ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ! ଭଣ୍ଡାର ଘରେ ସାଇତା ହୋଇଛି ସୁନା ଓ ରୁପା ଥାଳି, ଦାନରେ ମିଳିଥିବା ତିନି ରୁପା ଥାଳି ଗଲା କୁଆ‌ଡ଼େ?

ପୁରୀ : ଷାଠିଏ ପଉଟି ଭୋଗଖିଆ, କୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଜଗନ୍ନାଥଙ୍କୁ ଗରିବ କରିଦେଲେ। ବିଶ୍ବାସ ହେଉନଥିଲେ ମଧ୍ୟ ସୁନା ଥାଳିରେ ଖାଉଥିବା ତିନି ଠାକୁର ଏବେ ପିତ୍ତଳ ଥାଳିରେ ଖାଉଛନ୍ତି। ଅନ୍ୟପକ୍ଷରେ ଭଣ୍ଡାର ଘରେ ଦୁଇଟି ସୁନା ଥାଳି ଓ ରୁପା ଥାଳିକୁ ସାଇତି ରଖାଯାଇଛି। ଏମିତିକି ମହାପ୍ରଭୁଙ୍କ ଖାଇବା ଲାଗି ଜଣେ ସେବକ ଦେଇଥିବା ତିନିଟି ରୁପା ଥାଳିକୁ ମଧ୍ୟ ବିଭିନ୍ନ ବାହାନା ଦର୍ଶାଇ ବାହାର କରାଯାଉନାହିଁ। ଫଳରେ ମହାପ୍ରଭୁ ବଡ଼ ହିନସ୍ତା ହୋଇ ପିତ୍ତଳ ଥାଳିରେ ଖାଉଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବହୁ ବର୍ଷ ହେଲା ତିନି ଠାକୁରଙ୍କୁ ଆଉ ସୁନା ଥାଳିରେ ଭୋଗ ଲାଗି ହେଉନାହିଁ। ସୁନା ଥାଳି କେବଳ ଏକ ଶୁଣା କଥା ହୋଇ ରହିଯାଇଛି। ୪ କୋଟି ଓଡ଼ିଆଙ୍କ ଇଷ୍ଟ ଦେବତା ମହାପ୍ରଭୁଙ୍କ ପ୍ରତି ଏହା ଘୋର ଅବିଚାର। ସବୁଠୁ ବଡ଼ କଥା ହେଲା, ସୁନା ଥାଳି ବର୍ତ୍ତମାନ ବଡ଼ଦେଉଳରେ ଅଛି ନା ନାହିଁ, ତାହା ବି ସନ୍ଦେହ ଘେରରେ। ଗଜପତିଙ୍କ କର୍ତୃତ୍ବରେ ଶ୍ରୀମନ୍ଦିର ପରିଚାଳିତ ହେଉଥିବା ସମୟରେ ମହାପ୍ରଭୁଙ୍କୁ ତିନି ସୁନା ଥାଳିରେ ଭୋଗ ଲାଗି ହେଉଥିଲା। ଏକଦା ପଥର ପଡି ଗୋଟିଏ ସୁନା ଥାଳି ଭାଙ୍ଗିଯାଇଥିଲା। ଥାଳି ଭାଙ୍ଗିଯିବା ପରେ ମହାପ୍ରଭୁଙ୍କ ପାଇଁ ଆଉ ସୁନା ଥାଳି କିଣା ଯାଇନଥିଲ‌ା, ବରଂ ଗୋଟିଏ ଥାଳି ଭଙ୍ଗାଯାଇ ଏକ ଚକ୍ର ନିର୍ମାଣ କରାଯାଇଥିଲା। ତିନିଟି ଥାଳି ନଥିବାରୁ ମହାପ୍ରଭୁ ପିତ୍ତଳ ଥାଳିରେ ଖାଉଥିଲେ। ବର୍ଷ ବର୍ଷ ଧରି ଏଭଳି ଚ‌ାଲି ଆସିବ‌ା ପରେ ଭଗବାନ ସୁଆର (କଣ୍ଡୁରୀ ମହାସୁଆର) ନାମକ ଜଣେ ସେବକ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିନିଟି ରୁପା ଥାଳି ତିଆରି କରି ଦେଇଥିଲେ। ମହାସୁଆର ଦେଇଥିବା ଏହି ତିନି ରୁପା ଥାଳିରେ କିଛି ଦିନ ଭୋଗ ଲାଗି ହୋଇଥିଲା। ମାତ୍ର ପରେ ଏହାକୁ ବିଭିନ୍ନ ଆ‌ଳ ଦେଖାଇ ବନ୍ଦ କରି ଦିଆଯାଇଛି।

ଏହାକୁ ନେଇ ଭିନ୍ନ କଥା ଶୁଣିବାକୁ ମିଳିଥିବା ବେଳେ ଦାନ ଦେଇଥିବା ସେବକଙ୍କଠାରୁ ଦାବି କରାଯାଇଥିଲା ପ୍ରାପ୍ୟ। ସେବକ ବି କିଛି ଦିନ ପ୍ରାପ୍ୟ ଦେଇଥିଲେ, ତେବେ ପ୍ରାପ୍ୟ ଦେବ‌ା ବନ୍ଦ ହେବା ପ‌ରେ ଥାଳି ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଦାନ ରୁପା ଥାଳି ବର୍ତ୍ତମାନ ଭଣ୍ଡାର ଘରେ ସାଇତା ହୋଇଥିବା ବେଳେ ମହାପ୍ରଭୁ ପିତ୍ତଳ ଥାଳିରେ ଖାଉଛନ୍ତି। ଏବେ ବି ଦୁଇଟି ସୁନା ଥାଳି ଓ ତିନିଟି ରୁପାଥାଳି ରହିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ କଥା ଭୁଲି ଯାଇଛି। ମହାରାଜାଙ୍କ ରାଜତ୍ବ ସମୟରେ ମହାପ୍ରଭୁ ସୁନା ଥାଳିରେ ଖାଉଥିଲେ। ପୁରୀର ବିକାଶ ପାଇଁ ରାଜ୍ୟ ସରକାର ୫ ହଜାର କୋଟି ଟଙ୍କାର ଯୋଜନା କରୁଥିଲା ବେଳେ ମହାପ୍ରଭୁ ପିତ୍ତଳ ଥାଳିରେ ଭୋଗ ଖାଇବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର