ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଜମି ହଡ଼ପ : ସାବକରେ ୮ ହଜାର ଏକର, ହାଲ୍‌ରେ ୫୬୫

ଜବରଦଖଲରେ ୩୦୦ ଏକର, ଆଖି ପକାଇଛି ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଜମି ହଡପ ହୋଇଛି। ସାବକ ଖାତାରେ ଜମି ୮ ହଜାର ଏକର ଥିବା ବେଳେ ହାଲ୍‌ରେ ତାହା ୫୬୫ ଏକର ହୋଇଯାଇଛି। ହାଲ୍‌ରେ ଥିବା ୫୬୫ ଏକରରୁ ୨୬୫ ଏକର ମଠ ଦଖଲରେ ଥିବା ବେଳେ ୩ଶହ ଏକର ଜବର ଦଖଲରେ ରହିଛି। ଯାହାର ମୂଲ୍ୟ ୨୧୫ କୋଟି ଟଙ୍କା ମୂଲ୍ୟାୟନ କରାଯାଇଛି। ଦଖଲରେ ଥିବା ୨୬୫ ଏକର ଜମିରୁ ବଡ଼ଦାଣ୍ଡକୁ ଲାଗି ରହିଥିବା ୪୨ ଏକରରେ ପ୍ରଭୁଙ୍କର ବିଜେସ୍ଥଳୀ ରହିଛି। ମଠର ୨୨୮୦.୩୪ ଡିସିମିଲି ଜମି ଫେରାଇ ଆଣିବା ପାଇଁ ଓଇଏ ମାମଲା ବିଚାରାଧୀନ ରହିଛି। ୨୦୧୬ରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ମୁତାବକ ମଠ ପାଖରେ କେବଳ ୬୫ଏକର ରହିପାରିବ। ଅର୍ଥାତ୍‌ ଦଖଲରେ ଥିବା ୨୬୫ ଏକର ଜମି ମଧ୍ୟରୁ ୨ଶହ ଏକର ଶ୍ରୀମନ୍ଦିର ପ୍ରଶାସନ ନେବାକୁ ବସିଛି। ଏଥିପାଇଁ ସ୍ବତ୍ବ‌ାଧିକାର ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଦାବି କରିଥିବା ଜମି ଭିତରେ ଠାକୁରଙ୍କର ବିଜେସ୍ଥଳୀ ମଧ୍ୟ ରହିଛି। ଏହାକୁ ନେଇ ସୁପ୍ରିମକୋର୍ଟରେ ମଠ ପକ୍ଷରୁ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ ଖାରଜ ହୋଇ ସାରିଛି। ଏଭଳି ଏକ ସ୍ଥିତିରେ ରହିଛି ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ସରକାରଙ୍କ ସୁପାରିସ କ୍ରମେ ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଅଡିଟ୍‌ କଲା ବେଳେ ଏଜି ଏଭଳି ତଥ୍ୟ ପାଇଛନ୍ତି। ଏ ନେଇ ସରକାରଙ୍କୁ ଏକ ରିପୋର୍ଟ ତଲବ କରିଛନ୍ତି।

