ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପିଇବା ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ଲୋକେ ନଦୀ ଜଳକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ତ ଆଉ କେଉଁଠି ଲୋକେ କୂଅ ପୋଖରୀ ଉପରେ ନିର୍ଭରଶୀଳ। ଆଗକୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାକୁ ଥିବାରୁ ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ଯେଉଁ ସ୍ଥାନରେ ପାନୀୟ ଜଳ ସଙ୍କଟ ରହିଛି ତାହାକୁ ଚିହ୍ନଟ କରିବା ସହ ତୁରନ୍ତ ଜଳ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଗ୍ରାମ ଓ ୱାର୍ଡ ଅନୁଯାୟୀ ପାନୀୟ ଜଳ ଅଭାବ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଏଥିସହ ଅଚଳ ନଳକୂଳ ମରାମତି ସହ ପାଇପ୍ ପାଣି ଯୋଗାଣ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି। କେନାଲ ଓ ରିଜର୍ଭର ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ତୁରନ୍ତ ଜଳ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ସହରାଞ୍ଚଳ, ଗ୍ରାମ ପଞ୍ଚାୟତ ସ୍ତରରେ ବଜାର, ବସ୍ଷ୍ଟାଣ୍ଡ ସମେତ ଅଧିକ ସଂଖ୍ୟକ ଲୋକ ଚଳପ୍ରଚଳ କରୁଥିବା ସ୍ଥାନରେ ‘ପାନୀୟ ଜଳ ସେବା କେନ୍ଦ୍ର’ ପ୍ରତିଷ୍ଠା କରାଯିବ। ସେଠାରେ ଦିଆଯିବାକୁ ଥିବା ପାନୀୟ ଜଳର ମାନ ଯେପରି ଠିକ୍ ରହିବ ତାହା ସ୍ଥାନୀୟ ପ୍ରଶାସନ ସୁନିଶ୍ଚିତ କରାଇବ। ସାମାଜିକ ଅନୁଷ୍ଠାନଗୁଡ଼ିକୁ ଏଥିରେ ସାମିଲ କରାଯାଇପାରେ। ତେବେ କୌଣସି ଏଜେନ୍ସି ଦ୍ବାରା ଖୋଲା ଯାଉଥିବା ଜଳ ସେବା କେନ୍ଦ୍ରଗୁଡ଼ିକ ଉପରେ ଭରସା ନ କରିବାକୁ ପରାମର୍ଶ ଦିଆଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଆବାସସ୍ଥଳୀ, ଗୋଷ୍ଠୀକେନ୍ଦ୍ର ଓ ଅନ୍ୟାନ୍ୟ ସର୍ବସାଧାରଣ କୋଠାରେ ନିରାଶ୍ରୟଙ୍କ ବିଶ୍ରାମ ପାଇଁ ଦିନ ସମୟରେ ଖୋଲା ରଖିବାକୁ କୁହାଯାଇଛି। ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ। ଆବାସ ସ୍ଥଳଗୁଡ଼ିକରେ ସ୍ବଚ୍ଛ ପାନୀୟ ଜଳ, ଓଆରଏସ୍ ବ୍ୟବସ୍ଥା କରିବେ।
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପ୍ରସ୍ତୁତି
ଅଚଳ ନଳକୂଳ ମରାମତି କରିବାକୁ ନିର୍ଦ୍ଦେଶ
ରାଜ୍ୟ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏନେଇ ବିସ୍ତୃତ ନିୟମାବଳୀ ଜାରି କରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ କରାଇବା, କ୍ୟାମ୍ପସରେ ଥିବା ଅଚଳ ନଳକୂପ ମରାମତି, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ ରଖିବେ। ଅଭିଭାବକଙ୍କୁ ଏନେଇ ସଚେତନ କରାଇବେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାନୀୟ ଜଳ ଓ ଓଆରଏସ୍ ମହଜୁଦ ରଖିବେ, ପିଏଚ୍ସି, ସିଏଚ୍ସି ଓ ସବ୍ଡିଭିଜନାଲ/ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ମେଡିସିନ୍, ସାଲାଇନ୍ ରଖିବା ସହ ସ୍ବତନ୍ତ୍ର ୱାର୍ଡ ତଥା ଶଯ୍ୟାର ବ୍ୟବସ୍ଥା କରାଯିବ। ୨୪ ଘଣ୍ଟିଆ ବିଜୁଳି ସରବରାହ ଜାରି ରଖିବା ଦିଗରେ ଶକ୍ତି ବିଭାଗ ପଦକ୍ଷେପ ନେବ। ଯଦି କୌଣସି ସ୍ଥାନରେ ମରାମତି ଅତ୍ୟନ୍ତ ଜରୁରି ଥିବ ତାହା ହେଲେ ଉପଭୋକ୍ତାଙ୍କୁ ଆଗୁଆ ସୂଚନା ଦେବାକୁ କୁହାଯାଇଛି। ରାଜ୍ୟ ଓ ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଭାରତୀୟ ପାଣିପାଗ ବିଭାଗର ଗ୍ରୀଷ୍ମ ପ୍ରବାହ ଚେତାବନୀକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବେ।
ପରିବହନ ପାଇଁ ପ୍ରତ୍ୟେକ ବସ୍ରେ ପିଇବା ପାଣି, ବରଫ ପ୍ୟାକ୍, ଓଆରଏସ୍ ରଖିବା ବାଧ୍ୟତାମୂଳକ। ବସ୍ ରହଣୀସ୍ଥଳରେ ଯେପରି ଯାତ୍ରୀ ଛାଇରେ ଛିଡ଼ା ହେବେ ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହେବ। କୌଣସି ବସ୍ରେ ଯେପରି ଅଧିକ ଭିଡ଼ ନ ହୁଏ, ଲୋକ ଛିଡ଼ା ହୋଇ ନଯାଆନ୍ତି ସେଥିପାଇଁ ଆରଟିଓମାନେ ଯାଞ୍ଚ କରିବେ। ଏହାବ୍ୟତୀତ ପ୍ରତ୍ୟେକ ବସ୍ଷ୍ଟାଣ୍ଡ ଓ ବସ୍ଷ୍ଟପ୍ରେ ଜଳଛତ୍ର ଖୋଲିବା, ଏହାକୁ ନିୟମିତ ଚଳାଇବା, ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲି ସ୍ଥିତି ଉପରେ ନିୟନ୍ତ୍ରଣ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।