କିଛି ଲୋକଙ୍କ ଦାୟିତ୍ବହୀନ ଆଚରଣ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି : ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : ଲକଡାଉନ କଟକଣା କୋହଳ ହେବା ପରେ ଲୋକମାନେ ବେପରୱା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି । କିଛି ଲୋକଙ୍କ ଦାୟିତ୍ୱହୀନତା ଯୋଗୁଁ କରୋନା ବିରୋଧୀ ଲଢେଇ ଦୁର୍ବଳ ହେଉଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଥିଲେ ଯେ କଟକଣା କୋହଳ ହେବା ପରେ ଗତ ଶୁକ୍ର ଓ ଶନିବାରଦିନ ଭୁବନେଶ୍ୱର ଓ କଟକରେ କେତେକ ସ୍ଥାନରେ ଲୋକମାନଙ୍କ ଆଚରଣର ଭିଡିଓ ରେକର୍ଡିଂ କରାଯାଇଥିଲା । ଏଥିରୁ ଦେଖାଗଲା ଯେ ଲୋକମାନେ କୋଭିଡ କଟକଣାକୁ ଠିକଭାବେ ପାଳନ କରୁନାହାନ୍ତି । ଲୋକେ ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି, ଅନାବଶ୍ୟକ ଭାବେ ବଜାରରେ ବୁଲୁଛନ୍ତି । ଏହା ସଂକ୍ରମଣ ବଢ଼ାଇ ବାରେ ଭୂମିକା ଗ୍ରହଣ କରୁଛି।

ଏଥିସହ ଶ୍ରୀ ଜେନା କହିଥିଲେ ଯେ ଦେଶ ଓ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ରାଜ୍ୟରେ ଦୈନିକ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ମାର୍ଚ୍ଚମାସ ପରଠାରୁ ସରକାର ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ ଲାଗୁ କରିଥିଲେ । ଏହାର ଗୁରୁତର ପ୍ରଭାବ ଆମ ଅର୍ଥନୀତି ଓ ଲୋକଙ୍କ ଜୀବିକା ଉପରେ ପଡ଼ିଛି । ଏଣୁ କେବଳ ସରକାର ନୁହଁନ୍ତି, ଲୋକମାନଙ୍କୁ ମଧ୍ୟ ଦାୟିତ୍ୱବାନ ହୋଇ କାମ କରିବାକୁ ହେବ । ତିନୋଟି ଉପାୟ କଲେ ରୋଗକୁ ରୋକିହେବ, ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ୱାସ୍ଥ୍ୟ ସଚେତନତା-ଯଥା ହାତ ଧୋଇବା, ସାନିଟାଇଜର ବ୍ୟବାହର ଆଦିର ଅନୁପାଳନ ।

ସେହିପରି ଘରର ଓ ସାହିର ମୁରବୀମାନେ ଆଗଭର ହୋଇ ସମାଜର ସବୁଲୋକ ଯେପରି କଟକଣା ମାନିବେ ଓ ସଚେତନ ହେବେ ସେ ଦିଗରେ ଉଦ୍ୟମ କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର