ବ୍ରହ୍ମଗିରି : ଶୁକ୍ରବାର ଦିନ ଶ୍ରୀଅଲାରନାଥଙ୍କ ଏକାଦଶୀ ବେଢ଼ା ନୀତି ବଢ଼ିଛି। ବିଜେ କାହାଳୀ ବାଜିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ବେଢ଼ା ପରିକ୍ରମା କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ଚାରିଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା ନୀତି ବଢ଼ି ଗୋପାଳ ବଲ୍ଲଭ ଉଠିଥିଲା। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ହୋଇଥିଲା। ମଧ୍ୟ୍ୟାହ୍ନ ଗୋଟାଏରେ ସକାଳ ଧୂପ, ଅପରାହ୍ଣ ଦୁଇଟାରେ ଦ୍ବିପ୍ରହର ଧୂପ ବଢ଼ିଥିଲା। ଏହା ପରେ ଶ୍ରୀଜିଉଙ୍କ ବିଜୟ ବିଗ୍ରହ ମଦନମୋହନଙ୍କ ବନକଲାଗି ହୋଇଥିଲା।

Advertisment

ବନକଲାଗି ନୀତି ବଢ଼ିବା ପରେ ସ୍ବତନ୍ତ୍ର ଭାବରେ ଆଳତି ନୀତି ଧୂପ ବଢ଼ିଥିଲା। ସେବାୟତଙ୍କ ବାହୁ ବିଜେ ହୋଇ ଚଳନ୍ତି ପ୍ରତିମା ମୁଖ୍ୟ ମନ୍ଦିରରୁ ବାହାରିବା ପରେ ବିଜେ କାହାଳୀ ବାଜିଥିଲା। ଜୟବିଜୟ ଦ୍ବାର ପାଖରେ ସୁସଜ୍ଜିତ ପାଲିଙ୍କିରେ ବିଜୟ ବିଗ୍ରହ ବିଜେ ହେବା ପରେ ଆଗରେ ନାମ ସଂକିର୍ତ୍ତନ ସହିତ ହରିବୋଲ ହୁଳହୁଳିରେ ବେଢ଼ା କମ୍ପିଥିଲା। ଆଜି ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ବିଜୟ ବିଗ୍ରହ ମୁଖ୍ୟ ମନ୍ଦିର ଚାରିପଟେ ଥରେ ପରିକ୍ରମା କରି ମନ୍ଦିରକୁ ବିଜେ ହୋଇଛନ୍ତି। ଏହା ପରେ ପହଡ ନୀତି ବଢ଼ିଛି। ଅପରାହ୍ଣ ଚାରିଟାରେ ପହଡ ଖୋଲା ଯାଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ସନ୍ଧ୍ୟାରେ ଅନ୍ୟ ସମସ୍ତ ନୀତି ଦୈନଦିନ ନୀତି ଭଳି ବଢ଼ିଥିଲା।