାଇଡ୍‌ ବାହାରେ ଅନ୍ୟ ଏକ ସ୍ଥାନରେ ମଧ୍ୟ ୨୦ ହଜାର ଟନ୍‌ ଲୁହାପଥର ଗଚ୍ଛିତ ଥିବାରୁ ଏହାର କାଗଜପତ୍ର ସଂପର୍କରେ ସ୍କ୍ବାଡ୍‌ ଖୋଳତାଡ଼ କରୁଛି। ଖଣି ଅଧିକାରୀ ବସନ୍ତ କୁମାର ସାହୁ, କନିଷ୍ଠ ଖଣି ଅଧିକାରୀ ପ୍ରିୟବ୍ରତ ସାହୁ, ସହକାରୀ ଖଣି ଅଧିକାରୀ ଜେଏନ କୁଲଡ଼ି ପ୍ରମୁଖ ଏହି ଚଢ଼ଉ କରିଥିଲେ। ଏ ନେଇ ଉକ୍ତ ଟିମ୍‌ ଖଣି ନିର୍ଦ୍ଦେଶକଙ୍କୁ ଅବଗତ କରିଛନ୍ତି। ବଡ଼ବିଲର ବିଭିନ୍ନ ଶିଳ୍ପ ଓ ଖଣିରେ ଉକ୍ତ ସ୍କ୍ବାଡ୍‌ ଏବେ ଯାଞ୍ଚ କରି ସେମାନଙ୍କ ଷ୍ଟକ୍‌ ତନଖି କରୁଥିବା ସୂଚନା ମିଳିଛି। ତେବେ ଏ ସଂପର୍କରେ ଖଣି ବିଭାଗ କୌଣସି ସୂଚନା ଦେଉନାହିଁ।