ଅଣ ହଟସ୍ପଟ୍ ଜିଲ୍ଲା ପାଇଁ ଏସଓପି ଜାରି କଲେ ଏସଆରସି: ଶ୍ରମିକଙ୍କ ଯାତାୟତ ପାଇଁ ଅନୁମତି, ଖୋଲା ରହିବ ଗ୍ୟାରେଜ, ଢାବା

ଭୁବନେଶ୍ବର: ଅଣହଟସ୍ପଟ ଜିଲ୍ଲା ପାଇଁ  ସ୍ବତନ୍ତ୍ର ରିଲିଫ୍ କମିସନର  ଜାରି କଲେ ମାନକ ସଂଚାଳନ ପ୍ରକ୍ରିୟା ବା ଏସଓପି । ଲକଡାଉନ୍ ସମୟରେ ଶ୍ରମିକମାନଙ୍କ ଯାତାୟତ ପାଇଁ ଏସଆରସି ଜାରି କରିଛନ୍ତି ଏହି ଏସଓପି । କମ୍ପାନି ଦେଇଥିବା ପରିଚୟ ପତ୍ର ଦେଖାଇ ଶ୍ରମିକ କାମ କରିବାକୁ ଯାଇ ପାରିବେ । ଅନୁମତିପ୍ରାପ୍ତ ବ୍ୟବସାୟ ପ୍ରତିଷ୍ଠାନ ଜାରି କରିବେ ପରିଚୟ ପତ୍ର । ତେବେ ଚାଲିଚାଲି କିମ୍ବା ସାଇକେଲରେ ଯାଉଥିବା ଶ୍ରମିକଙ୍କୁ ଯାତାୟତ ପାଇଁ ମିଳିବ ପୂର୍ଣ୍ଣ ଅନୁମତି ।

ସେପଟେ ସାମାଜିକ ଦୂରତା ରଖି ଗାଡିରେ ବି କର୍ମସ୍ଥଳୀକୁ ଯାଇପାରିବେ ଶ୍ରମିକ । ମାତ୍ର ଶ୍ରମିକଙ୍କୁ ନେଇ ଯାଉଥିବା ଗାଡି ବାଟରୁ ଅନ୍ୟ କୌଣସି ଯାତ୍ରୀଙ୍କୁ ଉଠାଇ ପାରିବେନି । ଗାଡି ପାଇଁ ପାସ୍ ଦେବେ ଜିଲ୍ଲାପାଳ, ଆରଟିଓ ଓ ମ୍ୟୁନସିପାଲଟି ।

ତେବେ ସବୁଠାରୁ ବଡ କଥା ହେଉଛି ଜାତୀୟ କିମ୍ବା ରାଜ୍ୟ ରାଜପଥ କଡରେ ଖୋଲି ପାରିବ ଢାବା । ତାଲାବନ୍ଦ ସମୟରେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ଢାବା । ଅନ୍ୟ ଜିଲ୍ଲାରୁ ଶ୍ରମିକ ଆଣିବାକୁ ଚାହିଁଲେ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ ।

ଅଣହଟସ୍ପଟ୍‌ ଜିଲ୍ଲାରେ ଖୋଲିପାରିବେ ଗାଡି ମରାମତି ଦୋକାନ । ବ୍ୟାଟେରି ଦୋକାନ ଓ ସ୍ପେୟାରପାର୍ଟସ ଦୋକାନ ଖୋଲିପାରିବେ । କେତେ ଦିନ ଓ କେତେ ସମୟ ଖୋଲିବ ତାହା ସ୍ଥିର କରିବେ ଜିଲ୍ଲାପାଳ । ଗୋଟିଏ ଅଂଚଳରେ ୫ରୁ ଅଧିକ ଦୋକାନ ଖୋଲି ପାରିବ ନାହିଁ ।

ବଡ କଥା ହେଉଛି ଅବରୋଧ ଅଂଚଳରେ ଏସବୁ ଅନୁମତି ମିଳିବ ନାହିଁ । ରେଡ ଓ ଅରେଞ୍ଜ ବିଭାଗରେ ଥିବା ଜିଲ୍ଲାରେ ଜିଲ୍ଲାପାଳ ନେବେ ନିଷ୍ପତି। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଲେ ସ୍ୱତନ୍ତ୍ର ରିଲିଫ କମିସନର ।

ସମ୍ବନ୍ଧିତ ଖବର