ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର କାଙ୍କଣଶିଖରୀ

ଗୋପନଲୀଳା ରଚିଥିଲେ ଚତୁର୍ଦ୍ଧାମୂର୍ତ୍ତି, ପ୍ରଥମଥର ପାଇଁ ଲାଗି ହୋଇଥିଲା କାଙ୍କଣ

ନାଚୁଣୀ: ନୀଳାମ୍ବୁ ଚିଲିକା ସହ ଶ୍ରୀ ଜଗନ୍ନାଥଙ୍କ ସହ ସମ୍ପର୍କ ଅତିବ ନିବିଡ଼। ମାଦଳାପାଞ୍ଜି ବର୍ଣ୍ଣନାରୁ ଜଣାଯାଏ ‌ଯେ ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ଦୁଇଦୁଇଥର ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡ଼ି ଚିଲିକା ମଧ୍ୟକୁ ଆସି ଗୋପନଲୀଳା ରଚିଥିଲେ। ସେତେବେଳେ ମୁସଲିମ ଶାସକ ତକି ଖାଁ ଶ୍ରୀମନ୍ଦିର ଆକ୍ରମଣ କରିବାରୁ ଶ୍ରୀମନ୍ଦିର ପଣ୍ଡା ପଢ଼ିଆରୀ ଶ୍ରୀଜିଉଙ୍କୁ ରତ୍ନ ସିଂହାସନରୁ ଅପସାରଣ କରି ପୁରୀ ନିକଟବର୍ତ୍ତୀ ବ୍ରହ୍ମଗିରି ସଂଲଗ୍ନ ଚିଲିକାର ଦୋବନ୍ଧା ଘାଟରୁ ଚିଲିକା ମଧ୍ୟ ଦେଇ ଭେଳାରେ କାଙ୍କଣଶିଖରୀକୁ ନେଇ ଆସିଥିଲେ। ସେଇଠି ପ୍ରଭୁଙ୍କୁ ସୁରକ୍ଷିତ ରଖାଯାଇଥିଲା। ମାଦଳାପାଞ୍ଜି ବର୍ଣ୍ଣନା ଅନୁଯାୟୀ, କାଙ୍କଣଶିଖରୀର ନାମ କାଙ୍କଣକୁଦ ଥିଲା। ସେତେବେଳେ ପଣ୍ଡା ପଢ଼ିଆରୀ ଆରାଧ୍ୟ ତିନିଠାକୁରଙ୍କ ପାଇଁ ୩ଟି ଚକଡା଼ ପଥର ବ୍ୟବସ୍ଥା କରାଇ ନୈବେଦ୍ୟ ଅର୍ପଣ କରିଥିଲେ। ଏଠାରେ ବହୁତ କାଙ୍କଣ ଫଳ ଫଳୁଥିଲା। କଣ୍ଟା ଯୁକ୍ତ କାଙ୍କଣଫଳ ଶ୍ରୀମନ୍ଦିର ରୋଷେଇ ପାଇଁ ନିଷିଦ୍ଧ ଥିଲେ ମଧ୍ୟ ପ୍ରଥମକରି ଏଠାରେ ଠାକୁରଙ୍କ ପାଇଁ ମଣୋହି ପାଇଁ ବ୍ୟଞ୍ଜନ କରାଯାଇଥିଲା। ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ, ଏହାପରଠାରୁ କାଙ୍କଣ ଫଳ ଶ୍ରୀମନ୍ଦିରରେ ବ୍ୟବହାର ହୋଇଆସୁଛି।

ଚିଲିକାର ଲୁଣି ଜଳ ପରିବେଷ୍ଟିତ କାଙ୍କଣଶିଖରୀ ଟାପୁରେ ପାନୀୟଜଳର ଅଭାବ ପରିଲକ୍ଷିତ ହେଉଥିଲେ ହେଁ ପ୍ରଭୁଙ୍କ କରୁଣାରୁ କାଙ୍କଣଶିଖରୀ ଅନତିଦୂର ସ୍ଥଳଭାଗ ଯମୁନା ଘାଟରୁ ମିଳୁଛି ପ୍ରଚୁର ମଧୁର ଜଳ। ଯାହା ପ୍ରଭୁଙ୍କ ସେବାରେ ଲାଗିପାରୁଛି। କାଙ୍କଣଶିଖରୀକୁ ଶ୍ରୀଜିଉମାନଙ୍କର ଦୁଇଦୁଇଥର ଆଗମନ ଭଳି ପାଖ ନଈରୀ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ହରିହରେଶ୍ୱର ମହାଦେବଙ୍କ ପୀଠରେ ମଧ୍ୟ ପ୍ରଭୁଙ୍କ ରହଣି ଓ ପୂଜାର୍ଚ୍ଚନା ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଜନଶ୍ରୁତି ଅନୁଯାୟୀ, ପରମ୍ପରା ରକ୍ଷା କରି ଶ୍ରୀଜିଉଙ୍କୁ ଶଗଡ଼ରେ ବିଜେ କରାଯାଇ ରଥଯାତ୍ରା କରାଯାଇଥିଲା। ସେତେବେଳେ ଗୋପନରେ ଅନୁଷ୍ଠିତ ଏହି ଶଗଡ଼ି ରଥ ଯାତ୍ରାରେ ତତ୍କାଳୀନ ଗଜପତି ଶ୍ରୀରାମଚନ୍ଦ୍ର ଦେବ ଗୋପନରେ ଏହି ନଈରୀ ପୀଠକୁ ଆଗମନ କରି ପ୍ରଭୁଙ୍କୁ ଦର୍ଶନ କରିଥିଲେ। ୨୦୦୮ପରଠାରୁ ଏହାର ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷା ଦେବାକୁ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଆସୁଛି।

୨୦୧୫ ମସିହାରେ ନଈରୀ ଗ୍ରାମବାସୀଙ୍କୁ ସାମିଲ କରାଯାଇ ଚକାଦେବଙ୍କ ସିଂହାସନ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା। ପରେ ସେହିବର୍ଷ ଅକ୍ଷୟ ତୃତୀୟାରେ କାଙ୍କଣ ଶିଖରୀ ଐତିହ୍ୟର ପୁନରୁଦ୍ଧାର ପାଇଁ ସ୍ମାରକୀ, ମନ୍ଦିର ନିର୍ମାଣ ପାଇଁ ଆନୁଷ୍ଠାନିକ ମୂଳଦୁଆ ପଡ଼଼ିଥଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ସ୍ୱୀକୃତି ଓ ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ୨୦୧୫ ନବକଳେବର ବର୍ଷରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାରେ ବ୍ୟବହୃତ ନନ୍ଦିଘୋଷ ରଥର ଏକ ଚକାକୁ କାଙ୍କଣଶିଖରୀ ପୀଠରେ ନବ ନିର୍ମିତ ସ୍ମାରକୀ ମନ୍ଦିର ମଧ୍ୟସ୍ଥ ସିଂହାସନ ପିଣ୍ଡିରେ ପ୍ରତିଷ୍ଠା କରାଯାଇଛି। ରଥଯାତ୍ରା ଅବସରରେ ନନ୍ଦିଘୋଷ ଡଙ୍ଗାରେ ତିନିଠାକୁରଙ୍କ ବିଜେ ପ୍ରତିମାଙ୍କୁ ବିରାଜମାନ କରାଇ ଚିଲିକା ଜଳରେ କାଙ୍କଣଶିଖରୀ ପୀଠ ଚତୁଃପାର୍ଶ୍ୱ ସପ୍ତବାର ପରିକ୍ରମା କରାଯାଇଥାଏ । ଲୀଳା କ୍ଷେତ୍ର ଟ୍ରଷ୍ଟ ଓ କାଙ୍କଣ ଶିଖରୀ ପୀଠ ପକ୍ଷରୁ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନଈରୀ ଗ୍ରାମବାସୀଙ୍କ ସହିତ ଅନ୍ୟାନ୍ୟ ଅଞ୍ଚଳର ଜଗନ୍ନାଥପ୍ରେମୀ ସହଯୋଗ କରିଥାନ୍ତି।

ସମ୍ବନ୍ଧିତ ଖବର