ଶ୍ରୀଜଗନ୍ନାଥ ମନ୍ଦିର ମାମଲା ହାଇକୋର୍ଟରେ: ରତ୍ନଭଣ୍ଡାରକୁ ନେଇ ପୁଣି ଚର୍ଚ୍ଚା

ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଦାଖଲ କରିବେ ଆମିକସକ୍ୟୁରୀ

କଟକ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ମରାମତି ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସକ୍ୟୁରୀ ଶ୍ରୀମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ବର୍ତ୍ତମାନର ବାସ୍ତବ ସ୍ଥିତିକୁ ନେଇ ଆମିକସକ୍ୟୁରୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ। ଏହି ପ୍ରସଙ୍ଗରେ କୋର୍ଟରୁ ନିର୍ଦ୍ଦିଷ୍ଟ ଭାବେ କି ପ୍ରକାର ନିର୍ଦ୍ଦେଶ ଆବଶ୍ୟକ, ସେ ନେଇ ସତ୍ୟପାଠରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଆଜିର ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।

୨୦୧୮, ମାର୍ଚ୍ଚ ୨୨ରେ ହାଇକୋର୍ଟ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) କର୍ତ୍ତୃପକ୍ଷ ଓ ଆମିକସକ୍ୟୁରୀଙ୍କୁ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବ ବୋଲି ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା। ଏହାପରେ ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାର ବିଚାର ବିଭାଗୀୟ ତନନ୍ତ ପାଇଁ ସରକାର ଘୋଷଣା କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୮, ଜୁନ୍‌ ୮ରେ ଗୃହବିଭାଗ ପକ୍ଷରୁ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ପ୍ରକାଶ ପାଇଥିଲା। କମିସନ ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ଗତ କିଛିଦିନ ହେବ ପୁଣି ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ୍‌ ପାଇଁ ଦାବି ଜୋର୍‌ ଧରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆମିକସକ୍ୟୁରୀ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିବେ। ନାଟମଣ୍ଡପ ସହିତ ପରିସରରେ ଥିବା ଦେବାଦେବୀଙ୍କ ବିଭିନ୍ନ ମନ୍ଦିର, ମେଘନାଦ ପାଚେରି ଓ ଅନ୍ୟ ଢାଞ୍ଚାର ସ୍ଥିତି ଆକଳନ କରିବା ପରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବେ। ଯଦି ରତ୍ନଭଣ୍ଡାର ସ୍ଥିତି ଭଲ ନଥାଏ ଓ ମରାମତି ଆବଶ୍ୟକ ଥାଏ ବୋଲି ଆମିକସକ୍ୟୁରୀଙ୍କ ଅନୁଧ୍ୟାନ ବେଳେ ଜଣାପଡ଼େ, ଏ ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ ହେବ। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ଓ ଏହାର ମରାମତି କରାଯିବା ପ୍ରସଙ୍ଗରେ ହାଇକୋର୍ଟରେ ପୁଣି ‌ଶୁଣାଣି ହେବାର ସମ୍ଭାବନା ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ଦାୟର ଏହି ମାମଲାର ହାଇକୋର୍ଟରେ ଶୁଣାଣି ସମୟରେ ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତିର ଅଗ୍ରଗତି ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ବିଭିନ୍ନ ସମୟରେ ସତ୍ୟପାଠ ଦାଖଲ କରିଥିଲା। ଏଥିସହିତ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିରର ମରାମତି ପ୍ରସଙ୍ଗରେ ଏଏସ୍‌ଆଇ ମଧ୍ୟ ତଥ୍ୟ ଦାଖଲ କରିଥିଲା। ସତ୍ୟପାଠରେ ଦର୍ଶାଯାଇଥିଲା ଯେ ୨୦୧୮, ଅଗଷ୍ଟ ୨୦, ୨୧ ଓ ୨୨ ତାରିଖରେ ଏଏସ୍‌ଆଇ ବିଶେଷଜ୍ଞ ଦଳ, କୋର୍ କମିଟି ସଦସ୍ୟ, ମାଡ୍ରାସ ଆଇଆଇଟି ଓ ଖଡଗପୁର ଆଇଆଇଟି ପ୍ରତିନିଧିଙ୍କ ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହାୟତାରେ ନାଟମଣ୍ଡପର ବୈଷୟିକ ଯାଞ୍ଚ କରାଯାଇଥିଲା। ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କ ପକ୍ଷରୁ ଦାଖଲ ଏହି ସତ୍ୟପାଠରେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀଙ୍କ ମନ୍ଦିରର ମରାମତିର ସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଥିଲା। ମେଘନାଦ ପାଚେରି ମରାମତି ପ୍ରସଙ୍ଗରେ ମଧ୍ୟ ଏଏସ୍‌ଆଇ ତଥ୍ୟ ରଖିଥିଲା।
ଏହି ମାମଲାରେ ଇଂଜିନୟର ଏନ.କେ.ମହାନ୍ତିଙ୍କୁ ଆମିକସକ୍ୟୁରୀ ଭାବେ ହାଇକୋର୍ଟ ନିଯୁକ୍ତି ଦେଇଥିଲେ। ଆବେଦନକାରୀ ଅଭିଷେକ ଦାସଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର, ଏଏସଆଇ ତରଫରୁ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର