ଭୁବନେଶ୍ବର: ଓଡ଼ିଶାର ଜଙ୍ଗଲ ଅଞ୍ଚଳରେ ପାଦଚଲା ପାଟ୍ରୋଲିଂ ବ୍ୟବସ୍ଥା‌କୁ ସୁଦୃଢ଼ କରାଯିବ। ବିଭିନ୍ନ ବନଖଣ୍ଡରେ ନିୟୋଜିତ ହୋଇଥିବା‌ ପ୍ରୋଟେକ୍ସନ୍‌ ସ୍କ୍ବାଡ୍‌ମାନେ ପ୍ରତି ମାସରେ ୧୦୦ କିଲୋମିଟର ଚାଲିବେ। ଅର୍ଥାତ୍‌ ଗୋଟିଏ ସ୍କ୍ବାଡ୍‌ ଦୈନିକ ହାରାହାରି ୪ କିମି ଜଙ୍ଗଲ ଭିତରେ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିବେ। କେବଳ ସ୍କ୍ବାଡ୍‌ ନୁହନ୍ତି, ଫରେଷ୍ଟ ଗାର୍ଡ ଓ ଫରେଷ୍ଟରମାନେ ମଧ୍ୟ ମାସକୁ ୭୫ କିମି, ଫରେଷ୍ଟ ରେଞ୍ଜ ଅଫିସର ୫୦ କିମି ପାଟ୍ରୋଲିଂ କରିବା ବାଧ୍ୟତାମୂଳକ ହୋଇଛି। ସହକାରୀ ବନ ସଂରକ୍ଷକ ମାସକୁ ୨୫ କିମି, ବନଖଣ୍ଡ ଅଧିକାରୀ ୧୫ କିମି ଓ ଆରସିସିଏଫ୍‌ମାନେ ୧୦ କିମି ପାଟ୍ରୋଲିଂ କରିବେ। ଜଙ୍ଗଲରେ ବଢ଼ୁଥିବା ଶିକାରୀଙ୍କ ଦୈରାତ୍ମ୍ୟ, ବେଆଇନ କାର୍ଯ୍ୟକଳାପ, ଜୈବବିବିଧତା ପ୍ରତି ସୃଷ୍ଟି ହେଉଥିବା ବିପଦ ରୋକିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। 

Advertisment

ସମ୍ବେଦନଶୀଳ ବିଟ୍‌ଗୁଡ଼ିକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ
କାମରେ ଠକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏହାଦ୍ବାରା ଯେ କେବଳ ବେଆଇନ କାର୍ଯ୍ୟକଳାପ ରୋକାଯିବ ତାହା ନୁହେଁ, ବରଂ ଜଙ୍ଗଲ ଅଧିକାରୀ ଓ କର୍ମଚାରୀଙ୍କର ସ୍ଥାନୀୟ ଅଧିବାସୀଙ୍କ ସହ ସୁସମ୍ପର୍କ ସୃଷ୍ଟି ହୋଇପାରିବ। ଜଙ୍ଗଲର ସ୍ଥିତି ଅନୁଧ୍ୟାନ ସହ ଜଙ୍ଗଲ ଭିତରେ ଚାଲିଥିବା ବିଭିନ୍ନ ବେଆଇନ ତଥ୍ୟ ଏକାଠି କରାଯାଇପାରିବ। ଜଙ୍ଗଲ ଭିତରେ ଓ ନିକଟରେ ବସବାସ କରୁଥିବା ଲୋକେ ବନ କର୍ମଚାରୀମାନଙ୍କୁ ବିଶ୍ବାସକୁ ନେବା ସହ ସହଯୋଗର ହାତ ବଢ଼ାଇପାରିବେ। ଓଡ଼ିଶା ଫରେଷ୍ଟ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ(ଓଏଫ୍‌ଏମ୍‌ଏସ୍‌) ଦ୍ବାରା ସମସ୍ତ ପାଦଚଲା ପାଟ୍ରୋଲିଂର ରେକର୍ଡିଂ କରାଯିବା ସହ ସୁପରଭାଇଜିଂ ଅଫିସରଙ୍କ ଦ୍ବାରା ଅନୁମୋଦନ ହେବ। ସମ୍ବେଦନଶୀଳ ବିଟ୍‌ଗୁଡ଼ିକରେ କର୍ମଚାରୀମାନେ ପାଟ୍ରୋଲିଂ କରିବା ବାଧ୍ୟତାମୂଳକ। ହାଇରିସ୍କ ଜୋନ୍‌ଗୁଡ଼ିକରେ ଯୁଗ୍ମ ଓ ଅଚାନକ ପାଟ୍ରୋଲିଂ କରିବାକୁ କୁହାଯାଇଛି। ରେଞ୍ଜ, ଡିଭିଜନ୍‌ ଓ ସର୍କଲ ସ୍ତରରେ ପ୍ରତି ମାସରେ ପାଟ୍ରୋଲିଂର ସମୀକ୍ଷା କରାଯିବ। ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ମିଥ୍ୟା ପାଟ୍ରୋଲିଂ ସମ୍ପର୍କରେ ତଥ୍ୟ ଦାଖଲ କରିଥିବେ ତେବେ ତାହାକୁ ଗୁରୁତ୍ବର ସହ ନିଆଯିବ। ଆବଶ୍ୟକୀୟ ହେଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌)ଙ୍କ କାର୍ଯ୍ୟାଳୟରୁ ଏନେଇ ବିଜ୍ଞପ୍ତି ପ୍ରକାଶ ସହ ସାରା ରାଜ୍ୟରେ ତାହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାହାକୁ ଆଧାର କରି ଏବେ ବନଖଣ୍ଡ ଅଧିକାରୀମାନେ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।