ରାଜ୍ୟରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ, ଆସନ୍ତାକାଲିଠାରୁ ବସ୍ ଚଳାଚଳ ପାଇଁ ଅନୁମତି: ସ୍ବତନ୍ତ୍ର ରିଲିଫ୍ କମିସନର୍

ଭୁବନେଶ୍ବର: ରାଜ୍ୟରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ଏହା ଚିନ୍ତାଜନକ ନୁହେଁ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ଆଜି  ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏଥିଲାଗି ସେ ସରପଞ୍ଚ ଓ ଏସଏଚଜିଙ୍କୁ ପ୍ରଶଂସା କରିଛନ୍ତି।

କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସର୍ବତ୍ର ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟରେ ସିଟି ବସ୍ ଚଳାଚଳ ଆରମ୍ଭ କରିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ ସୂଚନା ଦେଇଛନ୍ତି। ତେବେ ବସ୍‌ରେ ଯେତିକି ସଂଖ୍ୟକ ସିଟ୍ କେବଳ ସେତିକି ଯାତ୍ରୀ ଏଥିରେ  ଯାତ୍ରା କରିପାରିବେ ଓ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେନି । ବସ୍ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ ସୂଚନା ଦେଇଛନ୍ତି । ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଥିବ, ତେବେ ତାଙ୍କୁ ବସ୍‌ରେ ଯିବାକୁ ଦିଆଯିବ ନାହିଁ।

କେବଳ ବସ ନୁହଁ,  ଅଟୋରିକ୍ସା ଚଳାଚଳକୁ ବି ସରକାର ଅନୁମତି ଦେଇଛନ୍ତି।  ଓଲା, ଉବେର ଆଦି ଟାକ୍ସି ଅପରେଟର୍ ଏଣିକି ଦିନରାତି ସେବା ଯୋଗାଇବେ। କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଥିବାର ମଧ୍ୟ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍।

କରୋନା ମୁକାବିଲା ଲାଗି ରାଜ୍ୟରେ ସଙ୍ଗରୋଧ ନିୟମ ବଦଳିଥିବା ନେଇ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି ଯେ ବାହାରୁ ଆସୁଥିବା ଲୋକ ୧୪ ଦିନ ସଙ୍ଗରୋଧରେ ରହିବେ, ଗ୍ରାମାଞ୍ଚଳକୁ ଆସୁଥିବା ଲୋକ ୭ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ। ଏହାପରେ ଯାହାର ଲକ୍ଷଣ ଦେଖା ନ ଯିବ, ସେମାନଙ୍କୁ ୭ ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ। ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି।

ସମ୍ବନ୍ଧିତ ଖବର