କଟକଣା ଭିତରେ ଶେଷ ହେଲା ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ କଟକଣା ଭିତରେ ଆଜି ଶେଷ ହୋଇଛି। ବିନା ଶ୍ରଦ୍ଧାଳୁରେ ନିର୍ଦ୍ଦି‌ଷ୍ଟ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ସମ୍ପାଦିତ ହୋଇଛି। ଆଜି ସମସ୍ତ ନୀତି ସଅଳ ବଢ଼ିଛି। ପୂର୍ବ ନିର୍ଦ୍ଧାରିତ ନୀତିଠାରୁ ୪ ଘଣ୍ଟା ଆଗୁଆ ନୀତି ବଢ଼ିଛି। ଭୋର ଚାରିଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ଗୋପାଳ ବଲ୍ଲଭ ଉଠିଛି। ସୂର୍ଯ୍ୟପୂଜା, ରୋଷହୋମ ନୀତି ବଢ଼ି ପୂର୍ବାହ୍ଣ ୧୧ଟା ସୁଦ୍ଧା ସକାଳ ଧୂପ ବଢ଼ିଛି। ମଧ୍ୟାହ୍ନ ୧୨ଟା ସୁଦ୍ଧା ମଧ୍ୟାହ୍ନ ଧୂପ ନୀତି ବଢ଼ି ଗୋଟାଏରେ ପହଡ଼ ହୋଇଛି। ଅପରାହ୍ଣ ୨ଟାରେ ପହଡ଼ ଖୋଲା ଯାଇଛି। ସନ୍ଧ୍ୟା ୭ଟା ସୁଦ୍ଧା ସନ୍ଧ୍ୟା ଧୂପ, ମଇଲମ ଏବଂ ବଡ଼ସିଂହାର ନୀତି ବଢ଼ିଛି। ଆଜି ୪ ଘଣ୍ଟା ଆଗୁଆ ସମସ୍ତ ନୀତି ବଢ଼ିଛି।

Shreekhetra

ପୀଠରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ କୌଣସି ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରି ନାହାନ୍ତି। କେବଳ ଶ୍ରଦ୍ଧାଳୁ କାହିଁକି ସେବାୟତଙ୍କ ପରିବାର ମଧ୍ୟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ମନ୍ଦିର ଚାରିପଟକୁ ସିଲ୍‌ କରି ବ୍ୟାରିକେଡ୍‌ ଦେଇ ଜଗି ରହିଥିଲା। ଦୁଇଟି ପୁଲିସ କ୍ୟାମ୍ପ ୨୪ ଘଣ୍ଟିଆ ପ୍ରହରା ଦେଉଥିଲେ। ଏହା ସହିତ ୧୬ଟି ସିସିଟିଭି ଶ୍ରୀଜିଉଙ୍କ ରତ୍ନସିଂହାସନଠାରୁ ବାହାର ପର୍ଯ୍ୟନ୍ତ ଲାଗିଥିଲା। କେବଳ ପାଳିଆ ସେବାୟତ ହିଁ ଶ୍ରୀଜିଉଙ୍କ ନୀତିକାନ୍ତି ପାଇଁ ମନ୍ଦିର ଭିତରକୁ ଯାଉଥିଲେ। ଅଣସର ଦର୍ଶନ ସମୟରେ ପାଟଅଗଣାକୁ ଲାଗି ରହିଥିବା ଶ୍ରୀଜିଉଙ୍କ ଦୋଳବେଦି ପାଖରେ ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ଏକାଦଶୀ ବେଢ଼ା ଦିନ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳବେଦି ପାଖରେ ବିଜେ ହେବା ସମୟରେ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ସବୁବେଳେ ଗହଳି ଦୋଳବେଦି ପାଖରେ ଲାଗିଥାଏ। ଶ୍ରଦ୍ଧାଳୁ ଦୋଳବେଦିକୁ ସ୍ପର୍ଶ କରି ପତିତପାବନ ବାନାକୁ ଚାହିଁ ନିଜର କଥା କହିଥାନ୍ତି। ଦୋଳବେଦିରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ବିଜେ କରିଥାନ୍ତି। କରୋନା କଟକଣା ଯୋଗୁ ନା ଦୋଳବେଦି ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେଲା ନା ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ବେଢ଼ା ଦିନ ଆସିଲେ। କେବଳ ନୀତି କରାଗଲା। ଶ୍ରୀଜିଉଙ୍କ କୃପା ଲାଭ ପାଇଁ ଶ୍ରଦ୍ଧାଳୁ ପତିତପାବନ ବାନାକୁ ଚାହିଁ ମୁଣ୍ତିଆ ମାରିଥାନ୍ତି। ଚଳିତ ବର୍ଷ ତାହା ହେଲା ନାହିଁ।

ଅଣସର ଦର୍ଶନର ୧୫ ଦିନ ସବୁକିଛି ନିରବତା ଭିତରେ ଚାଲିଲା। ବାଜିଲାନି ବିଜେ କାହାଳୀ, ଶୁଭିଲାନି ଘଣ୍ଟ, ଘଣ୍ଟା, ନାମ ସଂକୀର୍ତ୍ତନ। ଶ୍ରୀହିନ ହୋଇ ପଡିଲା ଚନ୍ଦନ ଚକଡ଼ା। ଝୁରିଲା ଆନନ୍ଦ ବଜାର। ଶୁଭିଲାନି ଶ୍ରୀମଦ୍‌ଭାଗବତ କଥା। ଫିଟିଲାନି ସିଂହଦ୍ବାର। ପ୍ରଶାସନର କଡ଼ା କଟକଣା ଆଉ ନିରବତା ଭିତରେ ଆଜି ଅଣସର ଦର୍ଶନ ଶେଷ ହୋଇଛି। କେବେ ଏହି କରୋନା ମହାମାରୀ ବିଶ୍ବରୁ ଦୂର ହେବ ଓ ପୁଣି ଥରେ ଶ୍ରୀଜିଉଙ୍କ ମନ୍ଦିରରେ ଗହଳି ଲାଗିବ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ସେ ନେଇ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇ ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର