ସଂକୁଚିତ ହେଉଛି ଚିଲିକା

ଖୋର୍ଦ୍ଧା : ଜୈବ ବିବଧତାକୁ ନେଇ ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଚିଲିକା ହ୍ରଦ ଏବେ ଶୁଖିବାକୁ ବସିଲାଣି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠିତ ହୋଇ ୩୦ ବର୍ଷ ଓ ସମନ୍ବିତ ଉପକୂଳ ମଣ୍ତଳ ପରିଚାଳନା (ଆଇସିଜେଡ୍ଏମ୍) ଗଠିତ ହୋଇ ଏହା ମଧ୍ୟରେ ପ୍ରାୟ ୨୦ ବର୍ଷ ବିତିଯାଇଛି। ପ୍ରତିବର୍ଷ ଚିଲିକାର ଜୈବ ବିବିଧତାର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ।

୧୯୮୧ ମସିହା ବେଳକୁ ଚିଲିକା ହ୍ରଦର ମୋଟ କ୍ଷେତ୍ରଫଳ ଥିଲା ୨୦୦୦ ବର୍ଗ କିଲୋମିଟର। ୨୦୧୯ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସୂଚନାରେ ଚିଲିକାର ମୋଟ କ୍ଷେତ୍ରଫଳ ୧୧୬୫ ବର୍ଗ କିଲୋମିଟର। ଅର୍ଥାତ୍ ତିନି ଦଶନ୍ଧି ମଧ୍ୟରେ ଚିଲିକା ୮୩୫ ବର୍ଗ କିଲୋମିଟର ସଂକୁଚିତ ହୋଇଯାଇଛି। ୨୦୦୯–୧୦ରେ କୋଝିକୋଟର ସେଣ୍ଟର ଫର ୱାଟର ରିସୋର୍ସ ଡେଭଲପ୍‌ମେଣ୍ଟ୍‌ ଆଣ୍ତ ମ୍ୟାନେଜ୍‌ମେଣ୍ଟ ଚିଲିକାର ଜମା ହେଉଥିବା ପଟୁ ଉପରେ ଏକ ଗବେଷଣା କରିଥିଲେ। ଗବେଷଣା ଅନୁସାରେ, ପ୍ରତିବର୍ଷ ଚିଲିକାରେ ୨୮ ସିଏମ୍‌ରୁ ୮୦ ସିଏମ୍ ମଧ୍ୟରେ ପଟୁ ଜମା ହେଉଛି। ସର୍ବାଧିକ ପଟୁ ଖୋର୍ଦ୍ଧା (ମଧ୍ୟସ୍ଥଳ) ଓ ପୁରୀ (ଉତ୍ତର ପାର୍ଶ୍ବ)ରେ ଜମା ହେଉଥିବା ଗବେଷଣା ରିପୋର୍ଟରେ ଦର୍ଶାଇଥିଲେ। ସେହିଭଳି ୨୦୧୮ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଚିଲିକାର ୯.୫ କିମି ଦୀର୍ଘ ମୁହାଣରେ ପଟୁ ଜମା ହେବା ନେଇ ଏକ ଗବେଷଣା କରାଯାଇଥିଲା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଚିଲିକାର ଉତ୍ତର ମୁହାଁଣ କ୍ରମାଗତ ଭାବେ ବନ୍ଦ ହୋଇଯାଇଛି। କେବଳ ୨୦୦୮ରୁ ୧୦ ବର୍ଷ ମଧ୍ୟରେ ଚିଲିକାର ଉତ୍ତର ପାର୍ଶ୍ବସ୍ଥ ମୁହାଁଣ ୯୧୯ ମିଟର ପଛକୁ ଘୁଞ୍ଚି ଆସିଛି।

