ପୁରୀକୁ ଚଳାଚଳ କରୁଥିବା ସମସ୍ତ ପାସେଞ୍ଜର ଟ୍ରେନ ଓ ବସ ସେବା ବନ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ବର: ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସଂପନ୍ନ କରିବା ପାଇଁ ରାଜ୍ୟ ସରକାର ପୁରୀକୁ ଚଳାଚଳ କରୁଥିବା ସମସ୍ତ ପାସେଞ୍ଜର ଟ୍ରେନ ଓ ବସ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛନ୍ତି।

ଆଜି (୨୨ତାରିଖ) ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ଟ୍ରେନ ଓ ବସ ଚଳାଚଳ ବନ୍ଦ ନେଇ ରହିବ ବୋଲି ସେ ସୂଚନା ଦେଇଛନ୍ତି। କୋଭିଡ-୧୯କୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଧାରା ୨୪ (କ) ଏବଂ (ଖ) ତଥା ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ। ତେବେ ଏହି ସମୟରେ ସରକାରୀ ଡ୍ୟୁଟି / ପୁଲିସ୍ ଏବଂ ଜରୁରୀକାଳୀନ ସେବାରେ ଯାନବାହାନରେ କର୍ମଚାରୀ ବହନ କରିବା ଗାଡ଼ି ଉପରେ ଏହି କଟକଣା ଲାଗୁ ହେବ ନାହିଁ।

ସୂଚନାଯୋଗ୍ୟ,୨୩ ତାରିଖ ଦିନ ରଥଯାତ୍ରା ଅନୁଷ୍ଠିତ ହେବ।  ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଏନେଇ ପୁଲିସ ଡିଜି ଅଭୟ ସୂଚନା ଦେଇ କହିଛନ୍ତି ଯେ ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏ ପୁରୀ ଜିଲ୍ଲା ସଟ୍‌ଡାଉନ ରହିବ। ଏହି ସମୟରେ ବଡ଼ଦାଣ୍ଡକୁ ପୁରା ସିଲ୍ କରାଯିବ ଏବଂ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ  ସିଲ୍ କରାଯିବ। ରଥଯାତ୍ରା ଲାଗି ୫୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର