କଟକ: ଅମୃତମଣୋହି ସଂପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର। ୫୦ ବର୍ଷରୁ ଅଧିକ ସମୟ ଧରି ଏପରି ଜମିର ଦଖଲ କରିଥିଲେ ମଧ୍ୟ ବେଆଇନ ଜବରଦଖଲାକାରୀଙ୍କ ନାଁରେ ଏହାକୁ କରାଯାଇ ପାରିବ ନାହିଁ। ଏପରି ଦଖଲରେ ଥିବା ବ୍ୟକ୍ତି ଭୋଟର ପରିଚୟପତ୍ର, ଆଧାର କାର୍ଡ, ରାସନ କାର୍ଡ, ବିଦ୍ୟୁତ୍ ବିଲ୍ ହାସଲ କରିଥିଲେ ମଧ୍ୟ ଅମୃତମଣୋହି ଜମି ଉପରେ ସେମାନଙ୍କ ଦଖଲ ଅଧିକୃତ ନୁହେଁ। ଏହି ପରିଚୟପତ୍ର, କାର୍ଡ ଇତ୍ୟାଦି ନଥିପତ୍ର ଏପରି ବ୍ୟକ୍ତିଙ୍କ ନିବାସ ସ୍ଥାନ ଦର୍ଶାଇଥାଏ, ଜମି ଉପରେ ଆଇନଗତ ଅଧିକାର ପ୍ରଦାନ କରି ନଥାଏ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ କଟକ ସଦର ତହସିଲ ଅନ୍ତର୍ଗତ ହାଟସାହି ମୌଜାରେ ରହିଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତିରୁ ଜବରଦଖଲ ଉଚ୍ଛେଦ ପାଇଁ ଜାରି ନୋଟିସ୍ ବିରୋଧରେ ଦାୟର ତିନୋଟି ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଷ୍ଣୁଚରଣ ସାହୁ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନ ଗୁଡ଼ିକୁ ଖାରଜ କରିଛନ୍ତି। ଏଥି ସହିତ ଆବେଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ରୋକ ଲଗାଇ ପୂର୍ବରୁ ପ୍ରଦାନ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକୁ ହାଇକୋର୍ଟ ଉଠାଇ ଦେଇଛନ୍ତି।
ଦୀର୍ଘ ବର୍ଷର ଦଖଲ ବା ଆଧାର କାର୍ଡ ଜମି ଉପରେ ଅଧିକାର ଦିଏ ନାହିଁ
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଏହି ଜମି ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସଂପତ୍ତି ଓ ମହାପ୍ରଭୁଙ୍କ ନାଁରେ ରେକର୍ଡ ହୋଇରହିଛି। ଆବେଦନକାରୀମାନେ ବେଆଇନ ଭାବେ ଏହି ଜମି ଦଖଲରେ ରଖିଥିବା ବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ କଟକ ସଦର ଅତିରିକ୍ତ ତହସିଲଦାର ୨୦୨୪, ଜାନୁଆରି ୧୨ରେ ଜାରି କରିଥିବା ନୋଟିସ୍ ବୈଧ। ଉପଯୁକ୍ତ ମୂଲ୍ୟ ନେଇ ଆବେଦନକାରୀଙ୍କ ନାଁରେ ଜମି କରିବା ପାଇଁ ଦାଖଲ ଦରଖାସ୍ତକୁ ଖାରଜ କରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ(ରାଜସ୍ବ) ୨୦୨୪, ଫେବ୍ରୁଆରି ୨୧ରେ ଦେଇଥିବା ନିର୍ଦ୍ଦେଶ ଆଇନ ସମ୍ମତ, ବୈଧ ବୋଲି ହାଇକୋର୍ଟ କହିଛନ୍ତି। ଶ୍ରୀଜଗନ୍ନାଥଙ୍କ ସଂପତ୍ତିରୁ ଜବରଦଖଲ ଉଚ୍ଛେଦ ପାଇଁ ଓପିଏଲ୍ଇ (ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚ୍ମେଣ୍ଟ) ଆଇନ, ୧୯୭୨ ଅନୁସାରେ ତହସିଲଦାର ଉଚ୍ଛେଦ ପ୍ରକ୍ରିୟା କରି ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୧୬-କ ଅନୁସାରେ ମହାପ୍ରଭୁଙ୍କ ଜମି ବେଆଇନ ଭାବେ ଦଖଲ କରାଯାଇଥିଲେ ଓପିଏଲ୍ଇ ଆଇନ ଲାଗୁ କରାଯାଇ ପାରିବ। ସରକାରୀ ଜମି ଭଳି ଶ୍ରୀଜଗନ୍ନାଥ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଓପିଏଲ୍ଇ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ହାଟସାହି ମୌଜାରେ ରହିଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିରେ ଆବେଦନକାରୀଙ୍କ ସମେତ ଶହେରୁ ଅଧିକ ପରିବାର ୫୦ ବର୍ଷରୁ ଅଧିକ ସମୟ ଧରି ଘର କରି ରହି ଆସୁଛନ୍ତି। ତହସିଲ କାର୍ଯ୍ୟାଳୟରେ ଖଜଣା ଜମା କରୁଛନ୍ତି। ୨୦୨୪, ଜାନୁଆରି ୧୨ରେ ଅତିରିକ୍ତ ତହସିଲଦାର ଏହି ଜମିରୁ ଉଚ୍ଛେଦ ପାଇଁ ଆବେଦନକାରୀଙ୍କୁ ନୋଟିସ୍ ଜାରି କରିଥିଲେ। ଆବେଦନକାରୀ ଏହି ଜମିକୁ କିଣିବାକୁ ଆଗ୍ରହୀ ତେଣୁ ଉପଯୁକ୍ତ ମୂଲ୍ୟ ନେଇ ଏହି ଜମିକୁ ସେମାନଙ୍କ ନାଁରେ ରେକର୍ଡ କରାଯାଉ ବୋଲି ଦର୍ଶାଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରେ ସେମାନେ ଦରଖାସ୍ତ ଦାଖଲ କରିଥିଲେ। ଦରଖାସ୍ତ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।