ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି : କୋଭିଡ୍‌ ପାଇଁ ପର୍ଯ୍ୟବେକ୍ଷକ ଜିଲ୍ଲାପାଳଙ୍କୁ ମାର୍ଗଦର୍ଶନ କରିବେ

ଭୁବନେଶ୍ବର : ଜିଲ୍ଲାସ୍ତରରେ କୋଭିଡ୍‌-୧୯ର ସଫଳ ମୁକାବିଲା କରିବା ପାଇଁ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ଅଧିକାରୀମାନଙ୍କ ପରାମର୍ଶ ଅନୁଯାୟୀ ଜିଲ୍ଲାପାଳମାନେ କାର୍ଯ୍ୟ କରିବେ। ଆଜି ଏ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ନେଇ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ଜେନା ଉଲ୍ଲେଖତି ଯେ, ପର୍ଯ୍ୟବେକ୍ଷକମାନେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେବା ସହ ଜିଲ୍ଲାରେ କରୋନା ମହାମାରୀ ଯେପରି ନ ବ୍ୟାପିବ ସେଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ କାର୍ଯ୍ୟ କରିବେ। ପ୍ରତି ୧୫ ଦିନରେ ଥରେ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ଜିଲ୍ଲା ଗସ୍ତ କରି ବାସ୍ତବ ଚିତ୍ର କଣ ଅନୁଧ୍ୟାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଜିଲ୍ଲାପାଳମାନେ ମଧ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ଦୈନିକ ରିପୋର୍ଟ ପଠାଇବେ।

ପର୍ଯ୍ୟବେକ୍ଷକମାନେ ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକମାନଙ୍କର ସ୍ଥିତି ଓ ପ୍ରତ୍ୟେକ ଦିନର ନମୁନା ପରୀକ୍ଷା ସମ୍ପର୍କରେ ସମୀକ୍ଷା କରିବେ। ଜିଲ୍ଲା ଓ ବ୍ଲକ୍‌ ସ୍ତରରେ କୋଭିଡ୍‌ ହସ୍ପିଟାଲର ପରିଚାଳନା, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ନିୟୋଜନ, ସଂକ୍ରମଣ ନ ବ୍ୟାପିବା ପାଇଁ ପଦକ୍ଷେପ, ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଗଲା କି ନାହିଁ ସେ ସମ୍ପର୍କରେ ତଦାରଖ କରିବେ। ଏହାସହିତ ଜିଲ୍ଲାକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ପିଡିଏସ୍‌ ସାମଗ୍ରୀ, ମଧ୍ୟାହ୍ନ ଭୋଜନ ଓ ସରକାରଙ୍କ ଆର୍ଥିକ ଅନୁଦାନ ଠିକ୍‌ଭାବେ ପହଞ୍ଚୁଛି କି ନାହିଁ ସେସବୁର ତଦାରଖ କରିବେ।

ତାଲାବନ୍ଦ ସମୟରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଦୋକାନ ଖୋଲିବା ନେଇ କଟକଣା କୋହଳ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦୂରତା ରକ୍ଷା ସହିତ ଦୋକାନ ଖୋଲିବା ଏବଂ ଜିଲ୍ଲାରେ ଶ୍ରମିକମାନଙ୍କ ପରିବହନ ଓ ରହଣି ସ୍ଥଳୀରେ ଆବଶ୍ୟକ ସୁବିଧା ଓ ସହାୟତା ମିଳୁଛି କି ନାହିଁ, ସେ ନେଇ ମଧ୍ୟ ପର୍ଯ୍ୟବେକ୍ଷକମାନେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର