ପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟରେ ବର୍ଷା ଜାରି ରହିଛି। ମହାନଦୀ ଓ ବୈତରଣୀରେ ବନ୍ୟାଜଳସ୍ତରବ ବଢ଼ିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଅବପାତ ପରେ ଛତିଶଗଡ଼ ମୁହାଁ ହେବ ଲଘୁଚାପ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ତେଣୁ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆରସି କହିଛନ୍ତି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଜିଲ୍ଲାପାଳମାନଙ୍କୁ ଏସ୍‌ଆରସି କହିଛନ୍ତି, ବର୍ଷା ଓ ବନ୍ୟା ଯୋଗୁଁ କିଛି ସ୍ଥାନରେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିପାରେ। ସେହିପରି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସହରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀମା‌ନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି। ବନ୍ୟାପରେ କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି ଯେ, ଆଜି ପାଇଁ ଉପକୂଳ ଓଡିଶାର ୭ ଜିଲ୍ଲାକୁ ରେଡ ଆଲର୍ଟ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି। ସେହିପରି ରାଜ୍ୟର ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅରେଞ୍ଜ ଆଲର୍ଟରେ ଥିବା ଜିଲ୍ଲାଗୁଡ଼ି ହେଲା ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ବରଗଡ଼। ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ଅଲର୍ଟ ଜାରି କରାଯାଇଛି।

ସେହିପରି ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ୧୦ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି। ଉପକୂଳରେ ପ୍ରବଳ ବର୍ଷା ସହ ଝଡ ପବନ ସମ୍ଭାବନା। ଘଣ୍ଟା ପ୍ରତି ୪୫ ରୁ ୫୫ ଏବଂ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ବହିବ। ସମୁଦ୍ର ଅଶାନ୍ତ ରହିବା ସହ ୪ରୁ ୬ ମିଟର ଉଚ୍ଚ ଜୁଆର ଆସିବ। ସେଥିପାଇଁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି। ଉପର ମହାନଦୀ, ତଳ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର