ଭୁବନେଶ୍ବର : ଦୀପାବଳିରେ ‘ସବୁଜ ବାଣ’କୁ ହାଇକୋର୍ଟ ଅନୁମତି ଦେଲା ପରେ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏଥିରେ କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଦୀପାବଳି ଦିନ ୪ ତାରିଖ ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଯିବ। ଏହା ପୂର୍ବରୁ କିମ୍ବା ପରେ କେହି ବାଣ ଫୁଟାଇପାରିବେ ନାହିଁ। ଏହାକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି।
ଗାଇଡ୍ଲାଇନ୍ରେ କୁହାଯାଇଛି ଯେ ଯେଉଁ ବ୍ୟବସାୟୀ ଓ ଡିଲର୍ ସେମାନଙ୍କ ଷ୍ଟକ୍ ଯାଞ୍ଚ୍ ପରେ ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଜ୍ ସେଫ୍ଟି ଅର୍ଗାନାଇଜେସନ୍(ପେସୋ) ଠାରୁ ସାର୍ଟିଫିକେଟ୍ ପାଇଥିବେ, ସେମାନେ ବାଣ ବିକିବାକୁ ଯୋଗ୍ୟ ବିବେଚିତ ହେବେ। ବ୍ୟବସାୟୀ/ଡିଲର୍ ସେମାନଙ୍କ ପେସୋ ସାର୍ଟିଫିକେଟ୍କୁ ଜିଲ୍ଲା ପ୍ରଶାସନ/ ପୁଲିସ କମିସନର୍ଙ୍କ ନିକଟରେ ଦାଖଲ କଲା ପରେ ସବୁଜ ବାଣ ବିକ୍ରି ପାଇଁ ଅନୁମତି ପାଇବେ। କେବଳ ବାଣ ପ୍ୟାକେଟ୍ ଉପରେ ‘ସବୁଜ ବାଣ’ ଲେଖିଦେଲେ ତାହାକୁ ଅନୁମତି ଦିଆଯିବ ନାହିଁ। ପେସୋ ସାର୍ଟିଫିକେଟ୍ ଆଣିବା ବାଧ୍ୟତାମୂଳକ। ବାଣ ଦୋକାନ ଖୋଲିବାକୁ ସ୍ଥାନୀୟ ପ୍ରଶାସନ ସ୍ବତନ୍ତ୍ର ଜାଗା ଚିହ୍ନଟ କରିବ। ସେଠାରେ ଦୋକାନୀମାନେ ବାଣ ବିକ୍ରି କରିବେ। ଯେତେବେଳେ ପ୍ରଶାସନ ଚାହିଁବ, ସେତେବେଳେ ହୋଲ୍ସେଲର୍/ ରିଟେଲର୍ମାନେ ବାଣର ‘ଅରିଜିନାଲ୍ ଇନ୍ଭଏସ୍’ ଦେଖାଇବେ। ଏହିସବୁ ଗାଇଡ୍ଲାଇନ୍କୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ/ କମିସନରେଟ୍ ପୁଲିସ୍ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସବୁଜ ବାଣ ବାଦ୍ ଅନ୍ୟ ସବୁପ୍ରକାର ବାଣର ବିକ୍ରି ଓ ବ୍ୟବହାରକୁ ନିଷେଧ କରାଯାଇଛି।