ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି, ୫ ଜିଲ୍ଲା‌ରେ ଭୀଷଣ ବର୍ଷିବ

୫ ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଆଗାମୀ ୫ ଦିନ ପାଇଁ ଲଗାଣ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସୂଚନା ଜାରି ହେବା ପରେ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା। ବିଶେଷ କରି ଉପକୂଳ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଥିବା ତଳିଆ ଅଞ୍ଚଳଗୁଡ଼ିରେ ପାଣି ଜମିବା ଯୋଗୁଁ ଲୋକେ ଯେପରି ଜଳ ବନ୍ଦୀ ନ ହୁଅନ୍ତି, ସେଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ର ଅଶାନ୍ତ ରହୁଥିବାରୁ ଅଗଷ୍ଟ ୪ ଓ ୫ ତାରିଖ ଦୁଇ ଦିନ ପାଇଁ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ତଳିଆ ଅଞ୍ଚଳଗୁଡ଼ିକରେ ଜଳ ବନ୍ଦୀ ଅବସ୍ଥା ସୃଷ୍ଟି ହୋଇପାରେ, ୨ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ

ଏସ୍‌ଆର୍‌ସି ଶ୍ରୀ ଜେନା ଜଣାଇଛନ୍ତି ଯେ ମଙ୍ଗଳବାର ସକାଳେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସ୍ପଷ୍ଟ ହୋଇଛି। ଏହି ଲଘୁଚାପ ବଳୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆକାଶରେ ରହିଛି। ଏହା ଆଗକୁ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ। ତେବେ ଆସନ୍ତା ୨୪ ଘଣ୍ଟା ଭିତରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ। ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଯାହାଯୋଗୁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ୍‌ ସତର୍କତା ଜାରି କରାଯାଇଛି। ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ସତର୍କତା ଜାରି ହୋଇଛି।

ଆସନ୍ତା ଗୁରୁବାର ସକାଳ ସୁଦ୍ଧା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଅରେଞ୍ଜ ସତର୍କତା ଏବଂ କେନ୍ଦୁଝର, ଅନୁଗୁଳ ନୂଆପଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ। ଯେଉଁଥିପାଇଁ ଏସବୁ ଦିନମାନଙ୍କରେ ଏହି ଜିଲ୍ଲାଗୁଡ଼ିକରେ ୟେଲୋ ସତର୍କତା ଜାରି କରାଯାଇଛି। ସେହିପରି ଅଗଷ୍ଟ ୭, ୮ ଓ ୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ। ଉପକୂଳ ଜିଲ୍ଲାରେ ମତ୍ସ୍ୟଜୀବୀମାନେ ଯେପରି ସମୁଦ୍ର ଭିତରକୁ ନ ଯାନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖିବେ। ଯେ କୌଣସି ଆକସ୍ମିକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ୨୪ ଘଣ୍ଟା‌ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପଟି ଅଧିକ ଘନୀଭୂତ ହେବାକୁ ଥିବାରୁ ଏହା ପ୍ରଭାବରେ ଆସନ୍ତାକାଲି ରାଜ୍ୟର ୫ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି କେନ୍ଦୁଝର, ଅନୁଗୁଳ, ନୂଆପଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା‌ରେ ରାଜ୍ୟରେ ୧୧୫.୬ ମିମିରୁ ୨୦୪.୪ ମିମି ମଧ୍ୟରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପିପିଲିରେ ୧୪୪.୦ ମିମି ଓ ନିମାପଡ଼ାରେ ୧୩୦.୮ମିମି ବର୍ଷା ହୋଇଥିବା ବେଳେ ଗୋପ ୯୮.୨ମିମି, ସତ୍ୟବାଦୀ ୮୭.୦ମିମି, କାକଟପୁର ୭୪.୩ମିମି, ଚାନ୍ଦବାଲି ୯୫.୮ମିମି, ଭଦ୍ରକ ୬୫ ମିମି, ଯୋଡ଼ା ୭୨.୮ମିମି, କୁଚିଣ୍ଡା ୬୫.୨ ମିମି, କୋରାପୁଟ କୋଟପାଡ଼ରେ ୭୨.୦, ଦେବଗଡ଼ର ବରକୋଟରେ ୧୦୩.୬ମିମି ଓ ଖୋର୍ଧା ଜିଲ୍ଲା ବାଲିପାଟଣାରେ ୧୧୪.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

କେନ୍ଦ୍ର ପକ୍ଷରୁ କୁହାଯାଇଛି, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଓ ଆସନ୍ତା‌ ଦୁଇ ଦିନ ଯାଏଁ ବର୍ଷା ଲାଗି ରହିବ। ତେବେ ୬ ତାରିଖରେ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ପାଇଁ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖ ଦିନ ରାଜ୍ୟରେ ବିଶେ‌ଷ ବର୍ଷାର ସମ୍ଭାବନା ନାହିଁ। ୮ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, କନ୍ଧମାଳ, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଯୋଗୁଁ ସୁନ୍ଦରଗଡ଼, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

ସମ୍ବନ୍ଧିତ ଖବର