କୌତୂହଳପ୍ରଦ କଥା ହେଉଛି, ମଠର ପ୍ରମୁଖ ରୋଜଗାରର ପନ୍ଥା ହେଉଛି ପାର୍କିଂରୁ ଆସୁଥିବା ଆୟ। ମଠ ପରିସରରେ ବଡ଼ଦାଣ୍ଡକୁ ଲାଗି ରହିଥିବା ୩ ଏକର ଜାଗା ପାର୍କିଂ ପାଇଁ ସମର୍ପିତ ହୋଇଛି। ୩୫ ଲକ୍ଷ ଖର୍ଚ୍ଚରେ ନାଲ୍‌କୋ ଏହାର ଉନ୍ନତୀକରଣ କରିଛି। ପୌରସଂସ୍ଥା କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି। କିନ୍ତୁ ଏହି ଆୟର ୧୫ ପ୍ରତିଶତ ଶ୍ରୀମନ୍ଦିର ପ୍ରଶାସନ, ୪୦ ପ୍ରତିଶତ ମୁନିସିପାଲିଟି ଓ ୫ ପ୍ରତିଶତ ପୁଲିସ(ଏସ୍‌ପି) ଭାଗ ଚାହୁଛି। ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ଗାଡ଼ି ରଖୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭାଗ ମାଗୁଥିବା ବେଳେ ବହୁଦିନ ତଳେ ଏହାର ଉନ୍ନତୀକରଣ ପାଇଁ ମୁନିସିପାଲିଟି ପଇସା ଖର୍ଚ୍ଚ କରିଥିବା ଦର୍ଶାଇ ଭାଗ ମାଗୁଛି; ଯାହାର କୌଣସି କାଗଜପତ୍ର ପ୍ରମାଣ ମଠ ପାଖରେ ନାହିଁ। ସେହିଭଳି ଏଠାରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ତିଆରି ହୋଇଥିବା ଫାଣ୍ଡିର ସମସ୍ତ ଖର୍ଚ୍ଚ ପାଇଁ ପୁଲିସ ଭାଗ ଚାହୁଛି। ୨୦୦୭ ମସିହାରେ ଏ ନେଇ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଛି। କୌଣସି ପରିସ୍ଥିତିରେ ଏ ସବୁ ଭାଗ ଦେବା ବିଧିସମ୍ମତ ନୁହେଁ ବୋଲି ଏଜି ଦର୍ଶାଇଛନ୍ତି।
ଏଜି ଦର୍ଶାଇଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଯେଉଁ ଖତିୟାନରେ ‘ପ୍ରଜା’ ଜାଗାରେ ଯଦି ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ’ଲେଖା ହୋଇଥିବ ତେବେ ଜମିର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥ ହେବେ। ଶହ ଶହ ବର୍ଷ ଧରି ମଠଗୁଡ଼ିକର ସମ୍ପତ୍ତିକୁ ସୁରକ୍ଷା ଯୋଗାଇ ଆସୁଥିବା ଯେଉଁ ଅନୁଷ୍ଠାନମାନ ପରିବର୍ତ୍ତେ ମାର୍ଫତଦାର ଭାବରେ ଶ୍ରୀମନ୍ଦିର ପ୍ରଶାସନ ନାମରେ ଜମିର ମାଲିକାନା ସ୍ବତ୍ବ କରି ଦିଆଯିବ।

ଅନ୍ୟପଟେ ୨୦୦୬ ମସିହାରେ ହାଇକୋର୍ଟ ଏହି ସବୁ ମଠ ସମ୍ପତ୍ତି ଉପରେ ସ୍ଥିତାବସ୍ଥା‌ ଜାରି କରିଥିଲେ। ଏହି ସ୍ଥିତାବସ୍ଥା ଜାରିକରିବାର କାରଣରେ ହାଇକୋର୍ଟ ଦର୍ଶାଇଥିଲେ ଯେ, ମଠଗୁଡ଼ିକରେ ବୈଷ୍ଣବଧର୍ମ ସଂସ୍କୃତି ରହିଛି। ଶ୍ରୀମନ୍ଦିରରେ ବିଭିନ୍ନ ସେବା ପୂଜା ସହ ହିନ୍ଦୁମାନଙ୍କୁ ସଂସ୍କୃତିଗତ ଜ୍ଞାନ ବାଣ୍ଟିବା ଉଦ୍ଦେଶ୍ୟରେ ମଠଗୁଡ଼ିକ କାମ କରୁଛି। ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ ରହିଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓଏଚ୍‌ଆରଇ ଆଇନ ଦ୍ବାରା ପରିଚାଳିତ ହେଉଛି। ୨୦୦୬ ମସିହାରେ ଏହି ସ୍ଥିତାବସ୍ଥାର ବିଚାର କରି ଏକ ଦୁଇଜଣିଆ ଖଣ୍ଡପୀଠ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସପକ୍ଷରେ ମଧ୍ୟ ରାୟ ଦେଇଥିବା ଏଜି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର