ଫୁଲବାଣୀ: ଫୁଲବାଣୀ ସହର ଉପକଣ୍ଠର ଡମ୍‌ସିଂ ପାହାଡ଼ ଉପରେ ଶ୍ରୀଜଗନ୍ନାଥଙ୍କର ଏକ ବିଶାଳ ମନ୍ଦିର ଶୋଭା ପାଉଛି। ଡମ୍‌ସିଂ ପାହାଡ଼ ତଳେ ପୁଣ୍ୟତୋୟା ସାଲୁଙ୍କୀ ନଦୀ ବହି ଯାଉଛି। ଡମ୍‌ସିଂ ପାହାଡ଼ ଉପରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ ଫର ଫର ଉଡୁଛି। ଅତ୍ୟନ୍ତ ମନୋରମ ପରିବେଶ ଓ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ପରିବେଶରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଶୋଭା ପାଉଛି। କନ୍ଧମାଳ ଜିଲ୍ଲାର ସବୁଠୁ ଉଚ୍ଚତମ ମନ୍ଦିର ଭାବେ ଫୁଲବାଣୀ ଜଗନ୍ନାଥ ମନ୍ଦିର ଜଣାଯାଏ। ମନ୍ଦିରଟିର ପ୍ରମୁଖ ତିନୋଟି ବିଭାଗ ମୁଖ୍ୟମନ୍ଦିର, ଗର୍ଭଗୃହ, ମୁଖଶାଳାର ଗଠନ ଅତ୍ୟନ୍ତ ମନୋମୁଗ୍‌ଧକର। କନ୍ଧମାଳର ତତ୍କାଳୀନ ଜିଲ୍ଲାପାଳ ତଥା ନାଟ୍ୟକାର କୈଳାସ ଚନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ୧୯୭୨ ମସିହାରେ ଫୁଲବାଣୀଠାରେ ଜଗନ୍ନାଥ ମନ୍ଦିରର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା।

Advertisment

ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାଟକ ମଞ୍ଚସ୍ଥ କରି ଏଥିରୁ ଆଦାୟ ହୋଇଥିବା ଅର୍ଥରେ ମନ୍ଦିର ନିର୍ମାଣ କାମ ଆଗେଇ ଚାଲିଥିଲା। ୧୯୮୨ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଉଜ୍ଜ୍ବଳ ସିଂ ଭାଟିଆଙ୍କ ଉଦ୍ୟମରେ ଜଗନ୍ନାଥ ମନ୍ଦିର ନିର୍ମାଣ କାମ ଜୋରଦାର ହୋଇଥିଲା। ୧୯୮୯ ମସିହାରେ ଜିଲ୍ଲାପାଳ ଉମେଶ ଚନ୍ଦ୍ର ଜେନାଙ୍କ ଅମଳରେ ଜଗନ୍ନାଥ ମନ୍ଦିର ନିର୍ମାଣ କାମ ଶେଷ ହେବା ସହିତ ପ୍ରତିଷ୍ଠା ହୋଇଥିଲା। ନୟାଗଡ଼ ନିକଟ ଭାଡ଼ିକେଲା ଗ୍ରାମର ସ୍ଥପତି ଉଦୟନାଥ ମହାରଣାଙ୍କ ନେତୃତ୍ବରେ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଥିଲା। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ।

୧୯୬୦ ମସିହାରେ ଫୁଲବାଣୀ ହାଟପଦାର ଦାମୋଦର ସାହୁ ନାମକ ଜଣେ ବ୍ୟକ୍ତି ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଇଥିଲେ। ସେ ପୁରୀରୁ ନିଜ ସାଥୀରେ ଜଗନ୍ନାଥଙ୍କ ବିଗ୍ରହ ଆଣିଥିଲେ। ଏହି ବିଗ୍ରହକୁ ସେ ଫୁଲବାଣୀ ସହରର ହାଟପଦାଠାରେ ଥିବା ଭାଗବତ ମନ୍ଦିରରେ ସ୍ଥାପନା କରିବାକୁ ଚାହିଁଥିଲେ। ମାତ୍ର ପରେ ଫୁଲବାଣୀସାହି ନିକଟସ୍ଥ ପଶ୍ଚିମପଟ ପାହାଡ଼ରେ ଥିବା ତ୍ରିନାଥମେଳା ଆସ୍ଥାନରେ ମହାପ୍ରଭୁଙ୍କୁ ରଖି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ପ୍ରଥମବର୍ଷ ଗୋଟିଏ ଛୋଟ ରଥ ନିର୍ମାଣ କରି ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ହାଟପଦାର ଭାଗବତ ମଣ୍ଡପ ସାମ୍ନାରେ ଥିବା ଅସ୍ଥାୟୀ ମାଉସୀମା' ମନ୍ଦିରକୁ ତିନି ଠାକୁରଙ୍କୁ ଅଣାଯାଇଥିଲା। ୧୯୬୧ ମସିହାରେ ପୁରୁଣା ପେଟ୍ରୋଲ ଟାଙ୍କି ନିକଟରେ ଏକ ଛୋଟ ଚାଳିଆଘର ନିର୍ମାଣ କରାଯାଇ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସେଠାରେ ସ୍ଥାପନା କରାଗଲା। ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ମହା ସମାରୋହରେ ପାଳିତ ହୋଇଥାଏ।