୪ ସୁଦ୍ଧା ବର୍ଷା ବିତ୍ପାତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି

ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଥିବା ଲୋକଙ୍କୁ ତତ୍କାଳ ରିଲିଫ, ଡିବିଟି ଜରିଆରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ନିର୍ଦ୍ଦେଶ

ଭୁବନେଶ୍ବର : ଚଳିତମାସ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବହୁ ଲୋକ ପ୍ରଭାବିତ ହୋଇଛନ୍ତି। କିଛି ଅଞ୍ଚଳରେ ଲୋକେ ପ୍ରାଣ ହରାଇଥିବାବେଳେ ଲୋକଙ୍କ ଧନ ସମ୍ପତ୍ତି ହାନି ହୋଇଛି। କ୍ଷୟକ୍ଷତି ଭରଣା ବାବଦରେ ରିଲିଫ କୋଡ୍‌ ଅନୁଯାୟୀ, ସରକାର ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ସହାୟତା ପ୍ରଦାନ କରିବେ। ନଭେମ୍ବର ୪ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଆଜି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି, ୩ ଦିନିଆ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବହୁ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବିରାମ ବର୍ଷା ଯୋଗୁଁ ଧନଜୀବନ ଅସ୍ତବ୍ୟସ୍ତ ହୋଇଥିଲା। ଏହି ଲଗାଣ ବର୍ଷାକୁ ସରକାର ରାଜ୍ୟ କେନ୍ଦ୍ରୀକ ପ୍ରାକୃତିକ ଦୁର୍ବିପାକ ‘ପ୍ରବଳ ବର୍ଷା’ ବୋଲି ଘୋଷଣା କରିଛନ୍ତି। ଏକାଧିକ ବ୍ଲକରେ ଗୋଟିଏ ମାସର ହାରାହାରି ବର୍ଷା ପରିମାଣଠାରୁ ୩ ଗୁଣା ଅଧିକ ବର୍ଷା ହୋଇଥିବାବେଳେ ଦିନକରେ ୬୪.୫ ମିଲିମିଟରରୁ ୧୨୪.୪ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବା ସର୍ବସାଧାରଣ ସମ୍ପତ୍ତିର ମରାମତି ପାଇଁ ରାଜ୍ୟ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଣ୍ଠିରୁ ଅର୍ଥ ପ୍ରଦାନ କରାଯିବ। ସେହିପରି ଘରୋଇ ସମ୍ପତ୍ତି କ୍ଷୟକ୍ଷତି ନେଇ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୩୩%ରୁ କିମ୍ବା ତଦୁର୍ଦ୍ଧ ଫସଲ ନଷ୍ଟ ହୋଇଥିବା ଜମି, ବାଲିଚର ମାଡ଼ିଯାଇଥିବା ଚାଷ ଜମି, ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବାସଗୃହ ଓ ଆଂଶିକ ଭାଙ୍ଗି ଯାଇଥିବା ବାସଗୃହ ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିପାଇଁ କ୍ଷିତିଗ୍ରସ୍ତଙ୍କୁ ଚିହ୍ନଟ କରି ସେମାନଙ୍କ କ୍ଷୟକ୍ଷତି ରିପୋର୍ଟ ଆସନ୍ତା ମାସ ୪ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ଭାଙ୍ଗି ଯାଇଥିବା ଘରର ରିପୋର୍ଟ ପ୍ରସ୍ତୁତ କରିବାକୁ ଆବଶ୍ୟକ କର୍ମଚାରୀ ନିୟୋଜିତ କରିବା ସହ ଫସଲ କ୍ଷୟକ୍ଷତି ରିପୋର୍ଟ ଆକଳନ କରିବା ପାଇଁ ରାଜସ୍ବ, କୃଷି ଓ ଉଦ୍ୟାନ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତ କଲାବେଳେ ତଦାରଖ ଅଧିକାରୀ ସ୍ବଚ୍ଛତା ଓ ଠିକ ତଥ୍ୟର ଯାଞ୍ଚ କରିବେ। କ୍ଷୟକ୍ଷତି ରିପୋର୍ଟ ଆକଳନ ପାଇଁ ଯାଉଥିବା କର୍ମଚାରୀ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଫସଲର ଫଟୋ ଉଠାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯାହାର ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଛି କିମ୍ବା ଦୁଇଦିନ ଧରି ପାଣିରେ ବୁଡ଼ି ରହିଥିଲା ସେହି ପ୍ରଭାବିତ ଲୋକଙ୍କୁ ତତ୍କାଳ ଘରଭଙ୍ଗା ସହାୟତା, ରିଲିଫ ସାମଗ୍ରୀ ସମେତ ବାସନକୁସନ ଯୋଗାଇ ଦିଆଯିବ। ମୃତକଙ୍କ ପରିବାରକୁ ରିଲିଫ କୋଡ଼ ଅନୁଯାୟୀ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ। ଏଥିପାଇଁ ଏସ୍‌ଆର୍‌ସିଙ୍କ ପାଣ୍ଠିକୁ ଅପେକ୍ଷା ନ କରି ଜିଲ୍ଲାସ୍ତରରେ ଗଚ୍ଛିତ ଥିବା ପାଣ୍ଠିରୁ ତତ୍କାଳ ସହାୟତା ପ୍ରଦାନ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ରସିଦ ଆଧାରରେ ସମ୍ପୃକ୍ତ ଜିଲ୍ଲାକୁ ପାଣ୍ଠି ଭରଣା କରାଯିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏସଆରସି ସ୍ପଷ୍ଟ କରିଛନ୍ତି ଯେ, କୌଣସି କ୍ଷତିଗ୍ରସ୍ତଙ୍କୁ ନଗଦ ପ୍ରଦାନ କରା ନ ଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯିବ। ଏଥିପାଇଁ କ୍ଷୟକ୍ଷତି ଆକଳନ କରିବା ପାଇଁ ଯାଉଥିବା କର୍ମଚାରୀଙ୍କୁ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ପାସବୁକର ପ୍ରଥମ ପୃଷ୍ଠାର ଜେରକ୍ସ କପି ସଂଗ୍ରହ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠିରେ ଏସ୍‌ଆର୍‌ସି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର