ଭୁବନେଶ୍ବର/ ପୁରୀ: ପୁରୀର ସିପସରୁବାଲିରେ ନିର୍ମାଣ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଓଡ଼ିଶାର ସବୁଠୁ ବଡ଼ ବିମାନବନ୍ଦର ହେବ। ପ୍ରଥମ ପର୍ଯ୍ୟାୟରେ ଏଠାରେ ବାର୍ଷିକ ୪୬ଲକ୍ଷ ଯାତ୍ରୀ ଯାତାୟାତ କରିବା ଭଳି ବ୍ୟବସ୍ଥା ରହିବ। ଏବେ ରାଜ୍ୟର ସବୁଠୁ ବଡ଼ ବିମାନବନ୍ଦର ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାର୍ଷିକ ୪୦ଲକ୍ଷ ଯାତ୍ରୀ ଯାତାୟାତ କରିବାର ବ୍ୟବସ୍ଥା ଥିବାବେଳେ ପୁରୀରେ ଏହାଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବାକୁ ଇଡ୍‌କୋ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ସଂପୂର୍ଣ୍ଣ ସୌର ଶକ୍ତିରେ (ଗ୍ରିନ୍‌ଫିଲ୍ଡ) ପରିଚାଳିତ ହେବାକୁ ଥିବା ଏହି ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ୩ବର୍ଷରେ ଅର୍ଥାତ୍ ୧୦୯୫ ଦିନରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପିପିପି ମୋଡ୍‌ରେ ନିର୍ମାଣ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୨୨୦୩କୋଟି ଟଙ୍କାର ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଛି।

Advertisment

୧୧୬୪ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜମି ଯୋଗାଇବା ସହ ଆନୁଷଙ୍ଗିକ ସୁବିଧା ଓ ନିର୍ମାଣ କାର୍ଯ୍ୟ କରିବାକୁ ଥିବାବେଳେ ଘରୋଇ ସଂସ୍ଥା ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ। ଫେବ୍ରୁଆରି ୧୭ରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଗ୍ରହୀ ସଂସ୍ଥା ଫେବ୍ରୁଆରି ୨୧ରୁ ଏପ୍ରିଲ ୨୦ ମଧ୍ୟରେ ଆବେଦନ କରିବେ। ମାର୍ଚ୍ଚ ୧୫ରେ ପ୍ରି ବିଡ୍‌ ବୈଠକ ହେବ। ଏପ୍ରିଲ ୨୧ରେ ଏହି ଟେଣ୍ଡର ଖୋଲାଯିବ। ଏହାପରେ ରାଜ୍ୟ ସରକାର କାର୍ଯ୍ୟାଦେଶ ଦେବେ ବୋଲି ଜଣାପଡ଼ିଛି। ଅପରପକ୍ଷେ ନିର୍ମାଣ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ପରିବେଶ ମଞ୍ଜୁରି ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମତାମତ ଆହ୍ବାନ କରାଯାଇଛି। ବିମାନବନ୍ଦର ପରିବେଶ ଉପରେ କୌଣସି ପ୍ରଭାବ ପକାଇବ କି? କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ପ୍ରଭାବିତ ହେବେ କି? ବିମାନବନ୍ଦର ସ୍ଥାପନ ହେଉଥିବା ସ୍ଥାନରେ ଜନସାଧାରଣ ଓ ପ୍ରକଳ୍ପ ଯୋଗୁ ଉଚ୍ଛେଦ ହେଉଥିବା ବାସିନ୍ଦାଙ୍କର ଏନେଇ ମତାମତ ନିଆଯିବ। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପତ୍ତି ଅଭିଯୋଗ ଓ ମତାମତକୁ ଆଧାର କରି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବିମାନବନ୍ଦରକୁ ପରିବେଶ ମଞ୍ଜୁରି ପ୍ରଦାନ କରିବେ। ତେବେ ପୂର୍ବରୁ ବିମାନବନ୍ଦର ଦ୍ବାରା ପରିବେଶ ପ୍ରଭାବ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୪ ତାରିଖରେ ଶାମୁକା ଗ୍ରିଡ‌୍‌ ଷ୍ଟେସନରେ ପ୍ରଭାବିତ ହେଉଥିବା ବ୍ୟକ୍ତିବିଶେଷ ଓ ପରିବେଶକର୍ମୀମାନେ ମତାମତ ଦେଇପାରିବେ।

ଗ୍ରିନ୍‌ ଫିଲ୍‌ଡ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସରକାର ୨୦୨୧ ମସିହା ଜାନୁଆରି ୧ରେ ଘୋଷଣା କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଚିଲିକା ହ୍ରଦ ଓ ନିକଟବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ସମ୍ଭାରକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଜରୁରି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। ଏହାଛଡ଼ା ରଥଯାତ୍ରାରେ ଅଂଶଗ୍ରହଣ ପାଇଁ ୧୯୨ଟି ଦେଶର ଶ୍ରୀଜଗନ୍ନାଥ ଭକ୍ତ ଚାହିଁ ବସୁଥିବାରୁ ଏହି ବିମାନବନ୍ଦର ହେଲେ ସେମାନେ ଏଠାରେ ସ୍ବଚ୍ଛନ୍ଦରେ ପହଞ୍ଚିପାରିବେ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ୧୧୬୪ ଏକର ଜମି ଚିହ୍ନଟ ହୋଇଥିଲା। ଏହା ମଧ୍ୟରେ ୬୮ ଏକର ଜଙ୍ଗଲ ଜମି ରହିଥିଲା। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଘରୋଇ ମାଲିକାନାରେ ସିପସରୁବାଲିରେ ୧୫୩.୩୭ଏକର, ଷଣ୍ଢପୁର ଗ୍ରାମରେ ୬୮.୧୧ଏକର ରହିଛି। ସୂଚନାଯୋଗ୍ୟ ଯେ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପୁରୀ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ଶେଷ ପରେ ଉଦ୍‌ଘାଟନ କରି‌ବାକୁ ଆମନ୍ତ୍ରଣ କରିଥିଲେ।