ଭୁବନେଶ୍ୱର :ସାକ୍ଷରତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର (ଏସ୍ଆରସି) ବନ୍ଦ ହେବ । ଏଠାରେ ଥିବା ନିୟମିତ ଓ ଚୁକ୍ତିଭିିତ୍ତିକ କର୍ମଚାରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଭିନ୍ନ ଦପ୍ତରରେ ଥଇଥାନ ପାଇଁ କୁହାଯାଇଛି ।
୧୯୭୮ ମସିହାରେ ଅନୁଗୁଳ ଠାରେ ଆରମ୍ଭ ହୋଇଥିଲା ଏସ୍ଆରସି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ପତ୍ନୀ ମାଳତୀ ଦେବୀ ଏହାର ମୂଳଦୂଆ ପକାଇଥିଲେ । ସେତେବେଳେ ଏହି ସଂସ୍ଥା ପୌଢଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିଲା । ୧୯୮୬ ମସିହାରେ ଏହାକୁ ରାଜଧାନୀକୁ ଉଠାଇ ଆଣିବା ସହିତ ଏଥିପାଇଁ ସ୍ୱତନ୍ତ୍ର ଦପ୍ତର ନିର୍ମାଣ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସାକ୍ଷରତା କ୍ଷେତ୍ରରେ ଏହି ସଂସ୍ଥା କାର୍ଯ୍ୟ କରିବା ସହିତ ବିଭିନ୍ନ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପ୍ରକାଶନ କରିଆସୁଥିଲା ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଏହି ସଂସ୍ଥାକୁ କେନ୍ଦ୍ର ସରକାର ପ୍ରତିବର୍ଷ ୭୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଆସୁଥିଲେ । ଏହି ଅର୍ଥରେ ଦପ୍ତର ପରିଚାଳନା ସହିତ ଅନ୍ୟାନ୍ୟ ସାକ୍ଷରତା ଭିିତ୍ତିକ କାର୍ଯ୍ୟକ୍ରମ ବି ହେଉଥିଲା । ହେଲେ ଏହି ଅନୁଷ୍ଠାନପାଇଁ ପରିଚାଳନା କମିଟିଟିଏ ଗଠନ ହୋଇ ନପାରିବା ଓ ନିର୍ଦ୍ଦେଶକ ପଦବିପାଇଁ ବିଜ୍ଞାପନ ଜାରି ଏବଂ ପ୍ରାର୍ଥୀଚୟନକୁ ନେଇ କୋର୍ଟ କଚେରୀରେ ମାମଲା ଚାଲିବାପରେ କେନ୍ଦ୍ର ସରକାର ଏଥିରେ ଅସନ୍ତୋଷ ପ୍ରକଟକରି ଦୁଇବର୍ଷ ହେଲା କେନ୍ଦ୍ରୀୟ ଅନୁଦାନ ବନ୍ଦକରି ଦେଇଛନ୍ତି। ଏସ୍ଆରସି ନିକଟରେ ଗଚ୍ଛିତ ଥିବା ଅର୍ଥରେ କର୍ମଚାରୀମାନେ ପାଉଣା ପାଉଥିବାବେଳେ ସରକାର ଏହାର କାର୍ଯ୍ୟକୁ ସଙ୍କୁଚିତ କରିଚାଲିଥିଲେ । ପୁସ୍ତକ ପ୍ରକାଶନ ଦୀର୍ଘ ଦିନରୁ ବନ୍ଦ ସହିତ କଏଦୀମାନଙ୍କ ପାଇଁ ଚାଲିଥିବା ସାକ୍ଷରତା ଓ ଧନ୍ଦାମୂଳକ ଶିକ୍ଷା ଦୀର୍ଘଦିନରୁ ବନ୍ଦହୋଇ ଯାଇଛି ।
ସେହିଭଳି ଏସ୍ଆରସି ପାଇଁ ଥିବା କୋଠାଟିରେ ଏବେ ମଧ୍ୟାହ୍ନଭୋଜନ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦି କାର୍ଯ୍ୟ କରୁଛି । ଇତି ମଧ୍ୟରେ କେନ୍ଦ୍ର ସରକାର ସାକ୍ଷର ଭାରତ ଯୋଜନାରେ ବି ପୂର୍ଣ୍ଣଛେଦ ପକାଇଛନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ଆଉ ଏହି ସଂସ୍ଥାକୁ ଆର୍ଥକ ସହାୟତା ଦେଇ ଚଳାଇବା ମତଲବରେ ନଥିବାରୁ ତୁରନ୍ତ ଏହାକୁ ବନ୍ଦ କରିବାପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏଠାରେ କାର୍ଯ୍ୟରତ କିଛି ନିୟମିତ ଓ ଆଉ କିଛି ଚୁକ୍ତିଭିିତ୍ତିକ କର୍ମଚାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ଦପ୍ତରରେ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନୁଯାୟୀ ଏହି କର୍ମଚାରୀମାନେ ନୂତନ ସ୍ଥାନରେ ନିଯୁକ୍ତି ପାଇଲାପରେ ଏସ୍ଆରସିରେ ତାଲା ପଡିଯିବ ।