ସୂଚନାଯୋଗ୍ୟ ଯେ ୧୯୭୧ ବେଳକୁ ଚିଲିକାରେ ୩ଟି ମୁହାଣ ଥିଲା। ୨୦୧୭ରେ ବ୍ରହ୍ମଗିରି ନିକଟରେ ଥିବା ଅରଖକୁଦର ଚିଲିକାର ଉତ୍ତର ମୁହାଁଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବା ସହ ସେଠାରୁ ଅଢେ଼ଇ କିଲୋମିଟର ଦୂର ସିପକୁଦ ନିକଟରେ ଏକ ନୂଆ ମୁହାଁଣ ଖୋଲିଥିଲା। ବାତ୍ୟା ଫନି ସମୟରେ ମିର୍‌ଜାପୁର ନିକଟ ୨–୩ କିମି ମଧ୍ୟରେ ତିନିଟି ସ୍ଥାନରେ ନୂଆ ମୁହାଁଣ ଖୋଲିଥିବା ସିଡିଏ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ, ୨୦୧୦ରେ ଚିଲିକାରେ ୨୬୭ଟି ପ୍ରଜାତିର ମାଛ ମିଳୁଥିଲେ। ବର୍ତ୍ତମାନ ଏହା ହ୍ରାସ ପାଇ ୨୨୫କୁ ଖସି ଆସିଛି। ଅର୍ଥାତ୍ ୧୦ ବର୍ଷ ମଧ୍ୟରେ ଚିଲିକା ଜଳର ରାସାୟନିକ ପ୍ରକୃତି, ଗଭୀରତା ଓ ବ୍ୟାପକତା ହ୍ରାସ ପାଇବା ଯୋଗୁଁ ୪୨ଟି ପ୍ରଜାତିର ମାଛଙ୍କୁ ଆଉ ଦେଖିବାକୁ ମିଳୁନାହିଁ।

୨୦୧୨ ସେପ୍ଟମ୍ବର ମାସରେ ଚିଲିକା ଫ୍ରେମ୍ ୱାର୍କ ଗଠିତ ହୋଇ ଚିଲିକାର ସୁରକ୍ଷା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ ହୋଇଥିଲା। ଆଇସିଜେଡ୍ଏମ୍‌ରେ ଚିଲିକାର ବିକାଶ ଓ ଏହା ସୁରକ୍ଷା ପାଇଁ ବ୍ୟବସ୍ଥିତ କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିଭଳି ୨୦୧୯ ଏପ୍ରିଲ୍ ମାସରେ ନିର୍ବାଚନ ପ୍ରଚାର ସମୟରେ ଚିଲିକାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚିଲିକାକୁ କେନ୍ଦ୍ର ସରକାର ବିକ୍ରି କରିଦେବାକୁ ଯୋଜନା କରିଥଲେ ଓ ବିଜେଡି ସରକାର ସେହି ଯୋଜନାକୁ ବନ୍ଦ କରିଛି। ତାଙ୍କ ଦଳ ଶାସନ କ୍ଷମତାକୁ ଆସିଲେ ଚିଲିକା ଓ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବିକାର ସୁରକ୍ଷା କରିବେ। ଏହା ମଧ୍ୟରେ ଦୀର୍ଘ ଦିନ ବିତିଯାଇଛି, କିନ୍ତୁ ଚିଲିକାକୁ ସୁରକ୍ଷା ଦେବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଚିଲିକାରେ ନଦୀ, ନାଳ, କେନାଲ ଆଦି ୫୨ଟି ପ୍ରାକୃତିକ ଜଳସ୍ରୋତ ମିଶୁଛି। ଉତ୍ତର ପାର୍ଶ୍ବ ମହାନଦୀ ଅବବାହିକା, ଦୟା, ଭାର୍ଗବୀ ନଦୀରେ ସର୍ବାଧିକ ପଟୁ ଜମା ହେଉଛି। ତେବେ ନରାଜ ଓ ଅନ୍ୟ ସ୍ଥାନରେ ଚେକ୍ ଡ୍ୟାମ୍ ଆଦି ନିର୍ମାଣ ହେବା ପରେ ଜଳସ୍ରୋତ ହ୍ରାସ ପାଇବା ସହ ପଟୁ ଜମାହେବା ମଧ୍ୟ କମିଛି। ତେବେ ସିଡିଏ ପକ୍ଷରୁ ନିୟମିତ ପଟୁ ଜମା ହେବା ନେଇ ରିପୋର୍ଟ ସରକାରଙ୍କୁ ଦିଆଯାଇଥାଏ। ଚିଲିକାର ସଙ୍କୋଚନ ଓ ପଟୁଜମା ହେବା ସମସ୍ୟାର ସମାଧାନ ପାଇଁ କୌଣସି ପାଣ୍ଠି କି ଅନୁଦାନ ଆସିନାହିଁ। ଏନେଇ କୌଣସି ଯୋଜନା କାମ କରୁନାହିଁ।

ସମ୍ବନ୍ଧିତ ଖବର